ଗୋପାଳପୁର ନିର୍ବାଚନମଣ୍ଡଳୀ ବିଧାୟକଙ୍କୁ ନେଇ ଦଳୀୟ ଶିବିରରେ ସସ‌ପେନ୍ସ

ପ୍ରଦୀପ ପାଣିଗ୍ରାହୀ

ଦ୍ବନ୍ଦରେ ନିର୍ବାଚନମଣ୍ଡଳୀର କର୍ମୀ ଓ ନେତା

ବ୍ରହ୍ମପୁର/ଗୋଳନ୍ଥରା: ଗୋପାଳପୁର ନିର୍ବାଚନମଣ୍ତଳୀ ବିଜେଡିର କର୍ମୀ ଓ ଛାମୁଆ ନେତା ଗତ କିଛି ଦିନ ହେଲା ସସ‌ପେନ୍ସ ମଧ୍ୟରେ ରହିଛନ୍ତି। ମୂଳ କାରଣ ହେଲା, ବିଧାୟକଙ୍କୁ ନେଇ। ନିର୍ବାଚନମଣ୍ଡଳୀ ଇଲାକାରେ ଅନୁଷ୍ଠିତ ଏକାଧିକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଅନୁପସ୍ଥିତିକୁ ନେଇ ଏହି ସସ୍ପପେନ୍ସ ବଢ଼ୁଛି। ବିଧାୟକ ଏହି ସବୁ କାର୍ଯ୍ୟକ୍ରମକୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆସିପାରୁ ନାହାନ୍ତି ନା, ବିଧାୟକଙ୍କୁ ଡକାଯାଉ ନାହିଁ, ଏହାକୁ ନେଇ ନିର୍ବାଚନମଣ୍ଡଳବାସୀ ବି ଦ୍ବନ୍ଦରେ। ଗଲା କିଛି ମାସ ଧରି ଏଭଳି ସ୍ଥିତି ଲାଗି ରହିଛି, ହେଲେ ସନ୍ତୋଷଜନକ ଉତ୍ତର କାହା ପାଖରେ ନାହିଁ। ଏ ପ୍ରସଙ୍ଗ କେବଳ ନିର୍ବାଚନମଣ୍ଡଳୀରେ ନୁହେଁ, ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଗଞ୍ଜାମ ଜିଲ୍ଲା ବିଜେଡିର ଆଗ ଧାଡ଼ିର ନେତା ଗୋପାଳପୁର ବିଧାୟକ ଡ.ପାଣିଗ୍ରାହୀ। ଜିଲ୍ଲାର ହେଭିୱେଟ୍ ବିଧାୟକଙ୍କ ମଧ୍ୟରେ ସେ ଅନ୍ୟତମ। ପୂର୍ବରୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ରହିବା ସହ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଥିଲେ। ଜିଲ୍ଲାରେ ବେଶ୍ ଦବ୍‌ଦବା ରହିଥିଲା। ଗତ ସାଧାରଣ ନିର୍ବାଚନରେ ବି ସେ ଜିଲ୍ଲାରେ ଦଳର ମଙ୍ଗ ଧରିଥିଲେ। ଆଉ ନିର୍ବାଚନ ପରେ ପରେ ବି ବେଶ୍ ସକ୍ରିୟ ଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସ ପର ଠାରୁ ଗୋପାଳପୁର ନିର୍ବାଚନମଣ୍ତଳୀ ଅଧୀନ ବିଭିନ୍ନ ଇଲାକା‌ରେ ଅନୁଷ୍ଠିତ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକଙ୍କୁ ପ୍ରାୟତଃ ଦେଖିବାକୁ ମିଳୁନି। ଯାହାକି ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ୍ ଯୋଗାଇବା ସହ ସସ‌ପେନ୍ସ ବଢ଼ିବାରେ ଲାଗିଛି। ହଳଦିଆପଦର ବସ୍‌ଷ୍ଟାଣ୍ଡ୍ ଠାରେ ଗତ ମେ ୨୮ତାରିଖରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କିନ୍ତୁ ଗୋପାଳପୁର ପ୍ରଦୀପଙ୍କୁ ଦେଖିବାକୁ ମିଳି ନ ଥିଲା। ସେହିପରି ଜୁଲାଇ ମାସ ୨୯ତାରିଖରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ବିଧାୟକଙ୍କୁ ନେଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ଼୍‌ ସଚେତନତା କର୍ମଶାଳା ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। କିନ୍ତୁ ଗୋପାଳପୁର ବିଧାୟକ ଅନୁପସ୍ଥିତ ଥିଲେ। ଅଗଷ୍ଟ ୧ତାରିଖରେ ଗୋପାଳପୁର ନିର୍ବାଚନମଣ୍ତଳୀ ଅର୍ନ୍ତଗତ ଗୋଳନ୍ଥରା ନିକଟରେ ଅଶ୍ବିନୀ କୋଭିଡ଼୍‌ ହସ୍‌ପିଟାଲକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କଲେ। ଏଥିରେ ବାଚସ୍ପତି ଓ ବ୍ରହ୍ମପୁର ସାଂସଦ ଯୋଗ ଦେଇଥିଲେ। କିନ୍ତୁ ପ୍ରଦୀପଙ୍କ ଦେଖା ନଥିଲା। କିଛି ଦିନ ତଳେ ଭାବାନଗରରେ ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟନ ବେଳେ ତାଙ୍କ ଅନୁପସ୍ଥିତି ପୁଣି ଚର୍ଚ୍ଚାକୁ ଆସିଥିଲା। ପୁଣି ଗତ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଙ୍କୋଲି ଆର୍‌ଓବି ଉଦ୍‌ଘାଟନ ବେଳେ ମଧ୍ୟ ପ୍ରଦୀପ ନ ଥିଲେ।

ଏ ସବୁ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ଅନୁପସ୍ଥିତି ଦଳୀୟ ଶିବିର ପାଇଁ ସାମାନ୍ୟ କଥା ନୁହେଁ। ବିଶେଷ କରି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମରେ ବିଧାୟକ ଉପସ୍ଥିତ ରହିବା କଥା, ସେ ଅନ୍ୟ ନେତୃବର୍ଗଙ୍କୁ ନିମନ୍ତ୍ରଣ କରିବା କଥା। ଆୟୋଜକ ହେବା କଥା। ହେଲେ ସେ ନିଜେ ଅନୁପସ୍ଥିତ ରହିବା ସସ୍‌ପେନ୍ସ ଘେରରେ ରହିଛି। ଦ୍ବିତୀୟରେ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ ଏବଂ ଆଙ୍କୋଲି ଆର୍‌ଓବି ଉଦ୍‌ଘାଟନ‌ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ। ପ୍ରୋଟକଲ୍ ଅନୁସାରେ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରାଯାଇ ପାରିବନି। ତେବେ ପ୍ରଶାସନ ପକ୍ଷରୁ ବିଧାୟକଙ୍କୁ ଡକାଯାଇଛି କି ନାହିଁ, ଯଦି ଡକାଯାଇଛି ସେ ଗଲେନି କାହିଁକି? ଯଦି ଡକାଯାଇନି, କାହା ନିର୍ଦ୍ଦେଶରେ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ କର୍ମୀଙ୍କଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି। ଉଲ୍ଲେଖନୀୟ କଥା ହେଲା, ଖୋଦ୍‌ ବିଧାୟକ ବି ଅନୁପସ୍ଥିତି କାରଣ ବାବଦରେ କିଛି ସ୍ପଷ୍ଟ କରୁନାହାନ୍ତି। ତେଣୁ ନିର୍ବାଚନମଣ୍ଡଳୀର ସମସ୍ତ କର୍ମୀ ଓ ନେତାମାନେ ଦ୍ଵନ୍ଦ ଭିତରେ ଅଛନ୍ତି ଯେ ସେ ଅଞ୍ଚଳର କଥା ବୁଝିବ କିଏ ବା ନେତା କିଏ ?

Share Now:

Kalinga News Beuro

Next Post

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାବୀପତ୍ର ପ୍ରଦାନ

Thu Sep 17 , 2020
ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ତିହିଡି ବିଡ଼ିଓଙ୍କ ଜରିଆରେ ୧୦ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ଅନୁପସ୍ଥିତ ଥିବାରୁ ଏହି ଦାବୀପତ୍ର ଅତିରିକ୍ତ ବିଡ଼ିଓ ବୁଲ ଫିରଦୋଷଙ୍କୁ ଦିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଭାର କର୍ମକର୍ତ୍ତା ବିମ୍ବାଧର ବାରିକ ,ସନ୍ଥ ଚରଣ ବିଶ୍ୱାଳ, ରବୀନ୍ଦ୍ର ବାରିକ, […]
ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial