ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବ କି ଅଂଶୁପା…?

ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବ ଅଂଶୁପା

ଜବରଦଖଲରେ ଶହେ ଏକର, ନାଗା ଦଳରେ ଭର୍ତ୍ତି

କଟକ: ରାଜ୍ୟର ପ୍ରମୁଖ ମଧୁର ଜଳ ହ୍ରଦ କହିଲେ ବୁଝାଏ ଅଂଶୁପାକୁ। କାଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃହତ ମଧୁର ଜଳ ହ୍ରଦ ଭାବେ ଏହାର ମାନ୍ୟତା ରହିଛି। କିନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ହ୍ରଦର ଶହେ ଏକର ଅଂଚଳ ଜବରଦଖଲକୁ ଚାଲିଗଲାଣି। ନାଗା ବା ରାଜ ଦଳ ସଫେଇ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଦଳ ମାଡ଼ି ହ୍ରଦ ସଙ୍କୁଚିତ ହେବା ସହିତ ସୌନ୍ଦର୍ଯ୍ୟ ବି ହ୍ରାସ ପାଇ ଚାଲିଛି। ଚିଲିକା ‌ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ହାତରେ ଅଂଶୁପା ବିକାଶ ଯୋଜନା ରହିଥିଲେ ବି ବର୍ତ୍ତମାନ ସ୍ଥିତିରେ ଏହା ହୁଏତ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବା ଭଳି ଆଶଙ୍କା ସୃଷ୍ଟି କରିଛି।
କଟକ ଜିଲ୍ଲାର ବାଙ୍କୀ ବ୍ଲକ୍‌ରେ ରହିଛି ଅଂଶୁପା ହ୍ରଦ। ଅଂଶୁପା ହ୍ରଦର କ୍ୟାଚ୍‌ମେଣ୍ଟ ପରିଧି ପ୍ରାୟ ୫୨୩୧ ହେକ୍ଟର ଥିବାବେଳେ ଏହାର ଜଳଧାରଣ କ୍ଷମତା ପାଖାପାଖି ୧୪୨ ହେକ୍ଟର। ୧୮୨ ହେକ୍ଟର ଅଂଶୁପା ହ୍ରଦରୁ ୧୪୨ ହେକ୍ଟରରେ ପାଣି ଥିବାବେଳେ ବାକି ଶହେ ଏକର ଏବେ ଜବରଦଖଲରେ। କ୍ୟାଚ୍‌ମେଣ୍ଟ ଏରିଆ ମଧ୍ୟରେ ୨୮ଟି ଗ୍ରାମ ଅନ୍ତର୍ଭୁକ୍ତ । ଅଂଶୁପାର ପଶ୍ଚିମ ଦିଗରେ ସରଣ୍ତା ପାହାଡ ଓ ଉତ୍ତର ପୂର୍ବ ଦିଗରେ ବିଷ୍ଣୁପୁର ପାହାଡ ରହିଥିବାବେଳେ ଏହି ହ୍ରଦ ଦୁଇଟି ନାଳ ଯଥା- ଦକ୍ଷିଣ ଦିଗରେ କାବୁଲା ନାଳ ଏବଂ ଦକ୍ଷିଣ ପଶ୍ଚିମରେ ହୁଳୁହୁଳା ନାଳ ମହାନଦୀ ସହିତ ସଂଯୁକ୍ତ ଥିଲା । ମାତ୍ର ଧୀରେଧୀରେ ଏହା ଅବକ୍ଷୟମୁଖୀ ହେବା ସହ ମହାନଦୀରୁ ବିଚ୍ଛିନ୍ନ ହୋଇଯାଇଛି। କେବଳ ମହନାଦୀର ବନ୍ୟା ସମୟରେ ଏହି ନାଳ ଦ୍ୱାରା ଅଂଶୁପା ଜଳପୂର୍ଣ୍ଣ ହୋଇଥାଏ। ତେଣୁ ମହାନଦୀର ସ୍ବାଭାବିକ ଜଳ ପ୍ରବାହରେ ବାଧା ଯୋଗୁଁ ଧୀରେଧୀରେ ପୋତି ହୋଇଚାଲିଛି ଅଂଶୁପା। ଏହାର ଜଳଧାରଣ କ୍ଷମତା ଆଶାତୀତ ଭାବେ ହ୍ରାସ ପାଇଛି। ପ୍ରତ୍ୟେକ ବର୍ଷ ଅଂଶୁପାକୁ ଦଳମୁକ୍ତ କରିବା ପାଇଁ ଯୋଜନା ହେଉଥିବାବେଳେ ଅଧାରେ କାମ ଅଟକି ଯାଉଥିବାରୁ ଏହା ଦଳମୁକ୍ତ ହେବା ବଦଳରେ ଦଳ ଅଧିକ ମାଡି ଚାଲିଛି।
୨୦୦୫ରେ ଦଶମ ଅର୍ଥ କମିଶନ ଅନୁଦାନରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ବୋଟିଂ, ପାର୍କ ସହ ଅନେକ ଉନ୍ନୟନ କାମ କରାଯାଇଥିଲା। କିନ୍ତୁ କିଛି ବର୍ଷ ପରେ ସବୁ ବନ୍ଦ ହୋଇଗଲା। ଏବେ ନାଁକୁ ଚାଲିଛି ବୋଟିଂ। ଦଳ ଭିତରେ ଅଟକି ଯାଉଛି ବୋଟ। ବର୍ତ୍ତମାନ ପୁଣି ଜିଲ୍ଲାପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମତ୍ସ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟରେ ସମନ୍ବୟରେ ଆରମ୍ଭ ହୋଇଛି ଅଂଶୁପା ବିକାଶ କାର୍ଯ୍ୟ। ଆରମ୍ଭ ହୋଇଛି ଦଳ ସଫେଇ। ଅଂଶୁପାକୁ ଦଳମୁକ୍ତ କରିବା ସହ ବିଭିନ୍ନ ଉନ୍ନୟନ ପାଇଁ ଗଲା କିଛି ବର୍ଷ ଧରି ପ୍ରତିବର୍ଷ ୪୦/୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଆସୁଥିବା ସୂଚନା ରହିଛି। କେରଳରୁ ଏକ ଦଳ ସଫେଇ ମେସିନ୍‌ ଅଣାଯାଇ ଅଂଶୁପାରେ ଦଳ ସଫେଇ କରାଯାଉଛି। କେଉଁ କାରଣରୁ ଦଳ ହେଉଛି ଓ କେଉଁ ପ୍ରକାର ଦଳ ରହିଛି, ତାହାକୁ ନେଇ ସର୍ଭେ କରାଯାଇଛି। ଏବେ ଅଂଶୁପାକୁ ଦଳମୁକ୍ତ କରିବା ପାଇଁ ଦଳ ଖାଉଥିବା ମାଛ ମଧ୍ୟ ଛଡ଼ାଯିବ ବୋଲି ଯୋଜନା କରାଯାଇଛି। କାବୁଲା ଓ ହୁଳୁହୁଳା ନାଳକୁ ଖନନ ଯୋଜନା ରହିଛି। କିନ୍ତୁ ଏହା କେବେ ବାସ୍ତବ ରୂପ ନେବ, ତାହାକୁ ନେଇ ଆଶଙ୍କା ବଢିବାରେ ଲାଗିଛି। ସିଡିଏର ସିସିଏଫ୍‌ ସୁଶାନ୍ତ କୁମାର ନନ୍ଦ କହିଛନ୍ତି ଯେ ୧୦/୧୫ ଦିନ ଭିତରେ ଅଂଶୁପାରୁ ଦଳ ସଫେଇ ଆରମ୍ଭ ହେବ। ଅଂଶୁପାର ବିକାଶ ପାଇଁ ବି ଅନେକ ଯୋଜନା କରାଯାଉଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ପୂର୍ବ ଲଦାଖ୍‌ରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ: ସେନା

Thu Sep 17 , 2020
ଏଲ୍‌ଏସି ନେଇ ବିରୋଧୀଙ୍କ ସହ ସରକାର କରିପାରନ୍ତି ରୁଦ୍ଧଦ୍ୱାର ବୈଠକ ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଯଦି ଚୀନ୍‌ ଯୁଦ୍ଧ ସ୍ଥିତି ସୃଷ୍ଟି କରେ ତେବେ ଭାରତ ଏହାର ଉଚିତ୍‌ ଜବାବ ଦେବ। ଭାରତ ଯୁଦ୍ଧ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଶୀତ ଋତୁରେ ମଧ୍ୟ ଭାରତ ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇସାରିଛି। ଚୀନ୍ ଯୁଦ୍ଧ ଭଳି ସ୍ଥିତି ଉପୁଜାଇଲେ ଏହାକୁ ଉତ୍ତମ ତାଲିମପ୍ରାପ୍ତ ଏବଂ ସ୍ବତନ୍ତ୍ର […]
ପୂର୍ବ ଲଦାଖ୍‌ରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial