୩୦% ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ ହୋଇପାରେ

ଛାଡ଼ ହୋଇପାରେ ୩୦% ସ୍କୁଲ ଫି

ଆନ୍ସିଲାରି ଫି’ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ପ୍ରସ୍ତାବ, ୧୪ରେ ହାଇକୋର୍ଟ ଶୁଣାଇବେ ଚୂଡ଼ାନ୍ତ ରାୟ

ଭୁବନେଶ୍ୱର : କୋଭିଡ୍‌-୧୯ ସମୟରେ ସ୍କୁଲ ଫି’ ଛାଡ଼କୁ ନେଇ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆପୋସ ସମାଧାନ ହୋଇଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲେ ମଧ୍ୟ ସର୍ବାଧିକ ୩୦% ସ୍କୁଲ ଫି’ ଛ‌ାଡ଼ କରିବାକୁ ସହମତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ ବିଚାରବିମର୍ଶ ପରେ ଏଭଳି ନିଷ୍ପତ୍ତି ହୋଇଛି। ସ୍କୁଲ ଫି’ ଛାଡ଼ ପାଇଁ ଘରୋଇ ସ୍କୁଲଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯିବା ସହ ଆଦାୟ କରାଯାଉଥିବା ଆନ୍ସିଲାରି ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ବି ପ୍ରସ୍ତାବ ଦିଆଯାଇଛି। ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଫି’ ଛାଡ଼ ନିଷ୍ପତ୍ତିକୁ ନେଇ ଗତ ୧୫ ଦିନ ହେଲା ଲଗାତାର ଭାବେ ବୈଠକ ବସିଥିଲା। ଗୋଟିଏ ପଟେ ଅଭିଭାବକ ସଂଘ ୫୦% ସ୍କୁଲ ଫି’ ଛାଡ଼ କରିବାକୁ ଦାବି କରୁଥିବା ବେଳେ ଅନ୍ୟପ‌ଟେ ଏହା ସମ୍ଭବପର ନୁହେଁ ବୋଲି ସ୍କୁଲ ସଂଘ ଯୁକ୍ତି ବାଢ଼ିଥିଲା। ଯେଉଁଥିପାଇଁ ଦୁଇ ସପ୍ତାହ ହେଲା ବିବାଦ ଛିଣ୍ଡୁ ନ ଥିଲା। ଶେଷରେ ରାଜସ୍ଥାନ ସରକାର ଯେଉଁ ଢାଞ୍ଚାରେ ସ୍କୁଲ ଫି’ ଛାଡ଼ କରିଛନ୍ତି ତାହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ୬ ହଜାରରୁ ଅଧିକ ଘରୋଇ ସ୍କୁଲ ରହିଛି। ଯେଉଁଥିରେ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଡେ’ ସ୍କଲାର, ଡେ’ ବୋର୍ଡିଂ, ରେସିଡେନ୍ସିଆଲ ସ୍କୁଲ ଅନ୍ତର୍ଭୁକ୍ତ ରହିଛନ୍ତି। ତାହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି। ଯେଉଁ ସ୍କୁଲ ଟ୍ୟୁସନ ଫି’ ବାବଦରେ ମାସିକ ୨୦୦ରୁ ୫୦୦ ଟଙ୍କା ଫି’ ନେଉଛନ୍ତି ସେମାନଙ୍କୁ ପ୍ରଥମ ବର୍ଗରେ ରଖାଯାଇଥିବା ବେଳେ ଦ୍ବିତୀୟ ବର୍ଗରେ ମାସିକ ୫୦୧ରୁ ୧୦୦୦ ଟଙ୍କା ଓ ତୃତୀୟ ବର୍ଗରେ ୧୦୦୦ରୁ ଅଧିକ ଟଙ୍କା ନେଉଥିବା ବିଦ୍ୟାଳୟ ରହିଛନ୍ତି। ‌ସେହି ଅନୁଯ‌ାୟୀ ବିଦ୍ୟାଳୟଗୁଡ଼ିକ ‘୦’ରୁ ୩୦% ପର୍ଯ୍ୟନ୍ତ ଫି’ ଛାଡ଼ ‌କରିବେ। ଆନ୍ସିଲାରି ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ବି ପ୍ରସ୍ତାବ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ମଧ୍ୟସ୍ଥତାରେ ଗତକାଲି ସମସ୍ତ ପକ୍ଷ ଯଥା କନ୍‌‌ଫ‌ଡରେସନ ଅଫ୍‌ ସ୍କୁଲ ଆସୋସିଏସନ, ଶିକ୍ଷକଙ୍କ ପ୍ରତିନିଧି, ଓଡ଼ିଶା ଅଭିଭାବକ ମହାସଂଘ ଉପସ୍ଥିତରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଗୋଟିଏ ପକ୍ଷ ଅନୁପସ୍ଥିତ ରହିଥିଲେ। ଆସନ୍ତା ୧୪ ତାରିଖରେ ହାଇକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଫି’ ଛାଡ଼ ନେଇ ଏକପ୍ରକାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ଗୋଟିଏ ପ‌କ୍ଷ ଏଥିରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ୨୦୨୦-୨୧ ଶିକ୍ଷାବର୍ଷରେ ଫି’ ବୃଦ୍ଧି ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଟ୍ୟୁସନ ଫି’ ଛାଡ଼ ହେବା ନେଇ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏଥିସହ ଫି’କୁ ନେଇ ଯେଉଁ ଅଭିଭାବକ ବିଭିନ୍ନ ସମୟରେ ସ୍ବର ଉଠାଇଥିଲେ ଏବଂ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାହାକୁ ଉଠାଇବା ଲାଗି ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଯେଉଁ ଅଭିଭାବକ କରୋନା ସମୟରେ ଫି’ ଦେଇସାରିଛନ୍ତି ସେମାନଙ୍କ କଥାକୁ ବିଚାରକୁ ନିଆ ନ ଯାଉ ବୋଲି ସରକାରଙ୍କୁ କହିଛନ୍ତି।

Share Now:

Kalinga News Beuro

Next Post

ଦଳ ଛାଡ଼ିଲେ ଟାଣୁଆ ନେତା ରଘୁବଂଶ

Fri Sep 11 , 2020
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟ୍‌କା ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟ ବିରୋଧୀ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) କୁ ଶକ୍ତ ଝଟ୍‌କା ଲାଗିଛି। ବରିଷ୍ଠ ଆର‌ଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଆଜି ଆର୍‌ଜେଡିରୁ ଇସ୍ତଫା ଦେଇଛନ୍ତି। ସିଂହ କହିଛନ୍ତି, କରପୁରୀ ଠାକୁରଙ୍କ ମୃତ୍ୟୁ ପରେ ସେ ଦୀର୍ଘ ୩୨ ବର୍ଷ ଧରି ଆର‌ଜେଡିକୁ ସମର୍ଥନ କଲେ। କିନ୍ତୁ […]
ଆର୍‌ଜେଡି ନେତା ରଘୁବଂଶ ପ୍ରସାଦ ସିଂହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial