ବିରୋଧକୁ ଶକ୍ତିହୀନ କରିବାକୁ ପ୍ରୟାସ : ଦୁର୍ଗନ୍ଧ ପରେ ବିଭେଦର ବିଷ

ଦୁର୍ଗନ୍ଧ ପରେ ବିଭେଦର ବିଷ

ଚନ୍ଦ୍ରଶେଖରପୁର: ଦିନ ପରେ ଦିନ ଗଡ଼ୁଛି। ହେଲେ ଥମୁନି ସୈନିକ ସ୍କୁଲ ଟିଟିଏସ୍‌ ଅଳିଆ ଦୁର୍ଗନ୍ଧ। ରସୁଲଗଡ଼ରୁ ଆଚାର୍ଯ୍ୟବିହାର ହେଉ, ଅଥବା ରେଳ ଷ୍ଟାଡିୟମ୍‌ଠାରୁ ବାଣୀବିହାର; ସବୁଠି ଏବେ ଅବସ୍ଥା ବେହାଲ। ଘରୁ ବାହାରିବା କ୍ଷଣି ନାକରେ ବାଜୁଛି ଅଳିଆ ଦୁର୍ଗନ୍ଧ। ଗତ ଦୁଇ ଦିନର ଝିପିଝିପି ବର୍ଷାରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ରାତିର ସ୍ଥିତି ଆହୁରି ଭୟଙ୍କର। ସମ୍ପୂର୍ଣ୍ଣ ପରିବେଶ ଦୁର୍ଗନ୍ଧରେ ଫାଟିପଡ଼ୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋ‌ଷର ନିଆଁ ବ୍ୟାପିବାରେ ଲାଗିଛି। ଅଳିଆରୁ ବାହାରୁଥିବା ଆବର୍ଜନା ପାଣି ଏବେ ଡ୍ରେନ୍‌ରେ ପଶୁଛି। ଗତ ଦୁଇଦିନ ହେଲା ବିଜେପି ନେତାମାନେ ଆନ୍ଦୋଳନକୁ ଓହ୍ଲାଇବା‌ ସହ ବିଏମ୍‌ସିର ଅପାରଗତାକୁ ଦାୟୀ କରିଥିଲେ। ୨୪ ଘଣ୍ଟା ନ ବିତୁଣୁ ଆଜି ଧିରିକୁଟି ସାହି ବସ୍ତିବାସିନ୍ଦା ବିଏମ୍‌ସି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପ୍ରତିଶୃତି ଦେଇ ବିଏମ୍‌ସି କିଭଳି ଭଣ୍ଡାଇଛି ସେନେଇ ମତ ରଖିବା ସହ ଆଗାମୀ ଦିନରେ ଦୁର୍ଗନ୍ଧର କଡ଼ା ଜବାବ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଶକ୍ତିକୁ କମାଇବାଲାଗି ବିଏମ୍‌ସି ବିଭେଦର ବିଷ ବୁଣୁଥିବା ମଧ୍ୟ ଅଭିଯୋଗ ହୋଇଛି।
ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଦୁଇବର୍ଷ ତଳେ ବିଏମ୍‌ସି ଦେଇଥିବା ପ୍ରତିଶୃତି ପାଳନ କରିନାହିଁ। ଧିରିକୁଟି ସାହିର ପଶ୍ଚିମ ପାର୍ଶ୍ବରେ ଥିବା ଶ୍ମଶାନର ବିକାଶ ପାଇଁ ୨୦୨୧ରେ ଶୁଭ ଦିଆଯାଇଥିଲେ ମଧ୍ୟ କାମ ଆଗେଇ ପାରିନାହିଁ। ବରଂ ଧୀରେ ଧୀରେ ଶ୍ମଶାନ ଜମିକୁ ବିଏମ୍‌ସି କବ୍‌ଜା କରି ନେଉଛି। ଏଠାରେ ଥିବା ଶ୍ମଶାନରେ ଆଦିବାସୀ ଅଧିବାସୀଙ୍କ ସହ ରଙ୍ଗମାଟିଆ, ଗାଡ଼କଣ ଓ ଆଖପାଖ ଅଞ୍ଚଳର ପ୍ରାୟ ୫୦ ହଜାର ଲୋକ ଶବଦାହ ପାଇଁ ନିର୍ଭର କରିଥାନ୍ତି। ତେଣୁ ଶ୍ମଶାନ ଗୃହ ନିର୍ମାଣ କରି ତା’ ଚାରି ପାଖରେ ପା‌ଚେରି ନିର୍ମାଣ କରିବାକୁ ବିଏମ୍‌ସି କମିସନର ଓ ଡେପୁଟି କମିସନର ପ୍ରତିଶୃତି ଦେଇଥିଲେ। କାର୍ଯ୍ୟାରମ୍ଭ ପାଇଁ ମଧ୍ୟ ଶୁଭ ଦିଆଯାଇଥିଲା। ମାତ୍ର ଏବେ ବିଏମ୍‌ସି କମିସନର, ଡେପୁଟି କମିସନର ଦେଇଥିବା ପ୍ରତିଶୃତିକୁ ପାଳନ କରା ଯାଉନାହିଁ। ବସ୍ତିବାସିନ୍ଦାଙ୍କୁ ଅନ୍ଧାରରେ ରଖି ଶ୍ମଶାନ ଜାଗାରେ ନୂଆ ପ୍ରକଳ୍ପ ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ; ପରିଚୟ ଗୃହ, ଶିଶୁଙ୍କ ପାଇଁ ପାର୍କ ନିର୍ମାଣ କରିବାକୁ ମଧ୍ୟ ବିଏମ୍‌ସି ଯେଉଁ ପ୍ରତିଶୃତି ଦେଇଥିଲା, ତାହାକୁ ମଧ୍ୟ ବାବୁମାନେ ଭୁଲି ଯାଇଛନ୍ତି। ଆଲୋଚନା ହେଉଛି, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖି ବିଏମ୍‌ସି ଅଧିକାରୀମାନେ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି। ତିନିଦିନ ହେଲା କର୍ପୋରେଟରଙ୍କ ସହ ବିଏମ୍‌ସିର ଅଧିକାରୀମାନେ ଅଳିଆ ଗଦା ନିକଟକୁ ଗସ୍ତ କରିବା ସହ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ତା’ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତେଣୁ ଖୁବ୍‌ଶୀଘ୍ର ଗାଡ଼କଣ, ରଙ୍ଗମାଟିଆ, ରେଲୱେ କଲୋନି ସମେତ ସ୍ଥାନୀୟ ବସ୍ତିଗୁଡ଼ିକର ହାତଗଣତି ବୟସ୍କ ନାଗରିକଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ବାଧ୍ୟ ବାଧ୍ୟକତାରେ ଏହି କାର୍ଯ୍ୟକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ବୈଠକରେ ସାମିଲ ହେବାକୁ କୁହାଯାଉଛି। ବିଏମ୍‌ସି ଅଧିକାରୀଙ୍କ ସହ ଜନପ୍ରତିନିଧି ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ଏହାଦ୍ବାରା ବିଏମ୍‌ସି ଜଣାଇବାକୁ ଚାହୁଛି ଯେ ପ୍ରକଳ୍ପରେ କୌଣସି ବାଧା ନାହିଁ। ଲୋକଙ୍କ ସହମତି ଭିତ୍ତିରେ ଅଳିଆ ପରିଚାଳନା ହେଉଛି। ତେବେ ସବୁଠୁ ସାଂଘାତିକ କଥାଟି ହେଉଛି, ଅଳିଆକୁ ନେଇ ବିଏମ୍‌ସି ଗାଁ ଗାଁରେ ବିବାଦର ମଞ୍ଜି ବୁଣୁଛି ବୋଲି ଅଭିଯୋଗ ହେଉଛି। ଅଳିଆ ଗଦା ହଟାଯାଉ ନ ଥିବାରୁ ବଢ଼ୁଥିବା ଜନ ଆକ୍ରୋଶକୁ କମାଇବାକୁ ଗାଁ ଭିତରେ ବିଭାଜନ ଫର୍ମୁଲା ଆପଣାଯାଉଛି। ଗୋଟିଏ ଗୋଷ୍ଠୀ ଅଳିଆ ଗଦାକୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି। ଆଉ ଏମିତି କିଛି ଲୋକ ରହିଛନ୍ତି, ଯେଉଁମାନେ ମୁହଁ ‌ଖୋଲୁନାହାନ୍ତି। ଯେଉଁମାନେ ମୁହଁ ଖୋଲୁଛନ୍ତି ସେମାନଙ୍କୁ ଘର ଭଙ୍ଗା ଭୟ ଦେଖାଯାଉଛି। ବିଶେଷକରି ବସ୍ତିବାସିନ୍ଦାଙ୍କ କ୍ଷେତ୍ରରେ ଏଭଳି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ବାଣ ବିସ୍ଫୋରଣରେ ଗୁରୁତର କାରିଗରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Mon Nov 6 , 2023
ବାଲିପାଟଣା: ଗତ ମାସ ୩୧ ତାରିଖ ଅପରାହ୍ନରେ ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନ ଜଇନାବାଦ ନିକଟ ଭାର୍ଗବୀ ନଦୀପଠାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ବାଣ ଜଳିଯିବା ସହ ୨ ଜଣ କାରିଗର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଶିସିଲୋ ବୋଧଖଣ୍ଡି ଗ୍ରାମର ରଘୁନାଥ ପଣ୍ଡାଙ୍କ ଏକମାତ୍ର ପୁଅ ରମାକାନ୍ତ ପଣ୍ଡା ଓରଫ ବୁଟୁ (୪୦ ) ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର […]
ବାଣ ବିସ୍ଫୋରଣରେ ଗୁରୁତର କାରିଗରଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial