ଓଡ଼ିଶାର ହେମଗିରି ଗର୍ଜନପାହାଡ଼ରେ ପୁଣି ୨ ବିରଳ କଳା ବାଘ

ହେମଗିର ଗର୍ଜନପାହାଡ଼ରେ ପୁଣି ୨ ବିରଳ କଳା ବାଘ

ସୁନ୍ଦରଗଡ଼/ହେମଗିରି : ଦେଢ଼ବର୍ଷ ପରେ ସୁନ୍ଦରଗଡ଼ ବନଖଣ୍ଡର ହେମଗିରି ବନାଞ୍ଚଳସ୍ଥିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଦୃଷ୍ଟିଗୋଚର ହୋଇଛନ୍ତି। କିଛିଦିନ ତଳେ ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ନଜରରେ ଏହା ପଡ଼ିଥିବା କୁହାଯାଉଛି। କିନ୍ତୁ ବନବିଭାଗ ଏ ସମ୍ପର୍କରେ ନିରବ ରହିଛି। ଏହାପୂର୍ବରୁ ୨୦୧୮ ମଇ ମାସରେ ଏହି ଜଙ୍ଗଲରେ ଏକ କଳାବାଘ ନଜରକୁ ଆସିଥିଲା। ଓଡ଼ିଶା ରାଜ୍ୟ ଜଙ୍ଗଲରେ ପ୍ରଥମକରି ଏକ ବିରଳ କଳାବାଘ ଦେଖାଯିବା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା। ଗର୍ଜନପାହାଡ଼ ଉପରେ ବିଭାଗର ପୂରା ଦୃଷ୍ଟି ନିବିଦ୍ଧ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେତେବେଳେ ସୁନ୍ଦରଗଡ଼ ବନବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଖଞ୍ଜି କଳାବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ବାଘଟି ବର୍ଷେ ଗର୍ଜନପାହାଡ଼ରେ ରହିଥିବା ଭିତରେ ୨୦୧୯ରେ ଦୁଇଟି ଛୁଆ ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା। ସେତେବେଳେ ବିଭାଗ ମଧ୍ୟ ଏଥିରେ ସତ୍ୟତା ଥାଇପାରେ ବୋଲି କହିଥିଲେ। କିନ୍ତୁ ଏହାପରେ ପରେ ବାଘଟି ଜଙ୍ଗଲରୁ ଗାଏବ ହୋଇଯାଇଥିଲା। ଏବେ ଦେଢ଼ବର୍ଷ ପରେ ପୁଣି ଦୁଇଟି କଳାବାଘ ଦୃଷ୍ଟିକୁ ଆସିଥିବାବେଳେ ଏହା ୨୦୧୮ରେ ପରିଦୃଷ୍ଟ ବାଘର ଛୁଆ ହୋଇପାରନ୍ତି ବୋଲି କୁହାଯାଉଛି।
ପ୍ରକାଶଥାଉକି, ଏଯାଏ ଭାରତର ୯ଟି ରାଜ୍ୟରେ କଳାବାଘ ଦେଖାଯାଇଛି। ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ପ୍ରଥମ କରି କଳାବାଘ ଦେଖାଯାଇଥିଲା। କର୍ଣ୍ଣାଟକରେ ୪ଟି ବାଘ ଅଭୟାରଣ୍ୟ ଥିବାବେଳେ ଏ ରାଜ୍ୟକୁ କଳାବାଘର ପ୍ରାକୃତିକ ଆବାସସ୍ଥଳୀ ବୋଲି କୁହାଯାଏ। ଏହାସହ ଦକ୍ଷିଣର କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ରେ କଳାବାଘ ଦେଖାଯାଇଥିବାବେଳେ ୨୦୧୮ରେ ନବମ ରାଜ୍ୟ ଭାବେ ଓଡ଼ିଶ‌ାରେ ନଜରକୁ ଆସିଛି। ୨୦୧୭ରେ ମହାରାଷ୍ଟ୍ର ଓ ପରେ ପରେ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ଉଦନ୍ତୀସୀତା ନଦୀ ବନ୍ୟପ୍ରାଣୀ ଅଭ୍ୟୟାରଣ୍ୟରେ ଦେଖାଯାଇଥିବା କଳାବାଘ ୨୦୧୮ରେ ସେଠାରୁ ମାତ୍ର ୩ ଶହ କିଲୋମିଟର ଦୂର ହେମଗିରକୁ ଆସିଥିଲା। ସେତେବେଳେ ସେ ସମ୍ଭବତଃ ଗର୍ଭବତୀ ଥିଲା ଓ ଛୁଆ ଜନ୍ମ କରିବାକୁ ଏଠାକୁ ଚାଲିଆସିଥିଲା। ଏଠାରେ ରହିବା ଭିତରେ ଛୁଆ ଜନ୍ମ କରିଥିଲା। ସେମାନେ ବଡ଼ ହୋଇ ଶିକାର କରିବାକୁ ସକ୍ଷମ ହୋଇଯିବା ପରେ ମା’ ବାଘୁଣୀ ପୁଣି ନିଜ ପୁରୁଣା ବାସସ୍ଥାନକୁ ଫେରାଯାଇଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଫାର୍ମାସିରେ ବିକ୍ରୟ ପାଇଁ ପ୍ରଥମ କୋଭିଡ୍-୧୯ ପ୍ରେସକ୍ରିପସନ୍ ଔଷଧକୁ ଅନୁମୋଦନ କଲା ଋଷ

Sat Sep 19 , 2020
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆରୁ ଆସିଛି ପୁଣିଏକ ଭଲ ଖବର। ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ। କରୋନାଭିର ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା। ଶୁକ୍ରବାର କମ୍ପାନି କହିଛି ଆଗାମୀ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ। ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏଡାକ୍ତରଙ୍କ ପରାମର୍ଶରେ ହି […]
ବିଶ୍ୱର ପ୍ରଥମ କରୋନା ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial