ଆଜି ବାତ୍ୟା ରୂପ ନେବ ଅମ୍ଫାନ୍‌ : ଭୀଷଣ ପ୍ରକୋପ ଥାଇ ଓଡ଼ିଶା ଅତିକ୍ରମ କରିବ

୧୮ରୁ ୨୦ ଯାଏ ଉପକୂଳରେ ବଡ଼ ବର୍ଷା, ୮୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶନିବାର ସନ୍ଧ୍ୟାରେ ବାତ୍ୟା ରୂପ ନେବ। ତେବେ ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ର ଓଡ଼ିଶା ଉପରେ କି ପ୍ରଭାବ ରହିବ, ସର୍ବୋପରି ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେ ନେଇ ଠୋସ୍ ଭାବେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର କିଛି ପୂର୍ବାନୁମାନ କରିନାହିଁ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟାର ରୂପ ନେବା ପରେ ଏହାର ଗତିପଥକୁ ନେଇ ଅଧିକ ସଠିକ୍ ଆକଳନ କରାଯାଇପାରିବ। ତେବେ ଏହି ବାତ୍ୟା କେଉଁଠି ଉପକୂଳ ଅତିକ୍ରମ କରିବ ବା ଲ୍ୟାଣ୍ଡଫଲ୍‌ କରିବ ତାହା ବର୍ତମାନ ଆକଳନ କରାଯାଇନାହିଁ। ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି, ଏହି ବାତ୍ୟା ଓଡ଼ିଶା ମୁହାଁ ନ ହୋଇ ପଶ୍ଚିମବଙ୍ଗ ବା ବାଂଲାଦେଶ ଆଡ଼କୁ ଗତି କରିପାରେ। ଯଦି ଏହା ଠିକ୍‌ ହୁଏ ତେବେ ଓଡିଶାରେ ବଡ଼ ବର୍ଷା ହେବ ଏବଂ ପବନ ବି ବହିବ। ଅର୍ଥାତ୍ ବାତ୍ୟାର ସିଧା ପ୍ରଭାବ ଓଡ଼ିଶାରେ ରହିବ ନାହିଁ। ଏହାର ପ୍ରଭାବରେ ୧୮ ତାରିଖରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ, ସ୍ଥଳବିଶେଷରେ ଏହା ୬୦ କିଲୋମିଟର ଛୁଇଁପାରେ। ହେଲେ ପୂର୍ବ ଓ ଉତ୍ତର ଉପକୂଳରେ ବଡ଼ ବର୍ଷା ସହିତ ପବନର ବେଗ ଅପେକ୍ଷାକୃତ ଅଧିକ ରହିବ, ଅର୍ଥାତ୍ ୬୦ରୁ ୭୦ କିମି ବେଗରେ ବହିବ, ମଝିରେ ମଝିରେ ୮୦କିଲୋମିଟର ବେଗରେ ଝଟ୍‌କା ଦେଇପାରେ। ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୧୬ ତାରିଖରେ ବାତ୍ୟା ଦକ୍ଷିଣ ବଙ୍ଗୋପସାଗରରେ ରହିବ, ୧୮ରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଏହା ଯେତିକି ଉତ୍ତର ଆଡ଼କୁ ଗତି କରିବ, ସେତିକି ଭାରତର ପୂର୍ବ ଉପକୂଳ ନିକଟବର୍ତୀ ହେବ। ଯଦିଓ ଏହା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇପାରେ ବୋଲି ବିଚାର କରାଯାଉଛି, ତେବେ ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଭୀଷଣ ପ୍ରକୋପ ଦେଖିବାକୁ ମିଳିବ। ଏପରିକି ଏହା ଅତି ଭୀଷଣ ବାତ୍ୟା ରୂପ ନେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।
ଉଭୟ ନିମ୍ନ ଓ ଉପର ବାୟୁ ମଣ୍ଡଳରେ ବାୟୁର ଚାପ, ପ୍ରବାହ, ଜଳପତ୍ତନର ତାପମାତ୍ରାକୁ ନିରେଖି ଦେଖିଲେ, ସୂଚନା ମିଳୁଛି ଯେ ଏହା ଓଡ଼ିଶା ଉପକୂଳ ଅପେକ୍ଷା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ। ଗୋଟିଏ ମଡେଲ କହୁଛି, ଓଡ଼ିଶା ଉପକୂଳ ନିକଟରେ ଏହା ସମୁଦ୍ରରେ ଗତି କରିବ ଓ ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶ ପାଖରେ ସ୍ଥଳଭାଗ ଛୁଇଁବ। ୧୮ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୧୯ ତାରିଖରେ ସମଗ୍ର ଉପକୂଳ ଅ଼ଞ୍ଚଳ ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବ। ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ଉପକୂଳରେ ବଡ଼ ବର୍ଷା ସହିତ ଏହା ଆଗକୁ ବଢ଼ିବ। ଅନ୍ୟ ଏକ ମଡେଲ ଅନୁସାରେ, ୧୮ ଓ ୧୯ ତାରିଖରେ ଅଧିକ ପୂର୍ବ ଆଡ଼କୁ ଗତି କରି ବାଂଲାଦେଶର ଚିଟାଗଙ୍ଗ ନିକଟରେ ସ୍ଥଳଭାଗ ଛୁଇଁପାରେ।
ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୧୮ ତାରିଖ ବେଳକୁ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହିତ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ‘ପ୍ରବଳ ବର୍ଷା’ ହୋଇପାରେ। ଏସବୁ ଜିଲ୍ଲା ପାଇଁ ୟେଲୋ ଵାର୍ଣ୍ଣିଂ ଜାରି ହୋଇଛି। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ୧୯ତାରିଖ ବେଳକୁ ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହିତ, ଗୋଟିଏରୁ ଦୁଇଟି ସ୍ଥାନରେ ‘ପ୍ରବଳରୁ ଅତି ପ୍ରବଳ ବର୍ଷା’ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ୧୫ ତାରିଖଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ଗଭୀର ବଙ୍ଗୋପସାଗର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ତା’ ସହିତ ୧୮ ତାରିଖଠାରୁ ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ-ବଙ୍ଗୋପସାଗରର ଗଭୀର ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯିବାକୁ ବାରଣ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କର, ଲୋକଙ୍କୁ ଟଙ୍କା ଦିଅ: ରାହୁଳ ଗାନ୍ଧୀ

Sat May 16 , 2020
ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ଯେ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ପୁନର୍ବିଚାର କରି ଲକ୍‌ଡାଉନ୍ ଯୋଗୁଁ ଦୁର୍ଦ୍ଦଶାଗ୍ରସ୍ତ ହେଉଥିବା ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ପଠାଇବା କଥା ଚିନ୍ତା କରିବା ଆବଶ୍ୟକ। ଆଜି ମଧ୍ୟାହ୍ନରେ ରାହୁଳ ଇଲେକ୍ଟ୍ରୋନିକ୍ ରିଜିଓନାଲ୍ ନିଉଜ୍ ମି‌ଡିଆମାନଙ୍କର ପ୍ରଶ୍ନର ଉତ୍ତର ଦେବା ବେଳେ ଏ କଥା କହିଛନ୍ତି। ରାହୁଳ ଗାନ୍ଧୀ କହିଲେ, ଉପବାସରେ ଚାଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial