ବସ ଧକ୍କାରେ ଯୁବକ ମୃତ: ବସ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବସ ଧକ୍କାରେ ଯୁବକ ମୃତ

୫ ନମ୍ବର (କ) ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା, ଗମନାଗମନ ବାଧାପ୍ରାପ୍ତ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଛି। ଏହା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ସୂଚନା ଅନୁସାରେ ଆଜି ସକାଳୁ ୫ ନମ୍ବର (କ) ଜାତୀୟ ରାଜପଥରେ କୋଲକାତାରୁ ପାରାଦୀପ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଲୋକନାଥ (ଡବ୍ଲୁବି ୪୧ଇ ୬୦୧୨) ଏକ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଗାଁର ବାବୁଲି ନାୟକଙ୍କର ପୁଅ ବିକାଶ ନାୟକ (୨୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଜାତୀୟ ରାଜପଥ କଡ଼ରେ ସେ ପାନଦୋକାନ କରିଥିଲେ। ସେ ନିଜ ସ୍କୁଟିରେ ସଉଦା କିଣିବାକୁ ଯାଉଥିବା ବେଳେ ରଙ୍ଗ ରୁଟରେ ବସ ଆସି ମୁହାଁମୁହିଁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ବିକାଶଙ୍କର ମୃତ୍ୟୁ ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ବସକୁ ଅଟକାଇଥିଲେ। ସେମାନେ ବସକୁ ଭଙ୍ଗାରୁଜା କରିବା ସହିତ ଏଥିରେ ନିଆଁ ଲଗାଇ ଦେଇଥିଲେ। ଖବରପାଇ ୯ଟା ୩୦ରେ ମାର୍ଶାଘାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଦମକଳ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇଥିଲେ। ପୁଲିସ ବିକାଶର ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ପରେ ୫ ନମ୍ବର (କ) ଜାତୀୟ ରାଜପଥରେ ଶତାଧିକ ଗାଡ଼ ଅଟକି ରହିଛି। ଚଳାଚଳ ବାଧାପ୍ରାପ୍ତ ହୋଇଛି। ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Share Now:

Kalinga News Beuro

Next Post

ପାଟକୁରାର ଦୁଃଖ ସାବିତ୍ରୀ ଦେବୀ: ବିପଦ ବେଳେ ଦେଖା ନାହିଁ

Wed Sep 2 , 2020
ନିର୍ବାଚନମଣ୍ତଳୀ ବୁଝୁଛନ୍ତି ପୁଅ ସଞ୍ଜୟ କେନ୍ଦ୍ରାପଡ଼ା: ସ୍ତ୍ରୀ ସରପଞ୍ଚ, ସ୍ବାମୀ ପଞ୍ଚାୟତ ବୁଝାସୁଝା କରିବା କଥା ସମସ୍ତେ ଜାଣନ୍ତି। ରାଜ୍ୟରେ ଏମିତି ହଜାର ହଜାର ଉଦାହରଣ ରହିଛି। କିନ୍ତୁ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଜଣଙ୍କୁ ନିର୍ବାଚିତ କରିଥିବେ, ଅଥଚ ତାଙ୍କ ବଦଳରେ ଅନ୍ୟ ଜଣେ ନିର୍ବାଚନମଣ୍ତଳୀ କଥା ସମ୍ପୂର୍ଣ୍ଣ ବୁଝାସୁଝା କରିବା ଘଟଣା ରାଜ୍ୟ ରାଜନୀତିରେ ପ୍ରଥମ। ବାସ୍ତବରେ କିଏ ଲୋକ ପ୍ରତିନିଧି ଏବଂ କାହାକୁ ଭୋଟ୍‌ ଦେଇ ଲୋକେ […]
ପାଟକୁରାର ମୁରବି କିଏ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial