ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା: ଭାସିଗଲା ଦୁଇ ଡାଇଭର୍ସନ, ଶେରଗଡ଼-ବଡ଼ଗଡ଼ ଯୋଗାଯୋଗ ବିଛିନ୍ନ

ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା

ଶେରଗଡ଼ ବ୍ଲକରେ ବ୍ୟାପକ ପନିପରିବା ଫସଲ ନଷ୍ଟ

ଶେରଗଡ଼/ବ୍ରହ୍ମପୁର/ପାତ୍ରପୁର: ଗତ ୧୧ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ଠାରୁ ଆଜି ଯାଏଁ ସ୍ଥିତି ଆହୁରି ଖରାପ ରହିଛି। ଲଗାଣ ବର୍ଷା ଯୋଗୁଁ ଶେରଗଡ଼ ଅଞ୍ଚଳରେ ପ୍ରବାହିତ ଋଷିକୁଲ୍ୟା, ବାଘୁଆ, ନନ୍ଦିନୀ ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ବଡ଼ଗଡ଼-ଗାଙ୍ଗପୁର ପାର୍ଶ୍ୱରେ ଥିବା ଡାଇଭର୍ସନ ଭାସିଯାଇଛି। ଶେରଗଡ଼-ବଡ଼ଗଡ଼ ରାସ୍ତା ମଧ୍ୟରେ ଦୁଇଟି ସ୍ଥାନରେ ଡାଇଭର୍ସନ ଭାସି ଯିବା ଫଳରେ ଶେରଗଡ଼-ବଡ଼ଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ପଡିଛି, ଯାହା ଫଳରେ ପଚାଶରୁ ଅଧିକ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଶେରଗଡ଼ ପାଟ ପାହାଡ଼ରୁ ବର୍ଷା ପାଣି ନିଷ୍କାସନ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ହଜାର ହଜାର ଏକର ଚାଷ ଜମିରେ ପାଣି ଜମି ରହି ଫସଲ ନଷ୍ଟ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଶେରଗଡ଼ ପାଇକସାହି, କେଉଟ ସାହି, ବଡଦାଣ୍ଡ ସାହି ଓ ପାଟପଲ୍ଲୀ ବାରିପଟେ ପାଣି ଜମି ରହିଥିବା ବେଳେ ଘରେ ପଶିବା ପରିସ୍ଥିତି ଏଡାଇ ହେଉନି। ପିତଳ-ଶ୍ୟାମଲାଇ ଛକ ମଧ୍ୟ ବି. ନୂଆପଲ୍ଲୀ ଠାରେ ଜାତୀୟ ରାଜପଥ ଉପରେ ପାଣି ଚାଲିଛି। ତହସିଲଦାର ଡ଼ ଦୟାସିନ୍ଧୁ ପରିଡା ନଦୀ ତଟ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

୨୪ ଘଣ୍ଟାରେ ୧୩୮୫.୬ ମିମି ବର୍ଷା ରେକର୍ଡ
ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୩୮୫.୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ଖଲିକୋଟରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ଓ ବୁଗୁଡ଼ାରେ ସର୍ବନିମ୍ନ। ଜିଲ୍ଲାର ଭଂଜନଗର, ସୋରଫା, ଡହ, ଘୋଡ଼ାହାଡ, ଧନେଇ, ବାଘୁଆ ଓ ବାଘଲଟି ଡ୍ୟାମ ରହିଛି। ଲଗାଣ ବର୍ଷା ଫଲରେ ଜଳ ଭର୍ତ୍ତି ହୋଇଥିବା ବେଳେ ବାଘଲଟି ଡ୍ୟାମର ୨ଟି ସୁଇସ୍‌ ଗେଟ ମାଧ୍ୟମରେ ଜଳ ନିଷ୍କାସନ ହୋଇଛି। ଗଞ୍ଜାମ ଜିଲ୍ଲାର ସୀମାନ୍ତ ପାତ୍ରପୁର ବ୍ଲକରେ ଆଦିବାସୀ ଅଞ୍ଚଳରେ ବର୍ଷାର ଚିତ୍ର ଦୟନୀୟ ହୋଇଛି। ପାହାଡ଼ରୁ ପାଣି ଖସିବା ଫଳରେ ତୁମ୍ବା-ବୁରାତାଲ ରାସ୍ତାର ୨ଟି ସ୍ଥାନରେ ବର୍ଷା ଜଳ ପ୍ରବାହିତ ହୋଇ ଧୋଇଯିବାର ଗମନାଗମନ ପ୍ରଭାବିତ ହୋଇଛି।
ପାତ୍ରପୁରରେ ୨୦ରୁ ଅଧିକ ଜଳମଗ୍ନ
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଆଙ୍କୁଲି ଏବଂ ବୁରାତାଲ ପଞ୍ଚାୟତର ୫ ଗାଁ ବଣିଆବସା, ବେହେରାପୁଟ, ଏଲଗଲ, ମଦୁଆଗୁମାନ୍ଦରେ ପାହାଡ଼ ଝରଣା ପାଣି, ଲଘୁଚାପ ବର୍ଷା ସହ ବାଘଲଟି ଜଳ ପ୍ରକଳ୍ପର ପାଣି ଦ୍ୱାରା ସଂପୂର୍ଣ୍ଣ ଜଳମଗ୍ନ ହୋଇଛି। ପାତ୍ରପୁର ବ୍ଲକ ଅନ୍ତର୍ଗତ ଆଙ୍କୁଲି ପଞ୍ଚାୟତର ବାଘଲଟି ଜଳଭଣ୍ଡାର ଆରପାରିରେ ଥିବା ଏଲଗଲ ଓ ବଣିଆବସା ଗାଁରେ ବନ୍ୟା ଜଳ ପ୍ରବେଶ କରିଛି। ଆଙ୍କୁଲି ପଞ୍ଚାୟତର ଚରିଆବାଡ଼ ନିକଟରେ ରାସ୍ତା ଉପରେ ପାହାଡ଼ ଧସି ହୋଇ ପ୍ରାୟ ଅଧିକାଂଶ ଗାଁ ବାହ୍ୟ ଜଗତରୁ ବିଛିନ୍ନ ରହିଛି। ସେହିଭଳି ତୁମ୍ବା ଓ ବୁରାତାଲ ପଞ୍ଚାୟତର ପ୍ରାୟ ୨୦ଟି ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

Share Now:

Kalinga News Beuro

Next Post

ନିଶ୍ଚିନ୍ତକୋଇଲିରେ ଚକଡ଼ା ପୋକ ଆତଙ୍କ

Tue Oct 13 , 2020
ମୂଳରୁ ମରିଯାଉଛି ଧାନ ଗଛ, ଚାଷୀ ଚିନ୍ତିତ ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ର ବହୁ ପଞ୍ଚାୟତରେ ଏବେ ଚକଡ଼ା ପୋକ ଆତଙ୍କ ସୃଷ୍ଟି କରିଛନ୍ତି। ଧାନ ଫସଲରେ ଏହି ପ‌ୋକ ଲାଗିବା ପରେ ହଳଦିଆ ପଡ଼ି ଗଛ ମୂଳରୁ ଗଛ ମରି ଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର […]
ନିଶ୍ଚିନ୍ତକୋଇଲିରେ ଚକଡ଼ା ପୋକ ଆତଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial