ବ୍ରିଟେନ୍‌ରେ କରୋନାର ଭୟଙ୍କର ରୂପ: ଅଣାୟତ୍ତ ହେଉଛି ନୂଆ ଭାଇରସ

ବ୍ରିଟେନ୍‌ରେ କରୋନାର ଭୟଙ୍କର ରୂପ

ଲଣ୍ଡନରେ ପୁଣି ଲକ୍‌ଡାଉନ୍, ବିମାନ ସେବା ବ୍ୟାହତ, ଦିଲ୍ଲୀରେ ଜରୁରୀ ବୈଠକ ଆଜି

ନୂଆଦିଲ୍ଲୀ/ଲଣ୍ଡନ: ବ୍ରିଟେନ୍‌ରେ ନୂଆ ରୂପରେ ଫେରିଛି କରୋନା ଭାଇରସ୍‌। ଏହା ଭୟଙ୍କର ରୂପ ନେଇ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାଇରସ ଅଣାୟତ୍ତ ହୋଇଥିବାରୁ ବ୍ରିଟେନରେ ରବିବାର ଠାରୁ ପୁଣି ଲକ୍ ଡାଉନ୍ ଘୋଷଣା କରାଯାଇଛି। ନୂଆ ଭାଇରସ ଆତଙ୍କ ଯୋଗୁଁ ଜର୍ମାନୀ, ନେଦରଲାଣ୍ଡ ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ବ୍ରିଟେନ ସହିତ ଯାତ୍ରୀ ବିମାନ ସେବାକୁ ବାତିଲ କରିଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଏଭଳି କଟକଣା ଜାରି କରିପାରେ ବୋଲି ସୂଚନା ମିଳିଛି। ତେବେ ଏସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜରୁରୀ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ସ୍ବାସ୍ଥ୍ୟ ସେବାର ମହାନିର୍ଦ୍ଦେଶକ ଅଧ୍ୟକ୍ଷତା କରିବେ। ଏଥିରେ ଅନେକ ବରିଷ୍ଠ ଅଧିକାରୀଙ୍କ ସମେତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭାରତ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଲଣ୍ଡନରୁ ମିଳିଥିବା ରିପୋର୍ଟ ଅନୁଯାୟୀ ନୂଆ କରୋନା ଭାଇରସ ଅଣାୟତ୍ତ ହେଉଥିବାରୁ ସରକ‌ାର କଠୋର ପଦକ୍ଷେପ ନେଇଛନ୍ତି। ଲଣ୍ଡନ ସମେତ ସମଗ୍ର ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଲଣ୍ଡନର ସମସ୍ତ ଅଞ୍ଚଳରେ ୩୦ ଡିସେମ୍ବର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଏହିସବୁ ଅଞ୍ଚଳରେ ବଡ଼ଦିନ ଉତ୍ସବ ଫିକା ପଡ଼ିବ। ବଡ଼ଦିନ ପାଇଁ ପରିବ‌ାର ସମାବେଶ ଉପରେ କଟକଣା ଜାରି କରାଯାଇଛି। ଅଦରକାରୀ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ। କଟକଣା ଯୋଗୁଁ ଦେଶର ୩୧ ଭାଗ ଲୋକ ପ୍ରଭାବିତ ହେବେ। ତେବେ ଅନ୍ୟ ଅଞ୍ଚଳରେ ବଡ଼ଦିନ ଉତ୍ସବ ଜାରି ରହିବ।
ନୂଆ ରୂପରେ ଆସିଥବା କରୋନା ଭାଇରସ୍‌ ନେଇ ବ୍ୟାପକ ଗବେଷଣା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏହାର ପ୍ରତିକାର କିଭଳି କରାଯିବ ସେ ନେଇ କୌଣସି ଫଳପ୍ରଦ ମାର୍ଗ ବାହାରି ନାହିଁ। କରୋନାର ଏହି ପରିବର୍ତ୍ତିତ ରୂପ ‌କିଭଳି ଓ କେଉଁ ପରିସ୍ଥିତିରେ ହେଲା ସେ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗବେ‌ଷଣା ଜାରି ରଖିଛି। ନୂଆ କରୋନା ଭାଇରସ୍‌ ମୂଳ ଭାଇରସ୍‌ଠାରୁ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ବ୍ରିଟେନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସୁରକ୍ଷା ସଂକ୍ରାନ୍ତ ନୂତନ ନିର୍ଦ୍ଦେଶାବଳି ଜାରି ହୋଇଛି। ବ୍ରିଟେନ୍‌ରେ ଏବେ ଟିକାକରଣ ଜାରି ରହିଥିବା ବେଳେ ନୂଆ କରୋନା ଭୂତାଣୁ ଯୋଗୁଁ ଉପୁଜୁଥିବା ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା କ୍ଷେତ୍ରରେ ଏହା କେତେଦୂର ସହାୟକ ହେବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ‌ଯେ ପ୍ରଭାବୀ ଟିକା ନଆସିବା ପର୍ଯ୍ୟନ୍ତ ଏଭଳି କଟକଣା ଜାରି ରହିପାରେ। ନୂଆ କରୋନା ଭାଇରସ ଯୋଗୁ ଜର୍ମାନୀ, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍‌ ସମେତ ବିଭିନ୍ନ ରାଷ୍ଟ୍ର ବ୍ରିଟେନ୍‌ ସହିତ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି। ପଡ଼ୋଶୀ ଦେଶଗୁଡ଼ିକ ସହିତ ବ୍ରିଟେନ୍‌ର ଟ୍ରେନ୍‌ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି।

Share Now:

Kalinga News Beuro

Next Post

କଂଗ୍ରେସ ଆରମ୍ଭ କଲା ଚାରି ରାଜ୍ୟର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା

Mon Dec 21 , 2020
ନୂଆଦିଲ୍ଲୀ: ତେଲେଙ୍ଗାନା, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସ ଶୀର୍ଷ ନେତୃତ୍ବ ଏହି ୪ ରାଜ୍ୟର ନେତୃମଣ୍ଡଳୀ ଏବଂ ବିଦ୍ରୋହୀ ନେତାଙ୍କ ସହ ଆଲୋଚନା କରି ନେତୃତ୍ବ ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତେଲେଙ୍ଗାନା କଂଗ୍ରେସ ସଭାପତି ଉତ୍ତମ କୁମାର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଦଳର ଖରାପ ପ୍ରଦର୍ଶନ […]
କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial