ସାରଙ୍କ ପାଇଁ ବଢ଼ିଲା ବିପଦ : ନିଲମ୍ବିତ ହେବେ ୩ ହଜାର ଅଧ୍ୟାପକ!

ବେସରକାରୀ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଚିଠି
ହୋଇପାରେ ୩ ମାସ ଜେଲ୍‌ ଓ ୩ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର : ସରକାରଙ୍କ ସବୁ କୌଶଳ ଫେଲ୍‌ ମାରିଲା। ସ୍ୱାଭାବିକ୍‌ ହୋଇପାରିଲାନି ଯୁକ୍ତ୨ ମୂଲ୍ୟାୟନ। ଅଧ୍ୟାପକଙ୍କୁ ଧମକ ଦେବା ପ୍ରଭାବ ବି ପଡ଼ିଲାନି। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ସମସ୍ୟାରେ ସୁଧାର ଆସିଲାନି। ପ୍ରଭାବିତ ହେଲା ଯୁକ୍ତ୨ ମୂଲ୍ୟାୟନ। ୮ ଦିନ ବିତିଯାଇଥିଲେ ମଧ୍ୟ ୨୦ ପ୍ରତିଶତ ଖାତା ମୂଲ୍ୟାୟନ ଶେଷ ହୋଇ ନ ଥିବାରୁ ଶେଷରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନରେ ଯୋଗଦେଇ ନାହାନ୍ତି ସେମାନଙ୍କୁ ନିଲମ୍ବନ କରିବା ଲାଗି ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ପରିଚାଳନା କମିଟି ଓ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ତଥାପି ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ଜିଦ୍‌ରେ ଅଟଳ ରହିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଖାତାଦେଖା ସ୍ୱାଭାବିକ୍‌ କରାଇ ଦିଆଯିବ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଧମକ ଦେଇଛି।

ଉଚ୍ଚଶିକ୍ଷା ନିର୍ଦେଶାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ୨ ଓ ଯୁକ୍ତ୩ କଲେଜ ପରିଚାଳନା କମିଟିକୁ ପଠାଯାଇଥିବା ଚିଠିିରେ କୁହାଯାଇଛି ଯେ ଗତ ୭ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିିକୁ କାର୍ଯ୍ୟକାରୀ କରାଯିବ। ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ ଜଣେ ଜଣେ ଅଧ୍ୟାପକ/ବରିଷ୍ଠ ଅଧ୍ୟାପକ/ରିଡର କୌଣସି ବି ପରିସ୍ଥିତିରେ ମୂଲ୍ୟାୟନ ଦାୟିତ୍ୱକୁ ମନା କରିପାରିବେ ନାହିଁ କି ବର୍ଜନ କରିପରିବେ ନାହିଁ। ସମ୍ପୃକ୍ତ ଆଇନର ଧାରା ସେକ୍ସନ-୯ ଅନୁଯାୟୀ ଅଧ୍ୟାପକମାନେ ମୂଲ୍ୟାୟନ ବର୍ଜନ କଲେ ୩ ମାସ ଜେଲ୍‌ ଓ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏବେ ସରକାରଙ୍କ ନଜରକୁ ଆସିଛି ଯେ ଯୁକ୍ତ୨ ମୂଲ୍ୟାୟନ କାର୍ଯ୍ୟ ଲାଗି ଡକାଯାଇଥିବା କେତେଜଣ ଅଧ୍ୟାପକ ଖାତା ଦେଖାରେ ସାମିଲ ହୋଇନାହାନ୍ତି। ନିଜ ଇଚ୍ଛା ଅନୁଯାୟୀ ଖାତା ଦେଖିବାକୁ ଆସୁନାହାନ୍ତି। ତେଣୁ ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ଏପର୍ଯ୍ୟନ୍ତ ରିପୋର୍ଟିଂ କରିନାହାନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାବାକୁ ବି ନିର୍ଦେଶ ଦିଆଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ତଥ୍ୟ କହୁଛି ପ୍ରଥମ ପର୍ଯ୍ୟାୟରେ ୫,୮୦୦ ଅଧ୍ୟାପକଙ୍କୁ ଖାତା ମୂଲ୍ୟାୟନ ପାଇଁ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୩ ହଜାର ଅଧ୍ୟାପକ ଏପର୍ଯ୍ୟନ୍ତ ଖାତା ଦେଖିବାକୁ ଆସିନାହାନ୍ତି। ଅଧିକାଂଶ ଅଧ୍ୟାପକ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ ବି କରିନାହାନ୍ତି। ୮ ଦିନ ମଧ୍ୟରେ ୪୦ ପ୍ରତିଶତ ଖାତା ମୂଲ୍ୟାୟନ ଶେଷ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୧୮ରୁ ୨୦ ପ୍ରତିଶତ ଖାତା ଦେଖା ସରିଛି। ଜଣେ ଅଧ୍ୟାପକ ସର୍ବନିମ୍ନ ୧୫ ଓ ସର୍ବାଧିକ ୨୫ଟି ଖାତା ଦେଖିବାର ନିୟମ ରହିଛି। ବର୍ତମାନ ସମୟକୁ ଦୃଷ୍ଟିରେ ରଖି ମୂଲ୍ୟାୟନକାରୀଙ୍କୁ ଏବେ ୨୦ଟି ଖାତା ଦେଖିବାକୁ କୁହାଯାଇଛି।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା କହିଛନ୍ତି ଯେ ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ ରାଜ୍ୟ ସରକାର ଯୋଗ ଦେଇ ନ ଥିବା ଅଧ୍ୟାପକଙ୍କୁ ନିଳମ୍ବନ କରିବା ପାଇଁ ପରିଚାଳନା କମିଟିର ସହାୟତା ଲୋଡ଼ିଛନ୍ତି। ଏଭଳି ନିର୍ଦେଶକୁ ନିନ୍ଦା କରାଯାଉଛି। ବିକଳ୍ପ ବ୍ୟବସ୍ଥାର ବାହାସ୍ପଟ ମାରୁଥିବା ରାଜ୍ୟ ସରକାରଙ୍କ ପ୍ରକୃୃତ ମୁଖା ଖୋଲିଯାଇଛି। ଆନ୍ଦୋଳନ ଏବେ ତୀବ୍ରତର ହୋଇଛି। ଦରକାର ପଡ଼ିଲେ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ, ଅଧ୍ୟକ୍ଷମାନେ ଏକାଠି ହୋଇ ଆନ୍ଦୋଳନ କରିବେ। ରାସ୍ତାରେ ଲଢ଼େଇ ହେବ। ଧମକର କୌଣସି ବି ପ୍ରଭାବ ପଡ଼ିବନି।

ଅନ୍ୟପକ୍ଷରେ ଅଧ୍ୟାପକଙ୍କୁ ନିଳମ୍ବନ ନିର୍ଦେଶକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ସଙ୍ଗଠନର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ କହିଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଅଧ୍ୟାପକଙ୍କୁ ନିଲମ୍ବନ କରିବା ସରକାରଙ୍କ ଗଣତନ୍ତ୍ରର କଣ୍ଠରୋଧ କରିବାର ଆଉ ଏକ ପ୍ରୟାସ। ଅଧ୍ୟାପକଙ୍କ ସହ ଆଲୋଚନା କରାଯାଇ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉ। ଅଧ୍ୟାପକମାନେ ମଧ୍ୟ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖାତା ଦେଖାରେ ସହଯୋଗ କରିବାକୁ ସେ ଏକ ପ୍ରେସ୍‌ ବିଜ୍ଞପ୍ତିରେ ନିବେଦନ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସରକାରଙ୍କ ଅନ୍‌ଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ପ୍ରହସନ: ମାସାଧିକ ହେଲା ଆବେଦନ ହେଉନି କି ପ୍ଲାନ୍‌ ମିଳୁନି

Thu Apr 12 , 2018
ଭୁବନେଶ୍ୱର: ସରକାରଙ୍କ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌’ ନାରା କେବଳ ଆହ୍ଵାନରେ ରହିଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଯେତେ ଯୋଜନା କଲେ ବି ଫେଲ୍‌ ମାରୁଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଲା ବିଡିଏ ଓ ବିଏମ୍‌ସିରେ ଲାଗୁ ହୋଇଥିବା ‘ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା’ ବା ଇ-ବିପିଏଏସ୍‌। ସରକାରଙ୍କ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପ୍ରୀତି ଏବେ ରାଜଧାନୀବାସୀଙ୍କୁ ମହଙ୍ଗା ପଡ଼ିଲାଣି। ଗତ ଦେଢ଼ ମାସ ମଧ୍ୟରେ ଗୋଟିଏ ବି ପ୍ଲାନ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial