ଅଧିକ ସଚେତନ କରିପାରିବ ଷ୍ଟିକର୍‌ ରଙ୍ଗ: ବିଏମ୍‌ସି କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି ?

ଷ୍ଟିକର୍‌ ରଙ୍ଗ ଅଧିକ ସଚେତନ କରିପାରିବ

ଭୁବନେଶ୍ୱର : ଏବେ ଯଦି କେହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବା ଆସିଥିବାର ସନ୍ଦେହ ହେଉଛି ବା ଯେଉଁ ଘରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି, ବିଏମ୍‌ସି କର୍ତ୍ତୃପକ୍ଷ ସେହି ଘରେ ୧୪ ଦିନିଆ ସଙ୍ଗରୋଧ ଷ୍ଟିକର ମାରୁଛନ୍ତି। କିନ୍ତୁ ଏହି ଷ୍ଟିକର୍‌ର ରଙ୍ଗ ସମାନ। ସମସ୍ତଙ୍କ ଘରେ ସବୁଜ ରଙ୍ଗର ଷ୍ଟିକର ମରା ଯାଉଛି। ଫଳରେ ‌ଯେଉଁ ଘରୁ କରୋନା ଆକ୍ରାନ୍ତ ବାହାରିଛନ୍ତି କିନ୍ତୁ ସେ ସଙ୍ଗରୋଧରେ ଅଛନ୍ତି ସେମାନେ ଆମକୁ କରୋନା ହୋଇନାହିଁ କହି ବାହାରେ ବୁଲାବୁଲି କରୁଛନ୍ତି। ବିଏମ୍‌ସି ତା’ କାମ କଲା ଆମକୁ ତ କରୋନା ହୋଇନି କାହିଁକି ଘରେ ରହିବୁ କହି ଲୋକ ବାହାରେ ବୁଲୁଛନ୍ତି। ଫଳରେ ଲୋକମାନେ ଜାଣି ନପାରି ମିଶି ଯାଉଛନ୍ତି। ଯଦି ବିଏମ୍‌ସି କରୋନା ଆକ୍ରାନ୍ତଙ୍କ ଘରେ ସବୁଜ ରଙ୍ଗର ଷ୍ଟିକର୍ ନମାରି ଅନ୍ୟ କିଛି ରଙ୍ଗର ଷ୍ଟିକର ମାରନ୍ତା ଏବଂ ସେଥିରେ ଉକ୍ତ ଘରୁ କରୋନା ଆକ୍ରାନ୍ତ ବାହାରିଛନ୍ତି ବୋଲି ଲେଖନ୍ତା ତେବେ ଲୋକ ଅଧିକ ସଚେତନ ହୁଅନ୍ତେ। ଏପରିକି ସେହି ଘରର ଲୋକ ବାହାରେ ବୁଲିଲେ ବିଏମ୍‌ସି କି ପୁଲିସକୁ ଖବର ଦେଇପାରନ୍ତେ। ଫଳରେ କରୋନା ବ୍ୟାପିବାର ସମ୍ଭାବନାକୁ ବହୁତ ପରିମାଣରେ କମାଯାଇପାରନ୍ତା। ଏବେ କରୋନା ଆକ୍ରାନ୍ତଙ୍କ ପରିବାର ଲୋକ ବାହାରେ ବୁଲାବୁଲି କରୁଥିବାରୁ, ବିଭିନ୍ନ ସାମଗ୍ରୀ କିଣିବାକୁ ଦୋକାନ ବଜାରକୁ ଯାଉଥିବାରୁ ସେମାନଙ୍କର ସ୍ବାବ୍‌ ରିପୋର୍ଟ ପଜିଟିଭ୍ ଆସିବା ବେଳକୁ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଯାଉଛନ୍ତି। ଷ୍ଟିକର୍ ରଙ୍ଗ ବଦଳିଲେ ଲୋକ ଅଧିକ ସଚେତନ ହୋଇପାରନ୍ତେ। ପଡ଼ୋଶୀ ବି ଆକ୍ରାନ୍ତ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କ ସହ ମିଳାମିଶା କ‌ରନ୍ତେନି। କେବଳ ଏତିକି ନୁହେଁ ଯଦି କୌଣସି କାର୍ଯ୍ୟାଳୟରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି ତେବେ ସେ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତଙ୍କ ଘରେ ସଙ୍ଗରୋଧ ଷ୍ଟିକର୍ ଲଗାଇଦିଆଯାଉଛି। ଆକ୍ରାନ୍ତଙ୍କ ଘରେ ଯେଉଁ ଷ୍ଟିକର୍ ଲାଗୁଛି, ସଙ୍ଗରୋଧରେ ଥିବା ଅନ୍ୟ ଲୋକଙ୍କ ଘରେ ସେହି ଷ୍ଟିକର୍ ମରାଯାଉଥିବାରୁ କେତେକ ସ୍ଥାନରେ ଲୋକ ତାଙ୍କୁ କରୋନା ହୋଇଛି ବୋଲି ଭାବି ଚାରିଆଡ଼େ ପ୍ରଚାର କରୁଛନ୍ତି। ଷ୍ଟିକର୍‌ ରଙ୍ଗ ବଦଳିଲେ କେଉଁ ଘରୁ ଆକ୍ରାନ୍ତ ବାହାରିଛନ୍ତି, କେଉଁଠି ଲୋକ ସଚେତନତାମୂଳକ ପଦକ୍ଷେପ ଭାବେ ସଙ୍ଗରୋଧରେ ଅଛନ୍ତି ତାହା ବି ସ୍ପଷ୍ଟ ହୋଇପାରନ୍ତା।

Share Now:

Kalinga News Beuro

Next Post

କୋହଳ ହେଲା ପରିବହନ ବିଭାଗ କାଗଜପତ୍ରର ବୈଧତା

Tue Jul 21 , 2020
କଟକ : ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଗାଡ଼ିର ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସଂକ୍ରାନ୍ତ କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି। ଏ ସମସ୍ତ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ରର ବୈଧତା ଶେଷ ହେଲେ ବି ତାକୁ ବୈଧ ବୋଲି ବିଚାର କରାଯିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, […]
କୋହଳ ହେଲା ପରିବହନ ବିଭାଗ କାଗଜପତ୍ରର ବୈଧତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial