ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଜେରା ହେଲେ ଶାଶୂ ଓ ଶଳା

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା-୨

ବିଦ୍ୟାଶ୍ରୀ ଖୋଲିଲେ ଡାଏରି ରହସ୍ୟ

ଭୁବନେଶ୍ବର: ଆଦିତ୍ୟ ମୃତ୍ୟୁ ମାମଲାର ମୃତ୍ୟୁ ରହସ୍ୟ ଖୋଜିବାରେ ରେଳବାଇ ପୁଲିସ ଛନ୍ଦି ହୋଇ ପଡ଼ିଛି। ଜଣକ ପରେ ଜ‌ଣଙ୍କୁ ଜେରା‌ କଲା ବେଳେ ନୂଆ ନୂଆ ତଥ୍ୟ ପୁଲିସକୁ ବାଉଳା କରୁଛି। ମୃତ୍ୟୁ ପଛରେ ସଂସ୍ଥାର ଅନୁଦାନ ଅର୍ଥ ବା ବୈବାହିକ ଜୀବନ ସମସ୍ୟା ନୁହେଁ, ବରଂ ଆହୁରି ଅନେକ ଅକୁହା କଥା ମାମଲାକୁ ରହସ୍ୟମୟ କରିବାରେ ଲାଗିଛି। ପୂର୍ବରୁ ବନ୍ଧୁମାନଙ୍କ ସହ ଘାରମାଲିକ ଓ ଖୋଦ୍‌ ବିଦ୍ୟାଶ୍ରୀଙ୍କୁ ଜେରା ସରିଥିବା ବେଳେ ଆଜି ‌ରେଳବାଇ ପୁଲିସ କଟକ ଯାଇ ଆଦିତ୍ୟଙ୍କ ଶାଶୂ ଓ ଶଳାଙ୍କୁ ଜେରା କରିଛି। ବିବାହ ପୂର୍ବରୁ ଆଦିତ୍ୟଙ୍କ ସହ ବିଦ୍ୟାଶ୍ରୀଙ୍କ ସମ୍ପର୍କ ଠାରୁ ଆରମ୍ଭ କରି ଆଦିତ୍ୟଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଯାତ୍ରାର ବିବରଣୀ ସଂଗ୍ରହ କରିଛି ପୁଲିସ। କିନ୍ତୁ ତଦନ୍ତକୁ ନୂଆ ଦିଗ ଦେବା ଭଳି କିଛି ମିଳିନଥିବା କୁହାଯାଉଛି।
ତେବେ ଘଟଣାକୁ ନୂଆ ମୋଡ଼ ଦେବାକୁ ଯାଉଛି ବଲାଙ୍ଗୀରର ଘନିଷ୍ଠ ବନ୍ଧୁ ବିଶ୍ବମୋହନ ଭୋଇଙ୍କ ବୟାନ। ତାଙ୍କୁ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ତାଙ୍କ ପାଖରେ ପହଞ୍ଚିନି। ପୁଲିସ ତାଙ୍କୁ ଟେଲିଫୋନ୍‌ ଜରିଆରରେ ପଚରା ଉଚରା କରିଛି। ତାଙ୍କ ଠାରୁ କିଛି ତଥ୍ୟ ମଧ୍ୟ ସଂଗ୍ରହ କରିଛି। ୨୦୦୯ ମସିହାରୁ ଦୁହେଁ ବଲାଙ୍ଗୀର ରାଜେନ୍ଦ୍ର କଲେଜ୍‌ରେ ଏକାଠି ପଢ଼ୁଥିଲେ। ଯୁକ୍ତ ଦୁଇ ପରେ ସେ କୋଲକାତା ପଢ଼ିବା ପାଇଁ ଚାଲି ଯାଇଥିଲେ। ପରେ ଆଦିତ୍ୟ ଭୁବନେଶ୍ବର ଏକାମ୍ର କଲେଜ୍‌ରେ ନାମ ଲେଖାଇଥିଲେ। ତାଙ୍କର ବାହାଘର ହେଲା। ବାହାଘରର ୧୬ଦିନ ପରେ ବିଶ୍ବମୋହନଙ୍କ ବାହାଘର ହୋଇଥିଲା। ଲକ୍‌ଡାଉନ୍‌ ପାଇଁ କେହି କାହା ବାହାଘରକୁ ଯାଇ ପାରିଲେ ନାହିଁ। କ’ଣ ଏହା ଭିତରେ ଅଛି ତାହା ତାହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ସେ କହିଛନ୍ତି।
ବିଦ୍ୟାଶ୍ରୀ ଖୋଲିଲେ ଡାଏରି ରହସ୍ୟ
ଶୁକ୍ରବାର ସନ୍ଧ୍ୟାରେ ଆଦିତ୍ୟଙ୍କ ଘରେ ତାଙ୍କ ବାପା ମା’ ଓ ବିଦ୍ୟାଶ୍ରୀଙ୍କୁ ସାଢ଼େ ୪ଘଣ୍ଟା ଧରି ଜେରା କରିଥିଲା ଜିଆରପି। ସମସ୍ତଙ୍କୁ ଅଲଗା ଅଲଗା ଓ ପରେ ଏକତ୍ର ଜେରା କଲା ଜିଆରପିର ୫ ଜଣିଆ ଟିମ। କେବଳ ବିଦ୍ୟାଶ୍ରୀ ଏକୁଟିଆ ୩ ଘଣ୍ଟା ଜେରା ହୋଇଥିଲେ। କିଛି ପ୍ରଶ୍ନର ଉଚିତ ଉତ୍ତର ରଖିଥିବା ବେଳେ ଆଉ କିଛି ପ୍ରଶ୍ନର ସିଧା ଉତ୍ତର ଦେଇନଥିଲେ ବିଦ୍ୟାଶ୍ରୀ। ଆଦିତ୍ୟ ଦୀର୍ଘ ଦିନ ଧରି ମାନସିକ ଅଶାନ୍ତିରେ ଥିଲେ। କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ସବୁ କଥାରେ ସେ ବିଗିଡ଼ି ଯାଉଥିଲେ। ଡାଏରିର ପ୍ରଥମ ୪ ପୃଷ୍ଠା ଆଦିତ୍ୟ ଲେଖିଥିବା ବେଳେ ପର ଦୁଇପୃଷ୍ଠା ବିଦ୍ୟାଶ୍ରୀ ଲେଖିଥିଲେ। ଯଦି ବିଦ୍ୟାଶ୍ରୀ ଘରୁ ଚାଲି ଆସିଥିଲେ ତେବେ ଆଦିତ୍ୟଙ୍କ ଲେଖା ପୂର୍ବରୁ ସେ କେମିତି ଲେଖିଲେ? ଏହି ପ୍ରଶ୍ନରେ ନିରବ ଥିଲେ ବିଦ୍ୟାଶ୍ରୀ। ଏହା ଛଡ଼ା ଅନୁଷ୍ଠାନର ଅନୁଦାନକୁ ନେଇ ହେଉଥିବା ହେର୍‌ଫେରକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଦ୍ୟାଶ୍ରୀ।
ଘଟଣା ଘଟିବା ଦିନ ବାପା ମା’ ଘରେ ନଥିଲେ। ଝଗଡ଼ା ହେବା ପରେ ବିଦ୍ୟାଶ୍ରୀ ଆଗ ଘରୁ ବାହାରକୁ ପଳେଇ ଆସିଲେ। ଘରେ ଆଦିତ୍ୟ ଏକୁଟିଆ ହୋଇଗଲେ। ଯଦି ବିଦ୍ୟାଶ୍ରୀ ଆଗ ଆସିନଥାନ୍ତେ ତେବେ ଆଦିତ୍ୟଙ୍କର କିଛି ହୋଇ ନ ଥାଆନ୍ତା। ଆଦିତ୍ୟଙ୍କ ମୃତ୍ୟୁ ପଛରେ ଏହି କାରଣରୁ ଆପଣଙ୍କୁ ଦାୟୀ କରାଯାଇ ପାରେ କି? ତଦନ୍ତକାରୀ ଟିମ୍‌ର ଏଭଳି ପ୍ରଶ୍ନରେ କିଛି ସମୟ ନିରବ ରହିଥିଲେ ବିଦ୍ୟାଶ୍ରୀ। ପରେ ନିଜର ଏହି ଭୁଲକୁ ସ୍ୱୀକାର କରିଥିଲେ।

Share Now:

Kalinga News Beuro

Next Post

୮୫ ପ୍ରତିଶତ ରୋଗୀଙ୍କ ପ୍ରାଣ ଯାଉଛି ଭେଣ୍ଟିଲେଟରରେ

Sun Jul 19 , 2020
ନୂଆଦିଲ୍ଲୀ: ଭାରତରେ ଭେଣ୍ଟିଲେଟର ବ୍ୟବହାର କରି ମଧ୍ୟ କୋଭିଡ ମୃତ୍ୟୁ ହାର ବୃଦ୍ଧି ପାଇଛି। ଏହା ଏବେ ଡାକ୍ତରମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବାଙ୍ଗାଲୋର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ବିଏମ୍‌ସିଆର୍‌ଆଇ) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଭେଣ୍ଟିଲେଟର ବ୍ୟବହାର ସତ୍ତ୍ବେ ମୃତ୍ୟୁ ହାର ଅଧିକ ବୋଲି ଜଣାପଡ଼ିଛି। ଜୁଲାଇ ୧୩ ସୁଦ୍ଧା ମୋଟ ୯୦ ଜଣ କୋଭିଡ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖା‌ଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ଏହି […]
୮୫ ପ୍ରତିଶତ ରୋଗୀଙ୍କ ପ୍ରାଣ ଯାଉଛି ଭେଣ୍ଟିଲେଟରରେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial