ବିଶ୍ୱସ୍ତରୀୟ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗ

ସହଯୋଗର ହାତ ବଢ଼ାଇଲା ଓଡ଼ିଶା ଖଣି ନିଗମ, ୨୦୨୫ରେ ସରିବ

ଭୁବନେଶ୍ୱର: ନୂଆ ରୂପ ନେବ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ୱ ବିଭାଗ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ବ୍ୟାବହାରିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଏହି ବିଭାଗର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ଏହି ବିଭାଗର ଉନ୍ନତୀକରଣ କରିବେ। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୧୯ କୋଟି ଟଙ୍କା ଖର୍ଚ୍ଚରେ ଏହି ବିଭାଗକୁ ନୂଆ ରୂପ ଦେବା ସହ ଅତ୍ୟାଧୁନିକ ଗବେଷଣା ପ୍ରତିଷ୍ଠାନରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୫ ଭିତରେ ଏହି ବିଭାଗର ଉନ୍ନତୀକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରୀୟ ହେବାକୁ ଥିବା ଏହି ବିଭାଗର ଭିତ୍ତିଭୂମି ବିକାଶ କରାଯିବ। ବିଭାଗ ପରିସରରେ ଅତିରିକ୍ତ କୋଠା ନିର୍ମାଣ କରାଯିବ। ପ୍ରତିଷ୍ଠା ହେବାକୁ ଥିବା ଲାବରେଟୋରିରେ ଅତ୍ୟାଧୁନିକ ଉପକରଣ ଲାଗିବ। ଛାତ୍ରଛାତ୍ରୀ ପାଠପଢ଼ା ସମୟରେ ବିଭିନ୍ନ ଖଣି ଅଞ୍ଚଳ ଗସ୍ତ କରିବା ସହ ଶିଳ୍ପ ସଂସ୍ଥାରେ ଇଣ୍ଟର୍ନସିପ୍‌ କରିପାରିବେ। ବିଭିନ୍ନ ସମୟରେ ସେମାନଙ୍କୁ ବିଦେଶକୁ ପଠାଯାଇ ସ୍ୱତନ୍ତ୍ର ତାଲିମ ପ୍ରଦାନ ସହ ଦକ୍ଷତା ବୃଦ୍ଧି କରାଯିବ। ୧୦ ବର୍ଷ ପାଇଁ ସମସ୍ତ ମରାମତି ତଥା ରକ୍ଷଣାବେକ୍ଷଣ ଦାଇତ୍ୱ ଓଏମ୍‌ସି ନେବ।
ବିଦେଶରୁ ଅତିଥି ଅଧ୍ୟାପକମାନେ ଆସି ଏଠାକାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବେ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କର୍ତ୍ତୃପକ୍ଷ ଜାଗା ଯୋଗାଇଦେବାକୁ ଥିବା ବେଳେ କୋଠା ନିର୍ମାଣ, ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ଓଏମ୍‌ସି ଲଗାଇବ। ତେବେ କେଉଁଭଳି ଭାବେ ବିଭାଗର ନବୀକରଣ ହେବ ସେଥିପାଇଁ ହେବାକୁ ଥିବା ରାଜିନାମା ନିମିତ୍ତ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ସହ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ଜଣାପଡ଼ିଛି। ଏବେ ବିଶ୍ୱବିଦ୍ୟାଳୟରେ ଖଣିଜ ପଦାର୍ଥ ଉପରେ ବ୍ୟାପକ ଗବେଷଣା ଜାରି ରହିଛି। ଓଡ଼ିଶାରେ ଉପଲବ୍ଧ ହେଉଥିବା ବକ୍ସାଇଟ୍‌, କ୍ରୋମାଇଟ୍‌ ଉପରେ ଛାତ୍ରଛାତ୍ରୀ ଗବେଷଣା କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ କିଭଳି ଓଡ଼ିଶା ଉପରେ ପଡ଼ୁଛି ଏବଂ ତାହାର ମୁକାବିଲା ନେଇ ଗବେଷଣା ମଧ୍ୟ ଚାଲିଛି। ବିଭାଗ ପରିସରରେ ଥିବା ସଂଗ୍ରହାଳୟରେ ବିଭିନ୍ନ ପ୍ରାଚୀନ ମନ୍ଦିର ଓ ଅନ୍ୟାନ୍ୟ ଭାସ୍କର୍ଯ୍ୟରେ ବ୍ୟବହୃତ ହୋଇଥିବା ଖଣ୍ଡୋଲାଇଟ୍‌ ଓ ବାଲିପଥର ରହିଛି। ଏହାବ୍ୟତୀତ ଲୁହାପଥର, କ୍ରୋମାଇଟ୍‌, ଲିଡ୍‌, ବକ୍ସାଇଟ୍‌ ଭଳି ଅନ୍ୟାନ୍ୟ ଖଣିଜ ପଥରଖଣ୍ଡ ଛାତ୍ରଛାତ୍ରୀ ଓ ଗବେଷକଙ୍କ ଜିଜ୍ଞାସାକୁ ଆକର୍ଷିତ କରୁଛି। ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଏହି ବହୁ ପୁରାତନ ବିଭାଗର ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି। ସଂଗ୍ରହାଳୟରେ ବହୁ ବିରଳ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି। ଏହି ବିଭାଗର ଉନ୍ନତୀକରଣ ପାଇଁ ଓଏମ୍‌ସି ହାତ ବଢ଼ାଇବା ଖୁସିର ବିଷୟ। ଅତ୍ୟାଧୁନିକ ସାମଗ୍ରୀ ଲାଗିବା ଦ୍ୱାରା ଗବେଷଣା ନିଶ୍ଚିନ୍ତ ଭାବେ ବୃଦ୍ଧି ପାଇବ।

Share Now:

Kalinga News Beuro

Next Post

ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

Sat Jan 13 , 2024
ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ସକାଳ ୭ଟାରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଓ ମହାନଗର ନିଗର କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ୫ଟି ଅଧ୍ୟକ୍ଷ। ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାର୍ଯ୍ୟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial