ବେଣୀପୁର ଘେରିବନ୍ଧ ଭାଙ୍ଗିବା ଘଟଣା : ବିଳିବିଳି ହେଉଛନ୍ତି ବିଭାଗୀୟ ଯନ୍ତ୍ରୀ, କାଲି ଦାୟୀ କରିଥିଲେ ସରୀସୃପଙ୍କୁ; ଆଜି କହୁଛନ୍ତି ଗାଁ ଲୋକ ଦାୟୀ

ବେଣୀପୁର ଘେରିବନ୍ଧ

ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାର ଫଳ ଭୋଗୁଛନ୍ତି ଅଢେଇହଜାର ଲୋକ

କେନ୍ଦ୍ରାପଡ଼ା/ଡେରାବିଶ : କାମ ସରିବାର ମାତ୍ର ଆଠ ମାସ ଭିତରେ ସାଢେ଼ ଚାରି କୋଟିର ଡେରାବିଶ ବେଣୀପୁର ଘେରିବନ୍ଧ ଭାଙ୍ଗିବା ଘଟଣାକୁ ନେଇ ଗତକାଲି କେନ୍ଦ୍ରାପଡ଼ା ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତ ସାପ, ବେଙ୍ଗକୁ ଦୋଷ ଦେଇଥିଲେ। କହିଥିଲେ, ସରୀସୃପ ମାନେ କଣା କରିଦେବାରୁ ବନ୍ଧ ଭାଙ୍ଗିଗଲା। ନିର୍ବାହୀ ଯନ୍ତ୍ରୀଙ୍କ ଏପ୍ରକାର ଅଜବ ଯୁକ୍ତିକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଜି ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦେଶ୍ବର ବେହେରା ଆଉ ଗୋଟିଏ ପାଦ ଆଗକୁ ବଢ଼ିଯାଇଛନ୍ତି। ବନ୍ଧ ଭାଙ୍ଗିଯିବା ପାଇଁ ଗାଁ ଲୋକଙ୍କୁ ସେ ଦାୟୀ କରିଛନ୍ତି। କହିଛନ୍ତି, ସ୍ଥାନୀୟ ଲୋକ ଜାଗା ଛାଡ଼ିଲେ ନାହିଁ। ବନ୍ଧ ଚଉଡ଼ା ହେଇପାରିଲାନାହିଁ। ତେଣୁ ପାଣି ଯେତେବେଳେ ଆସିଲା, ବନ୍ଧ ନ ସମ୍ଭାଳି ଭାଙ୍ଗିଗଲା ବୋଲି ଶ୍ରୀ ବେହେରା ଯୁକ୍ତି ବାଢ଼ିଛନ୍ତି। ନାବାର୍ଡ ସହାୟତାରେ ଏହି ଘେରିବନ୍ଧ କାମ ହୋଇଥିଲା। ବେଣୀପୁର ଘେରୀବନ୍ଧ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ(ବୁରୁଜ ପୁନଃ ନିର୍ମାଣ ଓ ପଥର ପ୍ୟାକିଂ) ନାଁରେ ୪କୋଟି ୫୦ଲକ୍ଷ ୧୫ହଜାର ୧୭୦ଟଙ୍କା ଖର୍ଚ୍ଚ ହୋଇଥିଲା। ଜଳସମ୍ପଦ ବିଭାଗ ୨୦୧୮, ଡିସେମ୍ବର ୨୪ତାରିଖରୁ କାମ ଆରମ୍ଭ କରି ୨୦୧୯, ଡିସେମ୍ବର ୨୩ ତାରିଖରେ ଶେଷ କରିଥିଲାବେଳେ ନିର୍ମାଣ ଦାୟିତ୍ବ ଠିକାଦାର ବିନୟ ଭୂଷଣ ନାୟକଙ୍କୁ ଦିଆଯାଇଥିଲା। ମାତ୍ର ବର୍ଷକ ଭିତରେ ଶେଷ ହୋଇଥିବା ଏହି କାମ କିନ୍ତୁ ଏତେ ନିମ୍ନମାନର ହୋଇଥିଲା ଯେ ବିରୂପାରେ ଆସିଥିବା ପ୍ରଥମ ବନ୍ୟା ଜଳରେ ୧୦୦ଫୁଟ‌ରୁ ଅଧିକ ଆକାରର ବନ୍ଧ ଗତ ଶୁକ୍ରବାର ଭାଙ୍ଗିଯାଇଥିଲା। ଫଳରେ ବେଣୀପୁରର ୫ଟି ୱାର୍ଡର ଅଢେ଼ଇ ହଜାରରୁ ଅଧିକ ଲୋକ ଗଲା ତିନି ଦିନ ହେବ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଅତ୍ୟନ୍ତ ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗିଗଲା ବୋଲି ବେଣୀପୁରବାସୀ ଅଭିଯୋଗ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଘଟଣାର ତଦନ୍ତ କରିବା ପରିବର୍ତେ ଅତି ବିଚିତ୍ର ତଥା ଅଜବ ଯୁକ୍ତି ବାଢ଼ି ଉତ୍ତରଦାୟିତ୍ବ ଖସାଇ ଦେବାରେ ମାତିଛନ୍ତି। ଗତକାଲି ବନ୍ଧ ଭାଙ୍ଗିବା ପାଇଁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ ସରୀସୃପକୁ ଦାୟୀ କରି ଚର୍ଚ୍ଚାକୁ ଆସିଥିଲେ। ଆଜି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ପଚରାଯିବାରୁ ସେ ସ୍ଥାନୀୟ ଲୋକଙ୍କ ମୁଣ୍ତକୁ ଦୋଷ ଠେଲି ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବନ୍ଧ ତିଆରି ପାଇଁ ଯେତିକି ଜାଗା ଦରକାର ଥିଲା, ସେତିକି ସେଠାରେ ନ ଥିଲା। ଲୋକମାନେ ବନ୍ଧ କାମ ବେଳେ ଜାଗା ଛାଡ଼ିଲେ ନାହିଁ। ଆମେ ତ ବ୍ୟକ୍ତିଗତ ଜମିକୁ କାହାର ଜବରଦସ୍ତ ନେଇପାରିବୁ ନାହିଁ। ତେଣୁ ବନ୍ଧ ଯେତିକି ଚଉଡ଼ା ହେବା କଥା, ହେଇପାରିଲା ନାହିଁ। ପାଣି ଆସିବାରୁ ଭାଙ୍ଗିଗଲା। କେବଳ ସେତିକି ନୁହେଁ, ମାଟି ପରିବର୍ତେ ନଈର ବାଲିମାଟିରେ ବନ୍ଧ ତିଆରି ହୋଇଥିବା ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ସେ ଏହାକୁ ଫାଙ୍କି ଦେବା ସହ ବାଲିରେ କଣ ବନ୍ଧ ହୁଏ? ଏମିତିକି, ଘଟଣାର ତଦନ୍ତ ହେବ କି ବୋଲି ପ୍ରଶ୍ନ ହେବାରୁ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୨ଟା ଘାଈ ପଡ଼ିଲାଣି, ସେସବୁର କଣ ତଦନ୍ତ ହେବ ବୋଲି କହି ଶ୍ରୀ ବେହେରା ଓଲଟା ପ୍ରଶ୍ନ କରିଥିଲେ। ଗୋଟିଏପଟେ ମାଟି ପରିବର୍ତ୍ତେ ବନ୍ଧ କଡ଼ ନଈରୁ ବାଲି ମାଟି ଅଣାଯାଇ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ବେଣୀପୁର ବାସୀ ଆରମ୍ଭରୁ ବରାବର ଅଭିଯୋଗ କରି ଆସୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଘଟଣାର ଯାଞ୍ଚ କଲେ ନାହିଁ। ଏବେ ଯେତେବେଳେ ମାତ୍ର ଆଠ ମାସରେ ବନ୍ଧ ଭାଙ୍ଗିଗଲା, ତାର ତଦନ୍ତ କରିବା ପରିବର୍ତ୍ତେ ଓଲଟା ବିଭାଗୀୟ ଯନ୍ତ୍ରୀମାନେ ଅଜବ ଯୁକ୍ତି ବାଢ଼ି ଉତ୍ତରଦାୟିତ୍ବ ଖସାଇଦେବା ଘଟଣା କେବଳ ସାଧାରଣ ଲୋକଙ୍କୁ ଆଚମ୍ବିତ କରିଛି ତା ନୁହେଁ, ପରୋକ୍ଷରେ ଠିକାଦାର-ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଅଭିଯୋଗକୁ ଅଧିକ ଦୃଢ଼ୀଭୂତ କରୁଛି।

Share Now:

Kalinga News Beuro

Next Post

ଲୁଚକାଳି ଖେଳିବା ବାହାନାରେ ୮ବର୍ଷିଅ ନାବାଳିକା ସହ ଦୁଷ୍କର୍ମ କଲେ ୭ଜଣ ନାବାଳକ

Mon Aug 31 , 2020
ଗିରଫ ପରେ କରୋନା ଆକ୍ରାନ୍ତ ଥିବା ୨ଅଭିଯୁକ୍ତ ଡାକ୍ତରଖାନାରେ ଭର୍ତ୍ତି ନୂଆଦିଲ୍ଲୀ: ଖେଳିବା ପାଇଁ ଡ଼ାକି ଜଣେ ନାବାଳିକାକୁ ଦୁୁଷ୍କର୍ମ କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ତ୍ରିପୁରାରେ ଘଟିଥିବା ବେଳେ ୭ଜଣ ନାବାଳକ ମିଶି ଦୁଷ୍କର୍ମ ଭଳି ଅପରାଧ କରିଥିବା ଜଣା ପଡ଼ିଛି। ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ କରି ପୁଲିସ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଛି। ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ […]
ଦୁଷ୍କର୍ମ କଲେ ୭ଜଣ ନାବାଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial