ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ: ମୃତ୍ୟୁରେ ବି ନମ୍ବର ୱାନ୍

ଗଞ୍ଜାମ: କରୋନାର ଛଞ୍ଚାଣ ସମ ପଞ୍ଝାରେ ପଡ଼ିଛି ଗଂଜାମ। ପ୍ରତିଦିନ ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି, ମୃତ୍ୟୁରେ ବି ୧ ନମ୍ବର। ଗତ ୨୪ ଘଣ୍ଟାରେ ଏଇ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ସର୍ବାଧିକ ୨୧୬ ସଂକ୍ରମିତ। ୩ ଜଣଙ୍କର ଜୀବନ ବି ଯାଇଛି। ଆଜିର ତଥ୍ୟକୁ ମିଶାଇଲେ ଏଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨୦୬୬ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବି ଦୃତ ଗତିରେ ବଢ଼ି ୨୦ ଛୁଇଁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩୦ଟି ଯାକ ଜିଲ୍ଲାରେ ମୋଟ୍ ୮୬୦୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କେବଳ ଗଞ୍ଜାମରେ ତା ମଧ୍ୟରୁ ଚାରି ଭାଗରୁ ଭାଗେ ଅଛନ୍ତି। ଗତ ମାସକର ତଥ୍ୟକୁ ହିସାବ କଲେ, ଜୁନ୍ ୪ରେ ଗଂଜାମରେ ଆକ୍ଟିଭ୍ କେସ୍ ଥିଲା ମାତ୍ର ୫୪୪। ୧୦ ଦିନ ପରେ ଅର୍ଥାତ୍ ଜୁନ୍ ୧୫ ପରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ଧିମା ଥିଲେ ବି ୬ ଜଣଙ୍କର କିନ୍ତୁ ଜୀବନ ଯାଇ ସାରିଥିଲା। ପରବର୍ତ୍ତୀ ୧୦ ଦିନରେ ଅର୍ଥାତ୍ ଜୁନ୍ ୨୫ରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଡବଲ୍ ହୋଇ ୧୧୩୮ରେ ପହଞ୍ଚିଥିଲା, ଓ ମୃତ୍ୟୁ ସଂଖ୍ୟା ଛୁଇଁଥିଲା ୮ । ହେଲେ ତା ପରବର୍ତ୍ତୀ ସପ୍ତାହରେ ଭୟଙ୍କର ରୂପ ନେଇଥିଲା ମହାମାରୀ। ଏହି ସମୟ ଭିତରେ ୯୦୦ରୁ ଅଧିକ ସଂକ୍ରମିତ ହେବା ସହ ଆଉ ୧୨ ମୁଣ୍ଡ ଗଡ଼ିଛି। ଯାହାକି ରାଜ୍ୟ ସରକାରଙ୍କ ପାଇଁ ଗୁରୁତର ସମସ୍ୟା ହୋଇଛି। ତେବେ ସେଠି ଗୋଷ୍ଠୀ ସଂକ୍ରମଣ ହୋଇନି ବରଂ କଣ୍ଟାକ୍ଟ ଟ୍ରେସିଂରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା।
କରୋନାର ବିସ୍ଫୋରକ ମୋଡରେ ପହଞ୍ଚିଥିବା ଗଂଜାମ ଜିଲ୍ଲାରେ ହଟ୍‌ସ୍ପଟ୍ ପାଲଟିଛି ବ୍ରହ୍ମପୁର ସହର। ବିଏମ୍ସିର ସଦ୍ୟ ତଥ୍ୟ ଅନୁସାରେ ସହରରେ ଡୋର୍ ଟୁ ଡୋର୍ ସର୍ଭେବେଳେ ସଂଗୃହୀତ ୨୧୭ଜଣ ସନ୍ଦିଗ୍ଧଙ୍କ ନମୁନାରୁ ୬୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣେ ସଠିକ୍ କୋଭିଡ୍ ନିୟମ ପାଳନ ହେଉନଥିବାରୁ ଖପ୍ପା ହୋଇଛି ଜିଲ୍ଲା ପ୍ରଶାସନ। ନିଜେ ଜିଲ୍ଲାପାଳ କମାପଲ୍ଲୀ ଛକ ମାଛ ମାର୍କେଟର ଏକ ଫଟୋ ଛାଡ଼ି ସେଠି କେମିତି ଶିକ୍ଷିତ ଲୋକମାନେ ସାମାଜିକ ଦୂରତ୍ୱ ନମାନିବା ସହ ମାସ୍କ ପିନ୍ଧିନଥିଲେ ତାର ଚିତ୍ର ଦେଖାଇଛନ୍ତି। ସେହିପରି ଗୋପାଳପୁର ଥାନା ଅଞ୍ଚଳରେ ବିନା ଅନୁମତିରେ ଏକ ହୋଟେଲରେ ବାହାଘର ପ୍ରୋସେସନ ଆୟୋଜନ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଥିବା ନିଜେ ବ୍ରହ୍ମପୁର ଏସ୍‌ପି ଟ୍ୱିଟ୍ କରି ଜଣାଇଛନ୍ତି। ସେହିଭଳି ବିବାହ ଆଇନ୍ ଉଲ୍ଲଂଘନ କଲେ ପୁରୋହିତଙ୍କ ବିରୋଧରେ ବି ମାମଲା ରୁଜୁ ହେବ ବୋଲି ଜଣାଇଛନ୍ତି ଜିଲ୍ଲାପାଳ। ତାସହ ଦୁଇ ଚକିଆ ଯାନ ଘରଠୁ ୧ କିଲୋମିଟର ଆଗକୁ ଯାଇ ପାରିବେ ନାହିଁ ବୋଲି ବି କଟକଣା ଜାରି ହୋଇଛି। ସେପଟେ ଗଂଜାମ ଜିଲ୍ଲାରେ କରୋନା ସ୍ଥିତି ସଂଭାଳିବାକୁ ଦୁଇ ଜଣ ଆଇଏଏସ ଓ ୬ଜଣ ଓଏଏସଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଛତ୍ରପୁର ଉପଖଣ୍ଡ ଏଡିଏମ୍ ଭାବେ କରୋନା ପରିଚାଳନା ଦାୟିତ୍ୱରେ ରହିବେ ଆଇଏଏସ ପାରୁଲ ପଟାୱାରୀ। ସେହିପରି ଭଂଜନଗର ଉପଖଣ୍ଡ ଦାୟିତ୍ୱ ସଂଭାଳିବେ ବିଶାଲ ସିଂହ।

Share Now:

Kalinga News Beuro

Next Post

ପୁଣି କଟକରୁ କରୋନା: ଶିଶୁ ଭବନରୁ ଜଣେ ଶିଶୁ ସହିତ ଏସସିବିରୁ ୧୧ ଜଣ ପଜିଟିଭ ଚିହ୍ନଟ

Mon Jul 6 , 2020
ପୁଣି କଟକରୁ କରୋନା: ଶିଶୁ ଭବନରୁ ଜଣେ ଶିଶୁ ସହିତ ଏସସିବିରୁ ୧୧ ଜଣ ପଜିଟିଭ ଚିହ୍ନଟକଟକ: ପୁଣି କଟକରୁ ବାହାରିଲା କରୋନା। କଟକ ଶିଶୁ ଭବନରୁ ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏସସିବି ମେଡିକାଲରୁ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧ ମଧ୍ୟରେ ୪ ଜଣ ଆଇସୋଲେସନ୍ ୱାର୍ଡର ଥିବା ବେଳେ ଅନ୍ୟ ୭ ଜଣ ମେଡିକାଲର କର୍ମଚାରୀ ହୋଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial