କଟକ ଜିଲ୍ଲାରେ ବିଚିତ୍ର ବ୍ୟବସ୍ଥା: ପରୀକ୍ଷା ନକରି ବି ରିପୋର୍ଟ‌ ପଜିଟିଭ୍‌

ପରୀକ୍ଷା ନକରି ବି ରିପୋର୍ଟ‌ ପଜିଟିଭ୍

କ୍ଷୀର ବିକି ଚଳୁଥିଲେ, ଏବେ କେହି କିଣୁ ନାହାନ୍ତି

କଟକ: କରୋନା ପରୀକ୍ଷା କରାଯାଇନାହିଁ। ମାତ୍ର ରିପୋର୍ଟ ଆସିଲା ପଜିଟିଭ୍‌। କିଛି ଦିନ ତଳେ ସଦର ଅଞ୍ଚଳରେ ଏଭଳି ଏକ ଅଭିଯୋଗ ଆସିଥିବା ବେଳେ ସିଏମସି ୧ ନମ୍ବର ୱାର୍ଡର ବିଡ଼ାନାସୀ, ବାଉରିସାହି ଶୌଚାଳୟ ଲେନ୍‌ରେ ପୁଣି ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳର ‌ଜଣେ ମହିଳାଙ୍କ କରୋନା ପରୀକ୍ଷା କରାଯାଇ ନଥିବା ବେଳେ ତାଙ୍କୁ କରୋନା ହୋଇଥିବା ରିପୋର୍ଟରେ ଲେଖା ଯାଇଛି। ମହିଳାଙ୍କ ୬ ବର୍ଷର ପୁଅ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମହିଳାଜଣକ ପୁଅର ଦେଖାଶୁଣା କରିବାକୁ କୋଭିଡ୍‌ କେୟାର ସେଣ୍ଟର୍‌ରେ ଥିଲେ। ଘରକୁ ଫେରିବା ସମୟରେ ସେଣ୍ଟର୍‌ରୁ ଦିଆଯାଉଥିବା ଡିସ୍‌ଚାର୍ଜ ରିପୋର୍ଟରେ ମହିଳାଜଣକ କରୋନା ପଜିଟିଭ୍‌ ଥିବା ଲେଖି ଦିଆଯାଇଥିଲା। ମହିଳାଙ୍କର କେବେ ବି କରୋନା ପରୀକ୍ଷା କରାଯାଇ ନଥିବା ବେଳେ ଏଭଳି ରିପୋର୍ଟ କେମିତି ଦିଆଗଲା ବୋଲି ସନ୍ତୋଷୀ ଦାସ ପ୍ରଶ୍ନ କରିଛନ୍ତି।
ସୂଚନା ଅନୁଯାୟୀ, ସନ୍ତୋଷୀଙ୍କ ପରିବାରରେ ୬ଜଣ ‌ପିଲା ଅଛନ୍ତି। ଗତ ମାସ ୧୯ତାରିଖରେ ଜଣେ ଆଶାଦିଦି ଘରକୁ ଆସି ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ପରିବାରର କାହାଠାରେ ଥଣ୍ଡା କିମ୍ବା ଜ୍ବରର ଲକ୍ଷଣ ଦେଖିବାକୁ ପାଇ ନଥିଲେ। ମାତ୍ର ପରିବାରର ୫ଜଣ ପିଲାଙ୍କ ନାମକୁ ତାଲିକାରେ ଲେଖିଥିଲେ। ପରିବାର ଲୋକେ ଏହାକୁ ବିରୋଧ କରିବାରୁ ‘ଉପରୁ ପ୍ରେସର ପଡୁଛି, ଯେମିତି ହେଲେ କାହାର ନାମ ଲେଖିବାକୁ ପଡ଼ିବ’ ବୋଲି ଆଶାଦିଦି କହିଥିଲେ ବୋଲି ଶ୍ରୀମତୀ ଦାସ କହିଛନ୍ତି। ପରେ ୨୧ ତାରିଖରେ ୫ଜଣ ପିଲାଙ୍କ ପରୀକ୍ଷା କରିବା ପାଇଁ ଚାଉଳିଆଗଞ୍ଜକୁ ଆସିବାକୁ ଫୋନ୍‌ରେ କୁହାଯାଇଥିଲା। ସେହି ଦିନ ସବୁ ପିଲାଙ୍କ ପରୀକ୍ଷା କରାଯାଇଥିବା ବେଳେ ୨୩ ତାରିଖରେ ୫ ଜଣଙ୍କ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ ଥିବାର ସୂଚନା ଦିଆଗଲା। ୨୩ ତାରିଖ ସଂଧ୍ୟାରେ ସିଏମ୍‌ସି ଓ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, କର୍ମଚାରୀ ପ୍ରମୁଖ ପିଲାକୁ ନେବାକୁ ଆସିଥିଲେ। ପ୍ରଥମେ ତାଙ୍କ ପୁଅ ଏକୁଟିଆ ଯିବାକୁ ରାଜି ହୋଇନଥିଲା। ଶେଷରେ ମା’ ସନ୍ତୋ‌‌ଷୀଙ୍କ ସହ ଯିବାକୁ ରାଜି ହୋଇଥିଲା। ମା’ ଓ ପୁଅଙ୍କୁ ବିଦ୍ୟାଧରପୁର କୋଭିଡ୍‌ କେୟାର ସେଣ୍ଟର୍‌ରେ ରଖାଯାଇଥିଲା। ସେଣ୍ଟର୍‌ରେ ୮ ଦିନ ରହିବା ପରେ ସନ୍ତୋଷୀ ଓ ତାଙ୍କ ପୁଅକୁ ୩୦ ତାରିଖରେ ଘରକୁ ପଠାଇ ଦିଆଗଲା। ଫେରିବା ସମୟରେ ସେଣ୍ଟର୍‌ ପକ୍ଷରୁ ଦୁଇଟି ଡିସ୍‌ଚାର୍ଜ ରିପୋର୍ଟ ଦିଆଗଲା। ଗୋଟିକରେ ପୁଅ କରୋନା ପଜିଟିଭ୍‌ ଥିବାର ଦର୍ଶାଯାଇଥିବା ବେଳେ ଆଉ ଗୋଟିକରେ ସନ୍ତୋଷୀ କରୋନା ପଜିଟିଭ୍‌ ଥିବାର ଲେଖାଯାଇଛି। କରୋନା ପରୀକ୍ଷା ପାଇଁ ପୂର୍ବରୁ କେବେ ବି ସ୍ବାବ୍‌ କିମ୍ବା ରକ୍ତ ଦେଇ ନଥିବା ବେଳେ ସେ କେମିତି ପଜିଟିଭ ହେଲେ ବୋଲି ସନ୍ତୋଷୀ ପ୍ରଶ୍ନ କରିଥିଲେ। ମାତ୍ର ସେଣ୍ଟ‌ର୍‌ର କର୍ମଚାରୀ ତାଙ୍କ କଥାକୁ ଶୁଣି ନଥିଲେ କି କୌଣସି ଉତ୍ତର ଦେଇନଥିଲେ। ପାରୀକ୍ଷା କରା ନଯାଇ ତାଙ୍କୁ କରୋନା ଆକ୍ରାନ୍ତ ଦର୍ଶାଯିବାକୁ ନେଇ ସେ ଓ ତାଙ୍କ ପରିବାର ସଦସ୍ୟ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସନ୍ତୋଷୀ ଅଭିଯୋଗ କରିଛନ୍ତି। କ୍ଷୀର ବିକ୍ରି କରି ଚଳୁଥିବା ତାଙ୍କ ପରିବାରଠାରୁ ଏବେ କେହି କ୍ଷୀର ନେଉନାହାନ୍ତି। ପ୍ରତିଦିନ ୪୫ ଲିଟରରୁ ଅଧିକ କ୍ଷୀର ନଷ୍ଟ ହେଉଥିବା ବେଳେ ଗାଈଙ୍କୁ ଦାନା ଦେବାକୁ ଟଙ୍କାର ଅଭାବ ପଡ଼ିଲାଣି ବୋଲି ସନ୍ତୋଷୀଙ୍କ ସ୍ବାମୀ ପ୍ରଦୀପ କହିଛନ୍ତି। ପ୍ରଶାସନର ଏଭଳି ବେପରୱା କାମ ଯୋଗୁଁ ତାଙ୍କ ପରିବାରକୁ ଏକପ୍ରକାର ବାସନ୍ଦ କରି ଦିଆଯାଇଥିବା ସନ୍ତୋଷୀ କ୍ଷୋଭର ସହ କହିଛନ୍ତି।

Share Now:

Kalinga News Beuro

Next Post

ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ: ସେନା ମୁଖ୍ୟାଳୟ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି

Wed Aug 5 , 2020
ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥିନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର ସିଲେକ୍ସନ ବୋର୍ଡ ଗଠନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସବିଶେଷ ପ୍ରଶାସନିକ ନିର୍ଦ୍ଦେଶାବଳୀ ସଂପୃକ୍ତ ସମସ୍ତ ପ୍ରଭାବିତ ଅଧିକାରିଣୀଙ୍କୁ ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ସେମାନେ ସେମାନଙ୍କର ଆବେଦନପତ୍ର ବୋର୍ଡ […]
ଭାରତୀୟ ସେନାରେ ମହିଳା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial