ଦିନକରେ ୩୪୨ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୩୩
ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ଥମୁନାହିଁ। ଗତ ୧୫ଦିନରେ ରାଜଧାନୀରେ ୬୨୦୧ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଯାହାକି ଏକ ଜିଲ୍ଲାର ସମୁଦାୟ ସଂଖ୍ୟାଠାରୁ ମଧ୍ୟ ଅଧିକ। ଗତ ୨୪ଘଣ୍ଟାରେ ୩୪୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୬,୯୩୩ରେ ପହଞ୍ଚିଛି। ଚିହ୍ନଟ ୩୪୨ ପଜିଟିଭ୍ଙ୍କ ମଧ୍ୟରେ ୯୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ରୋଗୀମାନଙ୍କ ମଧ୍ୟରେ ବିଜେବି ନଗର, ସିବିଆଇ କଲୋନି, ବରମୁଣ୍ଡା, ରସୁଲଗଡ଼, ଗୌତମ ନଗର, ହଂସପାଳ, ପ୍ରଶାନ୍ତିବିହାର, ରଘୁନାଥପୁର, ବେହେରା ବସ୍ତି, ଶାସ୍ତ୍ରୀ ନଗର, ଟଙ୍କପାଣି ରୋଡ, ପଟିଆ, ନନ୍ଦନବିହାର, ପୋଖରୀପୁଟ, ପୁଲିସ କଲୋନି ଆଦି ଅଞ୍ଚଳରୁ ରହିଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମିତରେ ଆଇଆରସି ଭିଲେଜ, ଝାରପଡ଼ା, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ଟଙ୍କପାଣି ରୋଡ୍, ସାମନ୍ତରାପୁର, ଶୈଳଶ୍ରୀବିହାର, ପଳାସପଲ୍ଲୀ, ପଟିଆ, ନୂଆଗାଁ, ଖଣ୍ଡଗିରି ହାଉସିଂ ବୋର୍ଡ, ବମିଖାଲ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଓ ଅନ୍ୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ଉଲ୍ଲେଖନୀୟ ବିଷୟ ଯେ, ଲଗାତାର ଏବେ ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ବଢ଼ିଛି। ଏ ପର୍ଯ୍ୟନ୍ତ ୧୨,୨୮୮ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜଧାନୀରେ ସୁସ୍ଥ ହାର ୭୨ ପ୍ରତିଶତ ଛୁଇଁଛି। ମାତ୍ର ଏବେ ବି ୪୫୬୮ ଚିକିତ୍ସିତ ରୋଗୀ ରହିଛନ୍ତି। ଏବେ ସୁଦ୍ଧା ରାଜଧାନୀରେ ୬୪ଜଣ କରୋନାର ଶିକାର ହୋଇସାରିଛନ୍ତି।