ଚିନ୍ତା ବଢ଼ାଉଛି ସଲିଆସାହି: ବାହାରିଲେଣି ୧୧୨ କରୋନା ଆକ୍ରାନ୍ତ

ସାଲିଆସାହିରୁ କରୋନା ଆକ୍ରାନ୍ତ

ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକ ଅଧିକ ସଂକ୍ରମିତ: ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏଠାରୁ ପ୍ରାୟ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯାହା ରାଜଧାନୀ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ମଙ୍ଗଳବାର ସାଲିଆସାହିରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାର ୧୦ଜଣ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ୨୧ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଗଷ୍ଟ ମାସ ସାଲିଆସାହି ପାଇଁ ବିପଜ୍ଜନକ ହେବାକୁ ଯାଉଛି। ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଅବସ୍ଥା ସାଂଘାତିକ ହେବାର ଆଶଙ୍କା ଦେଖାଦେଇଛି। ସାଲିଆସାହିରେ ବିଏମ୍‌ସିର ୪ଟି ୱାର୍ଡ ଥିବାବେଳେ ଏଠାରେ ପ୍ରାୟ ୩୦ହଜାର ଘର ଅଛି। ତେଣୁ ଏଠାରେ ୧୧୨ କରୋନା ଆକ୍ରାନ୍ତ ସେତେ ବିପଜ୍ଜନକ ନୁହେଁ। ଏଠାରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନବଢ଼ିବ ସେଥିପାଇଁ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର୍ କରାଯାଇଛି। ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ସଙ୍ଗରୋଧରେ ରଖାଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଭୁବନେଶ୍ବର ଉତ୍ତର ଜୋନରେ ପ୍ରାୟ ୯୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଲିଆସାହିରୁ ୧୧୨ ଜଣ ଚିହ୍ନଟ ହୋଇଛନ୍ତି। ଏଠା‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ବାହାର ଜିଲ୍ଲାରୁ ଅଧିକ ଲୋକ ଏଠାକୁ ଆସୁଥିବାରୁ ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି। ବିଶେଷକରି ଗଞ୍ଜାମ, ନୟାଗଡ଼, ଗଜପତି ଆଦି ଜିଲ୍ଲାରୁ ବହୁ ଲୋକ ଏଠାରେ ରହୁଛନ୍ତି। ସେମାନେ କାମ ଅନ୍ବେଷଣରେ ଏଠାକୁ ପଳାଇ ଆସୁଥିଲେ ହେଁ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି। ଯେଉଁମାନେ ପରବର୍ତ୍ତୀ ସମୟରେ ଆକ୍ରାନ୍ତ ବୋଲି ଜଣାପଡ଼ୁଛନ୍ତି। ସେମାନେ ଏଠାକାର ବାସିନ୍ଦା ହୋଇଯାଇଥିବାରୁ ସାଲିଆସାହିରେ କରୋନା ଆକ୍ରାନ୍ତ ବୋଲି ଗଣା ହେଉଛନ୍ତି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ହଟ୍‌ସ୍ପଟ୍‌ ଜିଲ୍ଲା ଏବଂ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଆମେ ବାଧ୍ୟତାମୂଳକ ସଙ୍ଗରୋଧରେ ପଠାଇ ଦେଉଥିବାରୁ ସାଲିଆସାହି ଭିତରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନି କି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁନି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନଜରରେ ସାଲିଆସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ଅଛି। କିନ୍ତୁ ସାଲିଆସାହ‌ି ନିକଟବର୍ତ୍ତୀ ବସ୍ତିଗୁଡ଼ିକ ଏବେ କରୋନା କବଳରେ। ଏଠାରେ ଏବେବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିନି। ନୂଆପଲ୍ଲୀ ଅଞ୍ଚଳରେ ଯାଉଥିବା ବସ୍ତିଗୁଡ଼ିକ (ସାଲିଆସାହି ନିକଟବର୍ତ୍ତୀ) ଏବେ ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ଏଠାରେ ତ୍ରିନାଥ ନଗର ବସ୍ତିରୁ ପ୍ରାୟ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଣପତି ନଗରରୁ ୨୦ରୁ ଅଧିକ ଏବଂ ଗାନ୍ଧୀନଗର ବସ୍ତିରୁ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାବାଦ୍‌ ଜ‌ୟଦେବ ବିହାର ଓ ମେ’ ଫେୟାର ନିକଟସ୍ଥ ବସ୍ତିରୁ ପ୍ରାୟ ୩୦ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହିପରି ସାଲିଆସାହି ଚାରିକଡ଼ୁ ୧୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।

ସାଲିଆସାହି ଏବଂ ଏହି ସବୁ ବସ୍ତିବାସିନ୍ଦା ନିକଟସ୍ଥ ଇନ୍ଦ୍ରଧନୁ ମାର୍କେଟକୁ ଯାଉଥିବାବେଳେ କାମ ଅନ୍ବେଷଣରେ ନୂଆପଲ୍ଲୀ ଶ୍ରମିକ ହାଟରେ ଏକାଠି ହୁଅନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ହୁ ହୁ ହୋଇ ନବଢ଼ିବ ବୋଲି କହିହେବନି। କେବଳ ଏତିକି ନୁହେଁ, ଏହି ବସ୍ତିଗୁଡ଼ିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଙ୍ଗେ ସଙ୍ଗେ ବିଶୋଧନ ହେଉନଥିବା ଅଭିଯୋଗ ହେଉଛି। ଏପରିକି ବିଏମ୍‌ସି ସଙ୍ଗରୋଧ ଷ୍ଟିକର ମାରୁଥିଲେ ହେଁ ଲୋକଙ୍କ କାମ ଧନ୍ଦା ବନ୍ଦ ହୋଇଯାଉଥିବାରୁ ଅଧିକାଂଶ ଲୋକ ସଙ୍ଗରୋଧ ନିୟମ ମାନୁନାହାନ୍ତି। ଫଳରେ ରାଜଧାନୀର ଅନ୍ୟ ଅଞ୍ଚଳ ସମେତ ବିଭିନ୍ନ ବସ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏସବୁବାଦ୍ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ବସ୍ତିରେ ଅନେକଙ୍କ ଘରେ ଶୌଚାଳୟ ନାହିଁ। ତେଣୁ କେତୋଟି ଶୌଚାଳୟକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଏପରିକି କେତେକଙ୍କର ଶୌଚାଳୟ ଥିଲେ ବି ସେମାନେ ବାହାରେ ଝାଡ଼ା ପରିସ୍ରା କରୁଛନ୍ତି। ଫଳରେ ଏଥିରୁ ବି ସଂକ୍ରମଣ ହେବାର ଭୟ ଅଧିକ ରହୁଛି। ଏବେ ଅଗଷ୍ଟ ମାସରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ପରିମଳ ବ୍ୟବସ୍ଥାକୁ ନସଜାଡ଼ିଲେ ସ୍ଥିତି ସାଂଘାତିକ ହୋଇପାରେ।

Share Now:

Kalinga News Beuro

Next Post

କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୁଙ୍କ ଇସ୍ତଫା

Thu Aug 6 , 2020
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି। ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରିଶ ମୁର୍ମୁଙ୍କୁ ନୂଆ ସିଏଜି କରାଯାଇପାରେ। ତେବେ ରାଷ୍ଟ୍ରପତି ତାଙ୍କର ଇସ୍ତଫାକୁ ଗ୍ରହଣ […]
ଗିରୀଶ ମୁର୍ମୁଙ୍କ ଇସ୍ତଫା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial