ପାଟକୁରାର ଦୁଃଖ ସାବିତ୍ରୀ ଦେବୀ: ବିପଦ ବେଳେ ଦେଖା ନାହିଁ

ପାଟକୁରାର ମୁରବି କିଏ

ନିର୍ବାଚନମଣ୍ତଳୀ ବୁଝୁଛନ୍ତି ପୁଅ ସଞ୍ଜୟ

କେନ୍ଦ୍ରାପଡ଼ା: ସ୍ତ୍ରୀ ସରପଞ୍ଚ, ସ୍ବାମୀ ପଞ୍ଚାୟତ ବୁଝାସୁଝା କରିବା କଥା ସମସ୍ତେ ଜାଣନ୍ତି। ରାଜ୍ୟରେ ଏମିତି ହଜାର ହଜାର ଉଦାହରଣ ରହିଛି। କିନ୍ତୁ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଜଣଙ୍କୁ ନିର୍ବାଚିତ କରିଥିବେ, ଅଥଚ ତାଙ୍କ ବଦଳରେ ଅନ୍ୟ ଜଣେ ନିର୍ବାଚନମଣ୍ତଳୀ କଥା ସମ୍ପୂର୍ଣ୍ଣ ବୁଝାସୁଝା କରିବା ଘଟଣା ରାଜ୍ୟ ରାଜନୀତିରେ ପ୍ରଥମ। ବାସ୍ତବରେ କିଏ ଲୋକ ପ୍ରତିନିଧି ଏବଂ କାହାକୁ ଭୋଟ୍‌ ଦେଇ ଲୋକେ ନିର୍ବାଚିତ କରିଥିଲେ, ତାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହେଲାଣି। ଏଭଳି ଦୃଶ୍ୟ ଉପାନ୍ତ ଇଲାକାର କୌଣସି ନିର୍ବାଚନମଣ୍ତଳୀର ନୁହେଁ, ବରଂ ରାଜ୍ୟ ରାଜନୀତିର ସବୁଠୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ତାହା ପୁଣି ବିଜେଡିର ଭେଟେରାନ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ୍‌ଙ୍କ ପାଟକୁରା ନିର୍ବାଚନମଣ୍ତଳୀରେ। ବେଦୁ ବାବୁଙ୍କ ବିୟୋଗ ପରେ ପାଟକୁରା ଉପନିର୍ବାଚନରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍‌ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ବିଜୟୀ ହେବା ପରଠାରୁ ବିଧାୟିକାଙ୍କୁ ଦେଖିବାକୁ ମିଳୁନାହିଁ। ଶିଳାନ୍ୟାସ ହେଉ କି ଉଦ୍‌ଘାଟନ ଅଥବା ସଭା/ସମିତି/ବୈଠକରେ ସାବିତ୍ରୀଙ୍କ ବଦଳରେ ତାଙ୍କ ପୁଅ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ୍‌ଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଧାୟିକା ଅନୁପସ୍ଥିତ ରହିବାର ନଜିର୍‌ ରହିଛି। ଏପରିକି, ଡିଆର‌୍‌ଡିଏରେ ଅନୁଷ୍ଠିତ ବହୁ ଗୁରୁତ୍ବପୂର୍ଣ୍ଣ ମିଟିଂ ଯେଉଁଠି ବିଧାୟକଙ୍କ ଉପସ୍ଥିତି ନିୟମାନୁଯାୟୀ ନିହାତି ଦରକାର, ସେଠି ଜିଲ୍ଲାର ଅନ୍ୟ ବିଧାୟକଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ପାଟକୁରା ବିଧାୟିକାଙ୍କ ସ୍ଥାନରେ କିନ୍ତୁ ପୁଅ ସଞ୍ଜୟ ହାଜର ହେଉଛନ୍ତି।
ବଡ଼ କଥା ହେଉଛି ଭଲ ବେଳେ ତ ଦେଖିବାକୁ ମିଳୁନଥିଲା, ଏବେ ବନ୍ୟା ବିପତ୍ତି ବେଳେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ ବି ବିଧାୟିକାଙ୍କୁ ଦେଖିବାକୁ ମିଳୁନାହିଁ। ଗତ ପ୍ରାୟ ସପ୍ତାହ ହେବ ପାଟକୁରା ନିର୍ବାଚନ ମଣ୍ତଳୀର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ୍‌ ଦେଖିବାକୁ ମିଳିଛି। ବେଣୀପୁର ପଞ୍ଚାୟତରେ ଭୟଙ୍କର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଘେରିବନ୍ଧା ଭାଙ୍ଗିଯିବାରୁ ୫ଟି ୱାର୍ଡର ଅଢେ଼ଇ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବେଣୀପୁରରେ ବନ୍ଧା ଭାଙ୍ଗିବା ପରେ ଶନିବାର ଅପରାହ୍ନରେ ସାଂସଦ ଅନୁଭବ ମହାନ୍ତି ସେଠାକୁ ଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ହିସାବରେ ବିଧାୟିକା ସାବିତ୍ରୀଙ୍କ ବଦଳରେ ପୁଅ ସଞ୍ଜୟଙ୍କୁ ସାଂସଦଙ୍କ ସହିତ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଏବେ ଲୋକ ତ ସିଧାସଳଖ ପ୍ରଶ୍ନ କଲେଣି,ଭୋଟ୍‌ ଦେଇ ଆମେ କାହାକୁ ନିର୍ବାଚିତ କରିଥିଲୁ, ସାବିତ୍ରୀ ନା ସଞ୍ଜୟଙ୍କୁ…? ସେପଟେ ‘ଆମ ବିଧାୟିକା ଗଲେ କୁଆଡେ଼ ? ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ଘୂରି ବୁଲୁଛି।

Share Now:

Kalinga News Beuro

Next Post

ଏଣିକି ବସ୍‌ ଚଳାଚଳ ସ୍ବାଭାବିକ ହେବ: ପରିବହନ ମନ୍ତ୍ରୀ

Wed Sep 2 , 2020
ବସ୍‌ ମାଲିକ ସଂଘ କହିଲା ଭୟ ଯୋଗୁ ଲୋକେ ବସକୁ ଆସୁନାହାନ୍ତି ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନ୍ୟପଟେ ରାଜ୍ୟ ଘରୋଇ ବସ୍‌ ମାଲିକ […]
ପରିବହନ ମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial