ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର

puri-jagannath-temple-2020 Pathar gayab

ପୁରୀ : ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦକୁ ୧୯୨୦ କେଜି ଓଜନର ରୁପା ଦାନସୂତ୍ରରେ ଦେବେ। ଆବଶ୍ୟକ ଶାଗୁଆନ କାଠ ବି ଯୋଗାଇ ଦେବେ। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାରବିମର୍ଷ ଚଳାଇଛି। ବିଭିନ୍ନ ନିଯୋଗ ସହ ଆଲୋଚନା କରି ମତାମତ ଲୋଡ଼ିଛି। ଏ ସଂପର୍କିତ ପ୍ରସ୍ତାବ ପରିଚାଳନା କମିଟିରେ ଗୃହୀତ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଭକ୍ତ ଜଣକ ଗୁଜୁରାଟର ବୋଲି ଶୁଣିବାକୁ ମିଳିଛି। ଏହାଭିତରେ କିଛି ଡିଜାଇନ୍‌ ବି ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି। କିନ୍ତୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏ ସଂପର୍କରେ କିଛି ଜାଣିନଥିବା କହିଛି। ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କ ସୂଚନା ମୁତାବକ, ଗଣେଶ ପୂଜା ପୂର୍ବଦିନ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏକ ବୈଠକ ଡକାଯାଇଥିଲା। ଯେଉଁଥିରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଛତିଶାନିଯୋଗ ନାୟକ, ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରୀ ନିଯୋଗ, ସୁଆରବଡ଼ୁ ନିଯୋଗ, ଦେଉଳ କମାଣ୍ଡର, ତଢ଼ଉକରଣ, ଦେଉଳକରଣ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିରର କଳାହାଟ ଦ୍ୱାର, ବେହେରଣ ଦ୍ୱାର ଓ ଜୟବିଜୟ ଦ୍ୱାରରେ ରୁପା ଚାଦର ଲଗାଇବା ସଂପର୍କରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଏହି ତିନିଦ୍ୱାରରେ ପିତ୍ତଳର ଚାଦର ଦିଆଯାଇଛି। କେବଳ କଳାହାଟ ଦ୍ୱାରରେ ୦.୩ ମିମି ମୋଟେଇର ୩୦ କେଜି ରୁପା ଚାଦର ଲାଗିଛି। ଲାଗିଥିବା ପିତ୍ତଳ ନଷ୍ଟ ହୋଇଯାଇଥିବାରୁ ଦ୍ୱାର ଖୋଲିବାରେ ସମସ୍ୟା ସୃଷ୍ଟି ହେଉଛି। ଏହି ଦୃଷ୍ଟିରୁ ତିନିଦ୍ୱାରକୁ ସଂପୂର୍ଣ୍ଣ ନୂଆ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା। ଆଲୋଚନା ଅନୁଯାୟୀ, ତିନିଦ୍ୱାରକୁ ସଂପୂର୍ଣ୍ଣ ପିତ୍ତଳ ଚାଦରରେ ଆଚ୍ଛାଦିତ କରାଯିବ। ଏଥିପାଇଁ ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରୁ ସ୍ବତନ୍ତ୍ର ବର୍ମା ଟିକ୍‌ (ସ୍ବତନ୍ତ୍ର ଶାଗୁଆନ କାଠ) ଆସିବ। ୧୫ ଫୁଟିଆ ବର୍ମା ଟିକ୍‌ ସିଜିନ୍‌ଡ ହେବା ପରେ ଏଥିରେ କଳାହାଟ ଦ୍ୱାର, ବେହେରଣ ଦ୍ୱାର ଓ ଜୟ ବିଜୟ ଦ୍ୱାର ପାଇଁ କବାଟ ତିଆରି ହେବ। ପାରମ୍ପରିକ ଶୈଳୀରେ କବାଟର ଡିଜାଇନ୍‌ ପ୍ରସ୍ତୁତ ହେବ। ପରେ ଏଥିରେ ରୁପାର ଚାଦର ଦୁଇଫାଳିଆ ହୋଇ ଲାଗିବ। ଗୋଟିଏ ପାର୍ଶ୍ବର ରୁପାର ମାଟେଇ(ଗେଜ୍‌) ୧.୬୩ ଏମଏମ ରହିବ। ପ୍ରତିଦ୍ୱାରରେ ୬୪୦ କେଜି ଓଜନର ରୁପା ଲାଗିବ। ଯଦି ପ୍ରସ୍ତାବ ଗୃହୀତ ହୁଏ, ତେବେ ଖୁବଶୀଘ୍ର ବେହେରଣ ଦ୍ୱାର ଓ ଜୟବିଜୟ ଦ୍ୱାର କାମ ଆରମ୍ଭ ହୋଇଯିବ। କିନ୍ତୁ କଳାହାଟ ଦ୍ୱାର କାମ ଆସନ୍ତାବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ହେବ। କାରଣ ମହାପ୍ରଭୁ ରତ୍ନ ସିଂହାସନରେ ବିଜେ ସମୟରେ ଏହି ଦ୍ବାର କାମ ଅସମ୍ଭବ। ତିନିଦ୍ୱାରରେ ରୁପା ଲାଗିବା ପାଇଁ ଡିଜାଇନ୍‌ ତଥା ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ ହେବ। ବିଭିନ୍ନ ସୁନା କମ୍ପାନିମାନେ କିଛି ଡିଜାଇନ୍‌ ବି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ଶ୍ରୀ ପୂଜାପଣ୍ଡା କହିଛନ୍ତି। କିନ୍ତୁ ଅନ୍ୟଦ୍ୱାରରେ ରୁପା ଚାଦର ଲାଗିବା ନେଇ ଯେଉଁ ଆଲୋଚନା ହେଉଛି ତାହା ମିଥ୍ୟା। ଏ ସଂପର୍କରେ ବୈଠକରେ କିଛି ଆଲୋଚନା ହୋଇନି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି। ଏ ସଂପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, କେବଳ ଏ ସଂପର୍କରେ ଆଲୋଚନା ହୋଇଛି। ପ୍ରସ୍ତାବ ଭିତରେ ଏହା ସୀମିତ ରହିଛି, କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇନି। ପ୍ରସ୍ତାବ ଭିତରେ କଳାହାଟ ଦ୍ୱାର ସହ ବେହେରଣ ଓ ଜୟବିଜୟ ଦ୍ୱାରରେ ରୁପା ଚାଦର ଲାଗିବା ପ୍ରସଙ୍ଗ ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।

Share Now:

Kalinga News Beuro

Next Post

ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା

Fri Aug 28 , 2020
ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବରରେ ବା‌ସ କରୁଥିବା ଏକ ବିରଳ ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜିର ଦିନରେ ଆଣ୍ଡାମାନରେ ଉକ୍ତ ନିର୍ଦ୍ଦିଷ୍ଟ ବିରଳ ଜନଜାତି ଗୋଷ୍ଠୀର ମାତ୍ର ୫୦ ଜଣ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଏହି ୧୦ ଜଣ କରୋନା ସଂକ୍ରମିତ ଜନଜାତି ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ […]
ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial