ଚାନୁଙ୍କ ଚମକରେ ଭାରତ ଗର୍ବିତ:୬ କୀର୍ତିମାନ ସହିତ ଜିତିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ

ଗୋଲ୍‌ଡକୋଷ୍ଟ୍‍: ଭାରୋତ୍ତୋଳନରୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଭାରତ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଭିଯାନ ଆରମ୍ଭ କରିଛି। ମହିଳା ଭାରୋତ୍ତୋଳିକା ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିବାର କିଛି ଘଣ୍ଟା ପୂର୍ବରୁ ଗୁରୁରାଜା ପୂଜାରୀ ରୌପ୍ୟ ପଦକ ଜିତିଥିଲେ। ଫଳରେ ଆଶା ମୁତାବକ ଭାରତୀୟ ଦଳ ଏହି ଖେଳରେ ପ୍ରଦର୍ଶନ ଦେଖାଇଛି।
ବୁଧବାର କରାରା ଷ୍ଟାଡିୟମ୍‌ରେ ରାତିରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ପରେ ଗୁୁରୁବାରଠାରୁ ବିଭିନ୍ନ ଖେଳର ପ୍ରତିଯୋଗିତା ଅରମ୍ଭ ହୋଇଯାଇଥିଲା। ଭାରୋତ୍ତୋଳନରୁ ହିଁ ଭାରତର ପ୍ରଥମ ପଦକ ମିଳିବ ବୋଲି ଆଶା କରାଯାଇଥିଲା। ପୁରୁଷ ୫୬ କିଲୋଗ୍ରାମ ଓଜନ୍‌ ବର୍ଗରେ ଗୁରୁରାଜା ପୂଜାରୀ ପ୍ରଥମେ ରୌପ୍ୟ ପଦକ ଜିତିବାର ଖବର ଆସିଥିଲା। ସେ ସ୍ନାଚ୍‌ରେ ୧୧୧ କିଲୋଗ୍ରାମ ଉତ୍ତୋଳନ କରି ନିଜର ଶ୍ରେଷ୍ଠ ସଫଳତା ଅର୍ଜନ କରିଥିଲେ। କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୩୮ କିଲୋଗ୍ରାମ ଉଠାଇବା ପରେ ମୋଟ ଉପରେ ମଧ୍ୟ ଗୁରୁରାଜା ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ (୨୪୯ କିଲୋଗ୍ରାମ) କରିଥିଲେ। ମାଲେସିଆର ମହମ୍ମଦ ଈଝାର ଅହମ୍ମଦ ୨୬୧ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ଏବଂ ଶ୍ରୀଲଙ୍କାର ଚତୁରଙ୍ଗା ଲକମଲ୍‌ ୨୪୮ କିଲୋଗ୍ରାମ ସହିତ କାଂସ୍ୟ ପଦକ ହାସଲ କରିଥିଲେ।
ଭାରତ ପାଇଁ ସବୁଠାରୁ ବଡ଼ ସମ୍ବାଦ କିନ୍ତୁ ଆସିଥିଲା ସେହି ଭାରୋତ୍ତୋଳନ ଇନଡୋର୍‌ ହଲ୍‌ରୁ। ୨୦୧୪ ମସିହାର ଗ୍ଲସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟିନୀ ସୈଖମ ମୀରାବାଇ ଚାନୁ ମହିଳା ବିଭାଗ ୪୮ କିଲୋଗ୍ରାମରେ କେବଳ ସ୍ୱର୍ଣ୍ଣ ପଦକ ଜିତି ନଥିଲେ।, ଅଧା ଡ଼ଜନ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ। ସ୍ନାଚରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୬ କିଲୋଗ୍ରାମ ଉଠାଇବା ପରେ ସେ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୦ କିଲୋଗ୍ରାମ ଉତ୍ତୋଳନ କରି ଆଉ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ (୧୯୬ କିଲୋଗ୍ରାମ) କରିଥିଲେ। ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା ୧୯୪ କିଲୋଗ୍ରାମ। ସ୍ନାଚରେ ମଧ୍ୟ ସେ ପ୍ରଥମେ ୮୧ କିଲୋଗ୍ରାମ ଉତ୍ତୋଳନ କରି କୀର୍ତିମାନ କରିବା ପରେ ଆଉ ଏକ ପ୍ରୟାସରେ ଏହାକୁ ୮୪ କିଲୋଗ୍ରାମକୁ ବଢ଼ାଇ ଦେଇଥିଲେ। କ୍ଲିନ୍‌ ଆଣ୍ଡ ଜର୍କରେ ସେ ୧୦୩, ୧୦୭ ପରେ ୧୧୦ ପର୍ଯ୍ୟନ୍ତ ବଢ଼ିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନଧାରି ୨୩ ବର୍ଷୀୟା ଗତବର୍ଷ ବିଶ୍ୱ ପ୍ରତିଯୋଗିତା ସ୍ୱର୍ଣ୍ଣ ମଧ୍ୟ ଜିତିଥିଲେ। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନାଇଜେରିଆରର ଅଗଷ୍ଟିନା ନ୍ଵାକୋଲାଙ୍କ ଦ୍ୱାରା ପ୍ରତିଷ୍ଠିତ କୀର୍ତିମାନ (୧୭୫ କିଲୋଗ୍ରାମ)କୁ ଚାନୁ ବହୁ ପଛରେ ପକାଇ ଦେଇଥିଲେ। ମରିସସ୍‌ର ମାରି ରାନାଇଭୋସୋଆଙ୍‌ ୧୭୦ କିଲୋଗ୍ରାମ ସହ (ସ୍ନାଚ୍‌ ୭୬, କ୍ଲିନ୍‌ ଆଣ୍ଡ କର୍ଜ ୯୪ କିଲୋଗ୍ରାମ) ରୌପ୍ୟ ଏବଂ ଶ୍ରୀଲଙ୍କାର ଦିନୁଶା ଗୋମ୍‌ସ ୧୫୫ କିଲୋଗ୍ରାମ (ସ୍ନାଚ୍‌ରେ ୭୦ ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୮୫ କିଲୋଗ୍ରାମ) ଉତ୍ତୋଳନ କରିଥିଲେ।
ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଧାଡ଼ଜନ କୀର୍ତିମାନ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବା ସୈଖମ ମୀରାବାଇ ଚାନୁ ମଣିପୁର ମଣି ଭାବେ ଏବେ ପରିଚିତ ହେବେ। ୨୦୦୭ ମସିହାରେ ଭାରୋତ୍ତୋଳନକୁ ଆସିଥିବା ଚାନୁ ଭାରତୀୟ ରେଳବାଇରେ ଟିକେଟ୍‌ ତଦାରଖ ଭାବେ କାମ କରୁଛନ୍ତି। ୨୩ ବର୍ଷୀୟା ଚାନୁ ଗତବର୍ଷ ବିଶ୍ୱ ପ୍ରତିଗୋଗିତା ଜିତିବା ପରେ ୨୨ ବର୍ଷ ପରେ କର୍ଣ୍ଣମ ମାଲେଶ୍ୱରୀଙ୍କ ପରେ ଏହି ଗୌରବ ଆଣିଥିଲେ। କୁଞ୍ଜରାଣୀ ଦେବୀଙ୍କ ଦ୍ୱାରା ପ୍ରଶିକ୍ଷିତ ଚାନୁ ୨୦୧୪ ମସିହାରେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଥୀ ଖେଳାଳି ସଂଜିତା ଚାନୁଙ୍କ ପଛରେ ରହି ରୌପ୍ୟ ପଦକ ଜିତିଥିବାବେଳେ ଏବେ ନିଜର ସ୍ୱର୍ଣ୍ଣ ଅଭିଳାଷକୁ ପୂର୍ଣ୍ଣ କରିଛନ୍ତି। ୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ା ଏବଂ ୨୦୧୭ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗୋଲ୍‌ଡ କୋଷ୍ଟରେ ୬ ପ୍ରୟାସରେ ୬ କୀର୍ତିମାନ ପ୍ରତିଷ୍ଠା କରିବା ପରେ ଚାନୁ ଏବେ ଦେଶର ପ୍ରଥମ ଅଲିମ୍ପିକ୍‌ ଭାରୋତ୍ତୋଳନକାରୀ ସ୍ୱର୍ଣ୍ଣ ପଦକ ବିଜେତା ହେବାର ଦାବିଦାର ହୋଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ସ୍ୱର୍ଣ୍ଣ ବିଜୟିନୀ ମୀରାବାଇ ଚାନୁଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ଏବଂ କୀର୍ତିମାନ ପ୍ରତିଷ୍ଠା ଦ୍ୱାରା ଭାରତବାସୀ ଉଲ୍ଲସିତ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିନନ୍ଦନୀୟ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି। ପ୍ରତିଟି ପ୍ରୟାସ କୀର୍ତିମାନ କରିଦେଲା, ନାରୀ ଶକ୍ତି ଏବେ ଶ୍ରେଷ୍ଠତ୍ୱରେ ବୋଲି ଉଲ୍ଲେଖ କରିଛନ୍ତି ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗ। ତୁମ ସଫଳତା କୋଟି କୋଟି ଭାରତୀୟଙ୍କ ମୁହଁରେ ଖୁସି ଖେଳାଇ ଦେଇଛି ବୋଲି ଲେଖିଛନ୍ତି ସଚିନ ତେନ୍ଦୁଲକର। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ସଞ୍ଜିତା ଚାନୁ ଆଣିଲେ ଦ୍ଵିତୀୟ ସ୍ୱର୍ଣ୍ଣ

Fri Apr 6 , 2018
ଗାଲଡ଼କୋଷ୍ଟ:ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡ଼ିଲେ ମଣିପୁରୀ ଖେଳାଳି ସଞ୍ଜିତା ଚାନୁ |ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି |ସେ ୫୩ କିଲୋ ବର୍ଗରେ ପ୍ରଥମେ ୮୪ କିଲୋ ଏବଂ ପରେ ୧୦୮ କିଲୋ ସମୁଦାୟ ୧୯୨ କିଲୋ ଭାର ଉତ୍ତୋଳନ କରି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ |ଭାରତର ତୃତୀୟ ମହିଳା ଭାର ଉତ୍ତୋଳନକାରୀ ଭାବରେ ସେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial