ନୂଆଦିଲ୍ଲୀ: କୋଭିଡ୍-୧୯ ଅନ୍ଲକିଙ୍ଗ୍ର ତୃତୀୟ ପର୍ଯ୍ୟାୟରେ ଅଗଷ୍ଟ ୫ ତାରିଖ ଠାରୁ ପୁଣି ଯୋଗ ଓ ଜିମ୍ନାସିୟମ୍ କେନ୍ଦ୍ର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ, ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଜାରି ମାର୍ଗଦର୍ଶିକା ଅନୁସାରେ କୋଭିଡ୍-୧୯ କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଥିବା ଯୋଗ ପ୍ରତିଷ୍ଠାନ ଓ ଜିମ୍ନାସିୟମ୍ କେନ୍ଦ୍ରଗୁଡ଼ିକ ଖୋଲିବାକୁ ଅନୁମତି ମିଳିବ ନାହିଁ। ନିବୁଜ ସ୍ଥାନମାନଙ୍କରେ ଥିବା ଜିମ୍ନାସିୟମ୍ ଓ ଯୋଗ ପ୍ରତିଷ୍ଠାନଗୁଡ଼ିକୁ ୬୫ ବର୍ଷରୁ ଅଧିକ ବୟସ୍କ ଲୋକ, ଏକାଧିକ ଶାରୀରିକ ସମସ୍ୟା ଭୋଗୁଥିବା ଲୋକ, ଅନ୍ତଃସତ୍ତ୍ଵା ମହିଳା ଏବଂ ୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଯେତେଦୂର ସମ୍ଭବ ବ୍ୟକ୍ତବିଶେଷ ଆପଣା ମଧ୍ୟରେ ଅନ୍ୟୂନ ୬ ଫୁଟ୍ ଦୂରତା ବଜାୟ ରଖିବା ଉଚିତ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। ମାସ୍କ ଓ ମୁଖାବରଣ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ, କସରତ ସମୟରେ ଯେଉଁମାନେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ପ୍ରତିରକ୍ଷାମୂଳକ ପଦକ୍ଷେପ ଭାବେ ସରକାର ସେମାନଙ୍କୁ ‘ଭାଇଜର୍’ ପିନ୍ଧିବାକୁ ଅନୁମତି ଦେଇଛନ୍ତି।
ଥରକୁ ଥର ହାତ ଧୋଇବା ଓ ହ୍ୟାଣ୍ଡ୍ ସାନିଟାଇଜର୍ ବ୍ୟବହାର ଉପରେ ଗୃହ ବ୍ୟାପାର ମନ୍ତ୍ରାଳୟ ଗୁରୁତ୍ୱାରୋପ କରିବା ସହ ଶ୍ୱାସପ୍ରଶ୍ୱାସ ସଂକ୍ରାନ୍ତ ସବୁ କାର୍ଯ୍ୟରେ ଭଦ୍ରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଗାଇଡ୍ଲାଇନ୍ରେ କୁହାଯାଇଛି, ଛିଙ୍କିବା/କାଶିବା ସମୟରେ ପାଟି ଓ ନାକ ଟିସ୍ୟୁ, କପଡ଼ା କିମ୍ବା କହୁଣିରେ ଢାଙ୍କି ରଖନ୍ତୁ। ଟିସ୍ୟୁ ବ୍ୟବହାର କରୁଥିଲେ ତାହାକୁ ଠିକଣା ସ୍ଥାନରେ ଫିଙ୍ଗି ଦିଅନ୍ତୁ। ଫିଟ୍ନେସ୍ କାର୍ଯ୍ୟକଳାପ ଲାଗି କେନ୍ଦ୍ରରେ ପ୍ରତି ବ୍ୟକ୍ତିବିଶେଷଙ୍କ ପାଇଁ ୪ ବର୍ଗ ମିଟର ସ୍ଥାନ ରଖିବାକୁ ଜିମ୍ନାସିୟମ୍ ଓ ଯୋଗ ପ୍ରତିଷ୍ଠାନର ମାଲିକ ଓ ପରିଚାଳକମାନଙ୍କୁ କୁହାଯାଇଛି। ଉପକରଣ ଏବଂ ମେସିନ ସବୁ ୬ ଫୁଟ୍ ବ୍ୟବଧାନରେ ରଖାଯିବା ଉଚିତ। କେନ୍ଦ୍ର ବାହାରେ ଜାଗା ଥିଲେ ସେଠାରେ ବ୍ୟକ୍ତି ବିଶେଷକଙ୍କ ବ୍ୟାୟାମ ପାଇଁ ସୁବିଧା କରିପାରିଲେ ଉତ୍ତମ। ଫ୍ଲୋର୍ କିମ୍ବା ୱାଲ୍ ମାର୍କିଙ୍ଗ୍ ବ୍ୟବହାର କରି କେନ୍ଦ୍ର ପରିସରର ପ୍ରବେଶ ଓ ପ୍ରସ୍ଥାନ ପଥ ନିର୍ଦ୍ଧାରଣ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।