ବାପାଙ୍କ ଚିନ୍ତା ବଢ଼ାଇଛି ପୁଅର ଏ-୧ ଗ୍ରେଡ୍‌: ଉଚ୍ଚ ଶିକ୍ଷାରେ ବାଧକ ହେବ କି ଅନଟନ

ବାପାଙ୍କ ଚିନ୍ତା ବଢ଼ାଇଛି ପୁଅର ଏ-୧ ଗ୍ରେଡ୍

ବାଲିଅନ୍ତା: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପୁଅ ୫୫୪ ନମ୍ବର(୯୨.୩ ପ୍ରତିଶତ) ରଖି ଗ୍ରେଡ୍‌ ଏ-୧ ପାଇବା ସହ ବିଦ୍ୟାଳୟ ଟପର୍‌‌ ହୋଇଛି। ତେଣୁ ଗାଁରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରୁ ପୁଅ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କିନ୍ତୁ ମନେ ମନେ ଗୁମୁରିବାରେ ଲାଗିଛନ୍ତି ବାପା। ଉପରକୁ ହସୁଥିଲେ ବି ପୁଅର ଭବିଷ୍ୟତ ଚିନ୍ତାରେ ସେ ଭିତ‌ରେ ଭିତରେ କୁହୁଳୁଛନ୍ତି। ଭଲ କ‌ଲେଜରେ ଦାମୀ ପାଠ ପଢ଼ିବା ପାଇଁ ଦରକାର ପୁଳାପୁଳା ଟଙ୍କା। କୋଉଠୁ ପାଇବେ ସେ ଏତେ ଟଙ୍କା! ଟଙ୍କା ଖର୍ଚ୍ଚ କରି ନ ପାରିଲେ ଭଲ ପଢ଼ୁଥିବା ପୁଅର ଭବି‌ଷ୍ୟତ କ’ଣ ହେବ? ଏହି ଚିନ୍ତା ତାଙ୍କୁ ଘାରୁଛି ଦୁଇ ଦିନ ହେଲା। ଏ ହେଉଛି ବାଲିଅନ୍ତା ଭିଙ୍ଗାରପୁର ଶ୍ରୀବକ୍ରେଶ୍ବର ଉଚ୍ଚ ବିଦ୍ୟାଳୟର ଟପର୍‌ ସୁନିଲ ଖୁଣ୍ଟିଆଙ୍କ ବାପାଙ୍କ ମନର ବ୍ୟଥା।
ସୁନିଲଙ୍କ ବାପା ପ୍ରାଣକୃଷ୍ଣ ଜଣେ ଗରିବ ବ୍ୟକ୍ତି। ଘରଡିହକୁ ବାଦ୍‌ ଦେଲେ ଅନ୍ୟ କିଛି ବି ସମ୍ବଳ ନାହିଁ। ରଙ୍ଗ କାମ ଓ ଅନ୍ୟାନ୍ୟ ଛୋଟମୋଟ କାମରୁ ଯେତିକି ରୋଜଗାର ହୁଏ, ସେତିକିରେ ଚାରି ପ୍ରାଣୀ କୁଟୁମ୍ବ ବଡ଼ କଷ୍ଟରେ ଚଳନ୍ତି। ସେଥିରେ ପୁଣି ବଡ଼ ଝିଅ ଯୁକ୍ତ ତିନିର ଛାତ୍ରୀ। ଅଭାବ ଯୋଗୁଁ ଫନିରେ ଭାଙ୍ଗି ପଡ଼ିଥିବା ଘର ଖଣ୍ଡିକ ବି ମରାମତି ହୋଇପାରୁନି। ଏମିତି ସ୍ଥିତିରେ ପୁଅ ସୁନିଲ ପାଇଛି ଗ୍ରେଡ୍‌ ଏ-୧। ଏଥିପାଇଁ ତାକୁ ସବୁ ଆଡ଼ୁ ପ୍ରଶଂସା ମିଳୁଛି। ସୁନିଲଙ୍କ ସଫଳତା ଖବର ପାଇଁ ମୋ ସ୍କୁଲ ଅଭିଯାନର ସଭାପତି କୈଳାଶ ଚନ୍ଦ୍ର ଆଚାର୍ଯ୍ୟ ଓ ଉପସଭାପତି ରମେଶ ଚନ୍ଦ୍ର ବିଶ୍ବାଳ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କିନ୍ତୁ ଖୁସି ହୋଇ ପାରୁନାହାନ୍ତି ବାପା ପ୍ରାଣକୃଷ୍ଣ। ସୁନିଲର ଇଚ୍ଛା କମର୍ସ ପଢ଼ି ବ୍ୟାଙ୍କ ପରିଚାଳକ ଚାକିରି ପାଇଁ ପ୍ରସ୍ତୁତ ହେବ। ପ୍ରାଣକୃଷ୍ଣ ଅଧିକ ପଢ଼ିନଥିଲେ ବି ଜାଣିଛନ୍ତି ଏଥିପାଇଁ ବହୁ ଅର୍ଥ ଆବଶ୍ୟକ ହେବ। ତେଣୁ ଏତେ ଟଙ୍କା ସେ ଯୋଗାଡ଼ କରିବେ କେମିତି ବୋଲି ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ସୁନିଲ ଭଳି ଗରିବ ମେଧାବୀ ଛାତ୍ରଟିର ଭବିଷ୍ୟତ ପାଇଁ ସହୃଦୟ ବ୍ୟକ୍ତିମାନଙ୍କ ସହଯୋଗର ହାତ ବଢ଼ି ଆସିବ ବୋଲି ସ୍ଥାନୀୟ ଲୋକେ ପ୍ରାଣକୃଷ୍ଣଙ୍କୁ ଭରସା ଦେଉଛନ୍ତି।

Share Now:

Kalinga News Beuro

Next Post

ଚନ୍ଦ୍ରଯାନ-୨ରେ ପ୍ରେରିତ ରୋଭର୍ ‘ପ୍ରଜ୍ଞାନ’ ଅତୁଟ ଅଛିକି ?

Sun Aug 2 , 2020
‘ନାସା’ର ନୂତନ ଫଟୋଚିତ୍ରକୁ ଅନୁଧ୍ୟାନ କରୁଛି ‘ଇସ୍ରୋ’ ବେଙ୍ଗାଲୁରୁ: ଗତବର୍ଷ ‘ନାସା’ ଉତ୍ତୋଳନ କରିଥିବା ଫଟୋଚିତ୍ରରୁ ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ଲ୍ୟାଣ୍ଡର୍ ବିକ୍ରମର ଭଗ୍ନାଂଶ ଚିହ୍ନଟ କରିଥିବା ଚେନ୍ନାଇ ଇଞ୍ଜିନିୟର୍ ଶାନମୁଗା ସୁବ୍ରମଣିୟାନ୍ ଏଇ ମେ ମାସରେ ‘ନାସା’ ରିଲିଜ୍ କରିଥିବା ନୂଆ ଫଟୋରୁ ରୋଭର୍‌ ପ୍ରଜ୍ଞାନ ସମ୍ବନ୍ଧରେ କିଛି ତଥ୍ୟ ପାଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନକୁ ଇ-ମେଲ୍ କରି ସେ କହିଛନ୍ତି ଯେ ‘ନାସା’ର ନୂଆ ‌ଫଟୋଚିତ୍ରରେ ‘ପ୍ରଜ୍ଞାନ’ […]
ଚନ୍ଦ୍ରଯାନ-୨-2020

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial