ବିଏମ୍‌ସି ଅଧୀନକୁ ଆସିବନି ଗଙ୍ଗୁଆ : ପୁନରୁଦ୍ଧାର କରିବ ଡ୍ରେନେଜ୍‌ ଡିଭିଜନ୍‌

ବିଏମ୍‌ସି ଅଧୀନକୁ ଆସିବନି ଗଙ୍ଗୁଆ

ଭୁବନେଶ୍ବର: ସହରର ବର୍ଜ୍ୟଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ପ୍ରମୁଖ ମାଧ୍ୟମ ହୋଇଥିବା ଗଙ୍ଗୁଆ ନାଳ ଆଉ ବିଏମ୍‌ସି ଅଧୀନକୁ ଆସିବନି। ସହରର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଏହାକୁ ବିଏମ୍‌ସି ଅଧୀନକୁ ଆଣି ଏହାର ପୁନରୁଦ୍ଧାର କରିବା ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଫସର ଫାଟିଛି। ବିଏମ୍‌ସି ଚିଠି ଲେଖି ମନା କରିବାରୁ ଏହାକୁ ଏବେ ଡ୍ରେନେଜ୍‌ ଡିଭିଜନ୍‌ ପୁନରୁଦ୍ଧାର କରିବାକୁ ଯାଉଛି। ଏହାର ପୁନରୁଦ୍ଧାର ପାଇଁ ଡ୍ରେନେଜ୍‌ ଡିଭିଜନ୍‌ ଏକ ସ୍ବତନ୍ତ୍ର ପ୍ଲାନ୍‌ କରିଛି। ଖୁବ୍‌ଶୀଘ୍ର ଏହାର ପୁନରୁଦ୍ଧାର ହେବ ବୋଲି ଜଣାପଡ଼ିଛି।
ଜଳବନ୍ଦୀ ସମସ୍ୟା ସୁଧୁରିବା ନେଇ ଆଶଙ୍କା
ଉଲ୍ଲେଖଯୋଗ୍ୟ, ସହରରେ ୧୦ଟି ପ୍ରକୃତିକ ନାଳ ରହିଛି। ଏହି ପ୍ରାକୃତିକ ନାଳ ଜରିଆରେ ସହରରୁ ବର୍ଜ୍ୟଜଳ ନିଷ୍କାସିତ ହୁଏ। କିନ୍ତୁ ବର୍ଷ ବର୍ଷ ଧରି ଗଙ୍ଗୁଆ ନାଳ ସଫା ହେଉନଥିବାରୁ ସହରରୁ ବର୍ଜ୍ୟଜଳ ନିଷ୍କାସନ ହେବା ନେଇ ସମସ୍ୟା ହେଉଥିଲା। ଫଳରେ ସହର ଜଳବନ୍ଦୀ ହୋଇପଡ଼ୁଥିଲା। ଏହା ଜଳସମ୍ପଦ ଅଧୀନରେ ଥିବା ବେଳେ ଏହାର ଅଧିକାଂଶ ଭାଗ ବିଏମସି ଅଞ୍ଚଳରେ ରହୁଥିଲା। ଏହାର ପୁନରୁଦ୍ଧାର ଦାୟିତ୍ବ ଡ୍ରେନେଜ୍‌ ବିଭାଗ ନେଇଥିଲା। ସମନ୍ବୟ ଅଭାବରୁ ଏହାର ପୁନରୁଦ୍ଧାର ହୋଇ ପାରୁ ନଥିଲା। ଏହାର ପୁନରୁଦ୍ଧାର ହେଲେ ଯାଇ ସହରର ଜଳବନ୍ଦୀ ସମସ୍ୟା ଦୂର ହେବ ବୋଲି ଏକାଧିକ ସମନ୍ବୟ ବୈଠକରେ ଆଲୋଚନା ହୋଇଛି। ଦୀର୍ଘ ଦିନ ଧରି ଏଭଳି ସମସ୍ୟା ରହିବା ପରେ ୨୦୨୧ ମସିହାରେ ଏହାର ତର୍ଜମା ହୋଇଥିଲା। ତତ୍‌କାଳୀନ ବିଏମ୍‌ସି କମିସନର ସଞ୍ଜୟ ସିଂହ ଡ୍ରେନେଜ୍‌ ଡିଭିଜନ୍‌କୁ ଜଳ ନିଷ୍କାସନ ନ ହେବା କାରଣ ଖୋଜିବାକୁ ଚିଠି ଲେଖିଥିଲେ। ଡ୍ରେନେଜ୍‌ ଡିଭିଜନ୍‌ର ଇଞ୍ଜିନିୟରଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଏହି ସବୁ କାରଣ ଖୋଜିଥିଲା। ୨୦୨୨ ଏପ୍ରିଲ ୨୬ ତାରିଖରେ ବିଭାଗୀୟ ସମନ୍ବୟ ବୈଠକ ବସିଥିଲା। କେଉଁଠାରୁ କେଉଁ ପର୍ଯ୍ୟନ୍ତ ଭୁବନେଶ୍ବର ଡ୍ରେନେଜ୍‌ ଡିଭିଜନ୍‌ କରିବ ଓ କେଉଁ ପର୍ଯ୍ୟନ୍ତ କଟକ ଡ୍ରେନେଜ୍‌ ଡିଭିଜନ୍‌ କରିବ ସେ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଡ୍ରେନେଜ୍‌ ଡିଭିଜନ୍‌ କାମ ଆରମ୍ଭ ନ କରିବାରୁ ଶ୍ରୀ ସିଂହ ଜଳସମ୍ପଦ ବିଭାଗକୁ ଚିଠି ଲେଖିଥିଲେ। ଚିଠିକୁ ଆଧାର କରି ଜଳସମ୍ପଦ ବିଭାଗ ପକ୍ଷରୁ କଟକ ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା। ହେଲେ କାମ ହେଲା ନାହିଁ। ସବୁ ଯୋଜନା କେବଳ ଚିଠିରେ ସୀମିତ ରହିଲା। ବର୍ଷା ଦିନ ଯିବା ପରେ ସମସ୍ତେ ଭୁଲିଗଲେ। ଏହା ପରେ ଏହି ନାଳକୁ ବିଏମ୍‌ସି ନିଜ ଅଧୀନକୁ ନେଇ ପୁନରୁଦ୍ଧାର କରିବା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତାବ ଦେଲା। ଜଳସମ୍ପଦ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ସହ ବିଏମ୍‌ସି ନିୟନ୍ତ୍ରଣକୁ ନାଳ ଆସିବା ପାଇଁ ନିଷ୍ପତ୍ତି ହେଲା।
ନାଳରେ କେଉଁଠି କେତେ ଜବରଦଖଲ ଅଛି? କେଉଁଠି କେତେ ଓସାର ବା ଗଭୀର ଅଛି? ସହରରୁ ବାହାରୁଥିବା ବର୍ଜ୍ୟଜଳ ତୁରନ୍ତ ନିଷ୍କାସନ ହେବା ପାଇଁ ଏହା କେତେ ଓସାର ହେବା ଜରୁରୀ? ସହରରୁ ଆସିଥିବା ନାଳଗୁଡ଼ିକରୁ ପାଣି ମୁକ୍ତ ପ୍ରବାହ ହୋଇ ପାରୁଛି କି ନାହିଁ? ଏ ସବୁ ସର୍ଭେକ୍ଷଣ କରିବାକୁ ବିଏମ୍‌ସି ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲା। କିନ୍ତୁ ବିଏମ୍‌ସି ପାଖରେ ଡ୍ରେନେଜ୍‌ ଡିଭିଜନ୍‌ ଭଳି ମାନବସମ୍ବଳ ଓ କାରିଗରୀ କୌଶଳ ନ ଥିବାରୁ ବିଏମ୍‌ସି ନିଜ ଅଧୀନକୁ ନେବାକୁ ମନା କରି ଦେଇଥିଲା। ବିଏମ୍‌ସି ଚିଠି ଲେଖି ଏ ବାବଦରେ ଜଳସମ୍ପଦ ବିଭାଗକୁ ଅବଗତ କରାଇବା ପରେ ଡ୍ରେନେଜ୍‌ ଡିଭିଜନ୍‌ ଏହାର ପୁନରୁଦ୍ଧାର କରିବାକୁ ଯୋଜନା କରିଛି। କିନ୍ତୁ ପୂର୍ବରୁ ବିଭାଗ ଏଥିପାଇଁ ଉଦ୍ୟମ କରିନଥିବାରୁ ଏବେ କେତେଦୂର ଯୋଜନା ସଫଳ ହେବ ସେ ନେଇ ପ୍ରଶ୍ନ ଉଠିଛି। ଗଙ୍ଗୁଆ ହେଉଛି ରାଜଧାନୀରୁ ଜଳ ନିଷ୍କାସନର ଏକମାତ୍ର ବାଟ। ସହରର ସମସ୍ତ ନଳା ଏହି ଗଙ୍ଗୁଆରେ ପଡ଼ିଛି। ହେଲେ ଜବରଦଖଲ ଓ ବର୍ଷ ବର୍ଷ ଧରି ଖୋଳା ନ ହେବା ଯୋଗୁଁ ଏହା ପୋତି ହୋଇପଡ଼ିଛି। ଅନେକ ଜାଗାରେ ସହରର ନଳା ନିଚାରେ ରହିଥିବା ବେଳେ ଗଙ୍ଗୁଆ ଉଚ୍ଚାରେ ରହିଛି। ଫଳରେ ଜଳ ନିଷ୍କାସନ ହେବା ବଦଳରେ ଓଲଟା ସହରର ନଳା ଭିତରକୁ ପାଣି ଠେଲୁଛି। ଏହି ନାଳ ସହ ଜଡ଼ିତ ଉପରୋକ୍ତ ତିନିଟି ସରକାରୀ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ଏହାର ପୁନରୁଦ୍ଧାର ପାଇଁ ସମ୍ଭବ ହେଉନାହିଁ।

Share Now:

Kalinga News Beuro

Next Post

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ୍ ନୁହେଁ, ଏକ ପବିତ୍ର ଦାୟିତ୍ଵ : ମୁଖ୍ୟମନ୍ତ୍ରୀ

Sat Dec 3 , 2022
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତି ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ […]
ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ୍ ନୁହେଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial