୨୮ ବର୍ଷ ପରେ ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ମାମଲାର ରାୟ ପ୍ରକାଶ : ଆଡ଼ଭାନୀ, ଯୋଶୀଙ୍କ ସମେତ ୩୨ ଦୋଷମୁକ୍ତ

ବାବ୍ରି ମସଜିଦ୍‌ ଧ୍ବଂସ ମାମଲା-2

ମସ୍‌ଜିଦ ଭାଙ୍ଗିବା ଲାଗି ଷଡ଼ଯନ୍ତ୍ର ହୋଇନଥିଲା: କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗ ହେବାର ୨୮ ବର୍ଷ ପରେ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣ ଅଭାବରୁ ବିଜେପି ନେତା ଆଡ଼ଭାନୀ ଓ ଯୋଶୀଙ୍କ ସମେତ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଖଲାସ କରି ଦିଆଯାଇଛି। ରାୟ ପ୍ରକାଶ କରି ସିବିଆଇର ସ୍ବତନ୍ତ୍ର ଅଦାଲତ କହିଛନ୍ତି ସେ ମସଜିଦ ଭାଙ୍ଗିବା ଲାଗି ପୂର୍ବରୁ କୌଣସି ‌ଯୋଜନା ବା ଷଡ଼ଯନ୍ତ୍ର ହୋଇନଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ମସଜିଦ ଭଙ୍ଗାକୁ ଅଟକାଇବା ଲାଗି ଉଦ୍ୟମ କରିଥିଲେ। କରସେବକମାନଙ୍କ ମଧ୍ୟରେ ଥିବା କେତେକ ଦୁର୍ବୃତ୍ତ ଏହାକୁ ଭାଙ୍ଗିଥି‌ଲେ। ଅଦାଲତଙ୍କ ଏହି ରାୟକୁ ସଂଘ ପରିବ‌ାର ସ୍ବାଗତ କରିଥିବା ବେଳେ ବିଭିନ୍ନ ମୁସଲିମ ସଂଗଠନ ଉଦବେଗ ପ୍ରକାଶ କରିଛନ୍ତି। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ସେମାନେ କହିଛନ୍ତି। ୬ ଡିସେମ୍ବର ୧୯୯୨ରେ ହୋଇଥିବା ବାବ୍ରି ମସ୍‌ଜିଦ୍‌ ଭଙ୍ଗ ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ଉମା ଭାରତୀ, ବିନୟ କଟିଆରଙ୍କ ସମେତ ୩୨ ଜଣ ଅଭି‌ଯୁକ୍ତ ଥିଲେ। ୨୮ ବର୍ଷ ଧରି ମାମଲାର ଶୁଣାଣି ପରେ ସିବିଆଇର ସ୍ବତନ୍ତ୍ର ବିଚାରପତି ଏସ୍‌କେ ଯାଦବ ଆଜି ରାୟ ଶୁଣାଇଛନ୍ତି। ତେବେ ରାୟ ପ୍ରକାଶ ‌ବେଳେ ଆଡଭାନୀ, ଉମା ଏବଂ ଯୋଶୀଙ୍କୁ କୋର୍ଟରେ ହାଜର ହେବାରୁ ଛାଡ଼ କରାଯାଇଥିଲା।
ବିଚାରପତି ଏସ୍‌ କେ ଯାଦବ ରାୟ ପ୍ରକାଶ କରି କହିଥିଲେ ଯେ ବାବ୍ରି ମସ୍‌ଜିଦ ଧ୍ବଂସ ମାମଲା ଏକ ସ୍ୱତଃପୂର୍ତ୍ତ ଘଟଣା ଥିଲା ଏବଂ ଏହା ଯୋଜନାବଦ୍ଧ ନଥିଲା। ଏହି ମସ୍‌ଜିଦ୍‌କୁ ଅସାମାଜିକ ତତ୍ତ୍ବମାନେ ଭାଙ୍ଗିଥିଲେ। ଏହି ମାମଲାରେ ଅଭିଯୁକ୍ତମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସଂପୃକ୍ତ ଥିଲେ କି ନାହିଁ ସେ ସଂକ୍ରାନ୍ତରେ ପ୍ରମାଣ ନାହିଁ। ଅଶୋକ ସିଙ୍ଘଲ ଏବଂ ସଂଘ ପରିବାରର ଅନ୍ୟ ନେତାମାନେ ରାମ ଲାଲାଙ୍କ ମୂର୍ତ୍ତିର ସୁରକ୍ଷା ପାଇଁ ସମଗ୍ର ପରିସରର ସୁରକ୍ଷା ଚାହୁଥିଲେ। ମସ୍‌ଜିଦ୍‌ ଧ୍ବଂସ ମାମଲାରେ ଦାଖଲ ହୋଇଥିବା ଭିଡିଓ କ୍ୟାସେଟ୍‌ରୁ କିଛି ସ୍ପଷ୍ଟ ହୋଇନାହିଁ ଏବଂ ଏହାକୁ ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ବିଚାରପତି ଉଲ୍ଲେଖ କରିଥିଲେ। ବାବ୍ରି ମସ୍‌ଜିଦ୍‌ ଧ୍ବଂସ ପୂର୍ବରୁ ସ୍ଥାନୀୟ ଗୁଇନ୍ଦା ସଂସ୍ଥା ଏ ବାବଦରେ ସତର୍କ କରାଇଥିଲେ ଏବଂ କିଛି ବଡ଼ ଘଟଣା ଘଟିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। କିନ୍ତୁ ଡିସେମ୍ବର ୬ରେ ଘଟଣା ଘଟିବା ପୂର୍ବରୁ ଏ ବାବଦରେ ବିଶେଷ କିଛି ପଦକ୍ଷେପ ନିଆଯାଇ ନଥିଲା ବୋଲି କୋର୍ଟ କହିଛନ୍ତି। ୨୩୦୦ ପୃଷ୍ଠାର ଏହି ରାୟରେ ପ୍ରମାଣ ଅଭାବ ସଂପର୍କରେ ବିସ୍ତୃତ ଭାବେ ତଥ୍ୟ ଦିଆଯାଇଛି। ଦୋଷମୁକ୍ତ ହେବାପରେ ଅଭିଯୁକ୍ତମାନେ ସିଆର୍‌ପିସିର ନୂଆ ପ୍ରାବଧାନ ଅନୁସାରେ ୫୦ ହଜାର ଟଙ୍କା ଜମାନତ ଏବଂ ବ୍ୟକ୍ତିଗତ ମୁଚାଲିକା ଦାଖଲ କରିଥିଲେ।
ଆଜିର ରାୟକୁ ନେଇ ସଂଘ ପରିବ‌ାରର ନେତାମାନେ ସ୍ବାଗତ କରିଛନ୍ତି। ଆଡ଼ଭାନୀ ଓ ଯୋଶୀ ମଧ୍ୟ ଆନନ୍ଦ ପ୍ରକାଶ କରିଛନ୍ତି। ତେବେ ମୁସଲିମ ପର୍ସନାଲ ଲ’ ବୋର୍ଡର ସଭ୍ୟ ଜଫରୟାବ ଜିଲ୍ଲାନି କହିଛନ୍ତି ଯେ ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ। ଅସଦୁଦ୍ଦିନ ଅୱେସି ମଧ୍ୟ ଏହି ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ମୁଖପାତ୍ର ରଣଦିପ ସୂର୍ଯେୱାଲା କହିଛନ୍ତି ଯେ ସାରା ଦେଶ ଜାଣିଛି ଯେ କ୍ଷମତା ଦଖଲ କରିବା ଲାଗି କିପରି ବିଜେପି-ଆରଏସଏସ୍ ଏବଂ ଏହାର ନେତାମାନେ ସାଂପ୍ରଦାୟିକ ସଦଭାବ ଓ ଶାନ୍ତିକୁ ନଷ୍ଟ କରିବା ଲାଗି ଷଡ଼ଯନ୍ତ୍ର କରିଥିଲେ। ସୂଚନାଯୋଗ୍ୟ ଯେ ୬ ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ ଭଙ୍ଗ ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ମାମଲାରେ ଆଡ଼ଭା‌ନୀ ଓ ଯୋଶୀଙ୍କ ସମେତ ୪୯ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇିଲା। ୨୮ ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି ବେଳେ ୧୭ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିଲା। ଶୁଣାଣି ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ଥିବା ଅପରାଧିକ ଷଡ଼ଯନ୍ତ୍ର ମାମଲା ହଟାଇ ଦିଆଯାଇଥିଲା। ତେବେ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ପୁଣି ଏହା ଦଫା ଯୋଡ଼ାଯାଇଥିଲା। ଗତ ନଭେମ୍ବର ମାସରେ ଅଯୋଧ୍ୟା ଜମି ବିବାଦ ମାମଲାରେ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମ କୋର୍ଟ। ମସଜିଦ ଭଙ୍ଗାକୁ ବେଆଇନ ଘୋଷଣା କରିବା ସହିତ କହିଥିଲେ ଯେ ୪୦୦ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିବ‌ା ମସଜିଦରୁ ମୁସଲିମ ସଂପ୍ରଦାୟକୁ ବଞ୍ଚିତ କରାଯାଇଥିଲା। ବିବାଦୀୟ ଜମିକୁ ମନ୍ଦିର ନିର୍ମାଣ ପାଇଁ ହସ୍ତାନ୍ତର କରିଥିଲେ ମଧ୍ୟ ମସଜିଦ ପାଇଁ ବିକଳ୍ପ ସ୍ଥାନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share Now:

Kalinga News Beuro

Next Post

ନିର୍ଭୟା କାଣ୍ଡକୁ ମନେ ପକାଇଦେଇଛି ହଠରାସ ଗଣଦୁଷ୍କର୍ମ

Thu Oct 1 , 2020
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହଠରାସ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା‌ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ପୁଣି ମନେ ପକାଇ ଦେଇଛି। ସୂଚନାଯୋଗ୍ୟ, ସେପ୍‌ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହଠରାସ ଗାଁରେ ଜଣେ ଦଳିତ ବର୍ଗର ଯୁବତୀଙ୍କୁ ଅତି ଅମାନୁଷିକ ଭାବେ କିଛି ଉଚ୍ଚ ବର୍ଗର ‌ପ୍ରଭାବଶାଳୀ ବ୍ୟକ୍ତି ଗଣ ଦୁଷ୍କର୍ମ କରିବା ପରେ ସମ୍ପୃକ୍ତ ଯୁବତୀଙ୍କ ଜିଭ କାଟି ଦେଇଥିଲେ ଏବଂ ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ। ଅତି ଗୁରୁତର ଅବସ୍ଥାରେ […]
ହଠରାସ ଗଣଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial