ମିଳିତ ଛାତ୍ରୀଛାତ୍ର ପରିଷଦ(ୟୁଏସଏଫ) ପକ୍ଷରୁ ବନ୍ୟା ପ୍ରପୀଡିତଙ୍କୁ ସହଯୋଗ

USF-2020 (1)

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ତଥା ବେଣୀପୁର ଗ୍ରାମରେ ଘେରି ବନ୍ଧ ଭାଙ୍ଗିଯିବାରୁ ବିରୂପା ନଦୀର ବନ୍ୟା ଜଳ ପଶିଛି। ଫଳରେ ଘେରି ଭିତରେ ଥିବା ୫ଟି ୱାର୍ଡର ୨୫୦୦ରୁ ଅଧିକ ଲୋକ ଓ ସେମାନଙ୍କ ଗୃହପାଳିତ ପଶୁପକ୍ଷୀ ନାନା ଅସୁବିଧାର ସମୁଖୀନ ହେଉଛନ୍ତି। ଗ୍ରାମରେ ଥିବା ସର୍ବ ପୁରାତନ ସ୍କୁଲ ଘର ସହିତ ସମସ୍ତ ଅସବାବପତ୍ର ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି। ଏହାଛଡା ଗ୍ରାମରେ ଥିବା ଅନେକ କଚ୍ଚାଘର ବନ୍ୟା ଜଳରେ ଭାଙ୍ଗିଯାଇଛି। ଗ୍ରାମ ଭିତରେ ପାଖାପାଖି ୨୦ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଫଳରେ ସମସ୍ତଙ୍କ ଘର ଭିତରେ ବନ୍ୟାଜଳ ପଶି ଅନେକ କ୍ଷୟ କ୍ଷତି କରିଛି। ଲୋକେ ଖାଦ୍ୟ ଓ ପାନୀୟ ଜଳର ସଙ୍କଟ ଭିତରେ ଗତିକରୁଛନ୍ତି। ଲୋକଙ୍କ ଏପରି ଦୁର୍ଦ୍ଦିନ ସମୟରେ ଇଉଏସଏଫ ତାର ନିଜର ଦାଇତ୍ୱ ଭାବରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛି। ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କୁ ବିସ୍କୁଟ , ପାଣି ବୋତଲ ଓ କିଛି ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଦୁର୍ଦ୍ଦିନ ସମୟରେ ଲୋକମାନଙ୍କ ପାଖରେ ଖାଦ୍ୟ ପୁଡିଆ,ପାନୀୟ ଜଳ ଓ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ପହଞ୍ଚାଇବା କାମରେ ନିୟୋଜିତ ଥିବା ଡଙ୍ଗା ଚାଳକ ସୁରେନ୍ଦ୍ର ଦଳେଇଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା। ଗ୍ରାମର ଅନେକ ଯୁବକ ଓ ପୁରାତନ ଛାତ୍ରମାନେ ସହଯୋଗର ହାତ ବଢ଼ାଇ ସୁବ୍ୟବସ୍ଥିତ ଭାବରେ ସମସ୍ତଙ୍କୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସୁନୀଲ କୁମାର ଦେଙ୍କ ଉପସ୍ଥିତିରେ ସାଧାରଣ ସମ୍ପାଦକ ବିଭୁଦତ୍ତ ତ୍ରିପାଠୀ ପରିଚାଳନା କରିଥିଲେ। ଯୁବନେତା ସୁଦୀପ୍ତ ସାମଲ, କିଶୋର ତ୍ରିପାଠୀ, ରଜତ ତ୍ରିପାଠୀ, ବିଶୁ ସାମଲ, ଚନ୍ଦ୍ରଶେଖର ସାମଲ, ରାମଚନ୍ଦ୍ର ମଳିକ ପ୍ରମୁଖ ବର୍ତ୍ତମାନର ସମସ୍ତ କରୋନା କଟକଣା ନିୟମ ମାନି ସାମାଜିକ ଦୂରତ୍ୱ ରକ୍ଷା କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

ତହସିଲ୍‌ କାର୍ଯ୍ୟାଳୟ ଭିତରୁ ତାଲା: ଉତ୍ତେଜନା ପରେ ଲାଗୁ ହେଲା ଟୋକନ ବ୍ୟବସ୍ଥା

Thu Sep 3 , 2020
ପୁରୁଣା ଭୁବନେଶ୍ବର : ଗତ କିଛି ଦିନ ହେଲା ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ଭିତରୁ ତାଲା ପଡ଼ୁଥିବାକୁ ନେଇ ଆଜି ଉତ୍ତେଜନା ଦେଖା ଦେଇଥିଲା। ଓକିଲ ଓ ସାଧାରଣ ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ ଗେଟ୍‌ ବନ୍ଦ ରହୁଥିବାରୁ ଲୟର୍ସ ଗୃପ ପକ୍ଷରୁ ବିରୋଧ କରାଯାଇଥିଲା। କିନ୍ତୁ କର୍ମଚାରୀମାନେ କର୍ଣ୍ଣପାତ ନ କରିବାରୁ ପାଟିତୁଣ୍ଡ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଟୋକନ୍ ବ୍ୟବସ୍ଥା ଲାଗୁ କରି ଗେଟ୍‌ […]
ତହସିଲ୍‌ କାର୍ଯ୍ୟାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial