ଭୁବନେଶ୍ବର : କିଛି ଦିନ ହେଲା ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ତେବେ କରୋନା ଯୋଗୁଁ ଗତ ଦୁଇଥର ପରି ଏଥର ଯେମିତି ଲୋକଙ୍କ ଜୀବିକା ପ୍ରଭାବିତ ନ ହେବ, ସେଥିପ୍ରତି ଗୁରୁତ୍ବ ଦେଇ ସରକାର କଟକଣାକୁ ସୀମିତ ରଖିଛନ୍ତି। ଲକ୍ଡାଉନ୍, ସଟ୍ଡାଉନ୍ ଭଳି କଠୋର୍ ପଦକ୍ଷେପ ପରିବର୍ତ୍ତେ କଣ୍ଟେନମେଣ୍ଟ ଜୋନ୍, ନାଇଟ୍ କର୍ଫ୍ୟୁ, ଗାଇଡ୍ଲାଇନ୍ ଉଲ୍ଲଙ୍ଘନ ହେଲେ ଦୋକାନ ସିଲ୍, ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ଭଳି ପଦକ୍ଷେପରେ କଟକଣାକୁ ସୀମିତ ରଖିଛନ୍ତି। ଏହାକୁ କଡ଼ାକଡ଼ି ପାଳନ ନେଇ ସୁନିଶ୍ଚିତ କରାଇବାକୁ ରାଜଧାନୀରେ ବିଏମ୍ସି ଓ କମିସନରେଟ୍ ପୁଲିସ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ଏସବୁ ସତ୍ତ୍ବେ ତୃଣମୂଳସ୍ତରରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଲୋକ ମାନୁନାହାନ୍ତି କି ଦୋକାନ, ମଲ୍ ସମେତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ହେଉଥିବା ଅସମ୍ଭାଳ ଭିଡ଼କୁ ବିଏମ୍ସି ନିୟନ୍ତ୍ରଣ କରିପାରୁନାହିଁ। ରାଜଧାନୀର ବିଭିନ୍ନ ସ୍ଥାନରେ ଆଜି ଏପରି ବ୍ୟତିକ୍ରମ, ଅବ୍ୟବସ୍ଥାର ଚିତ୍ର ଗଣମାଧ୍ୟମର କ୍ୟାମେରାରେ କଏଦ୍ ହୋଇଛି।
ଟଙ୍କା ପାଇଁ ସାମାଜିକ ଦୂରତାକୁ ଫୁ’
ଶବର ସାହିରେ ଥିବା ୨୮ ନମ୍ବର ୱାର୍ଡ ଅଫିସ୍ରେ ଆଜି ପ୍ରବଳ ଗହଳି ହୋଇଥିଲା। ଘର ମରାମତି ସହାୟତା ପ୍ରଦାନ କରାଯାଉଥିବାରୁ ଦିନସାରା ସେଠାରେ ଲୋକଙ୍କ ଗହଳି ଜମିଥିଲା। ଯୁବକଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ଦୂରେ ଥାଉ, କାଁଭାଁ ଲୋକଙ୍କ ମୁହଁରେ ମାସ୍କ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ, କେଉଁ ଆଧାରରେ ବଣ୍ଟା ଯାଉଛି? କିଏ କେଉଁ ଦିନ ଆସି ଟଙ୍କା ନେବ? ସେ ସଂପର୍କରେ ଅନେକ ହିତାଧିକାରୀ ଅବଗତ ନଥିବାରୁ, ସେମାନେ ବି ସେଠାରେ ଅଯଥାରେ ଗହଳି କରିଥିଲେ। ଖୋଦ୍ ବିଏମ୍ସି ଅଧିକାରୀ ଏହି ବ୍ୟବସ୍ଥାକୁ ପରିଚାଳନା କରୁଥିଲେ ମଧ୍ୟ କଟକଣା କଥା ଯେମିତି ପାସୋରି ଯାଇଥିଲେ।

ମାର୍କେଟ୍ ବିଲ୍ଡିଂରେ ହାଉଯାଉ
ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ ଯୋଗୁଁ ୩ ଦିନ ଧରି ମାର୍କେଟ୍ ବିଲ୍ଡିଂ ବନ୍ଦ ରହିବା ପରେ ଗତକାଲି ଅପରାହ୍ଣରେ ଖୋଲିଥିଲା। ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ସେଠାକାର ଦୃଶ୍ୟରେ ବିରାଟ ପରିବର୍ତ୍ତନ ଦେଖାଦେଇଥିଲା। ୩ଦିନ ଧରି ଖାଁ ଖାଁ ଥିବା ମାର୍କେଟ୍ ବିଲ୍ଡିଂ ଆଜି ଲୋକାରଣ୍ୟ ହୋଇଯାଇଥିଲା। ତିନିଦିନ କାଳ ବେପାର ହୋଇ ନଥିବାରୁ ବ୍ୟବସାୟୀମାନେ ଭିଡ଼ ଓ କଟକଣାକୁ ଆଖି ବୁଜି ଦେଇଥିଲେ। ଏହାର ବିପରୀତରେ ଥିବା ଏକ ନମ୍ବର ହାଟରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ହାଟ ଭିତରେ ଦୋକାନୀମାନେ ରାସ୍ତା ଉପରେ ଜିନିଷ ଗଦାଇଥିବାରୁ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଅସମ୍ଭବ ହୋଇପଡ଼ିଥିଲା। କିନ୍ତୁ ଏସବୁ ଯେମିତି ବିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ର ନଜର ପଡ଼ିନଥିଲା।

ରମାଦେବୀ ଛାତ୍ରୀଙ୍କୁ ଭଗବାନ ଭରସା
ନିକଟ ଅତୀତରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶହଶହ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତୃତୀୟ ଲହର ଆସିଲେ ଅଧିକରୁ ଅଧିକ କିଶୋର ଓ ଶିଶୁ ଆକ୍ରାନ୍ତ ହୋଇପାରନ୍ତି ବୋଲି ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଏଥିପ୍ରତି ଯେମିତି ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ପରବାୟ ନାହିଁ। ବିଶ୍ବବିଦ୍ୟାଳୟ ଗେଟ୍ ସାମ୍ନା ଫାଷ୍ଟଫୁଡ୍ ଦୋକାନଗୁଡ଼ିକରେ ଆଜି ଛାତ୍ରୀଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ଶହଶହ ଛାତ୍ରୀ ଦୋକାନ ଆଗରେ ଗଦା ହୋଇ ଫାଷ୍ଟଫୁଡ୍ର ମଜା ନେଇଥିଲେ। ନା ଥିଲା ସାମାଜିକ ଦୂରତା, ନା ଛାତ୍ରୀମାନେ ମାସ୍କ ପିନ୍ଧିଥିଲେ। ଗୁରୁତ୍ବପୂର୍ଣ୍ଣ ଜନପଥରେ ଥିବା ଏହି ସ୍ଥାନଟି ଥିଲେ ହେଁ ଏଠାରେ ବି ବିଏମ୍ସି କର୍ତ୍ତୃପକ୍ଷଙ୍କର ନଜର ପଡ଼ି ନଥିଲା। ସେହିଭଳି ଟିକେଟ୍ ପାଇଁ ରେଳଷ୍ଟେସନ୍ ଟିକେଟ୍ କାଉଣ୍ଟର୍ରେ ମଧ୍ୟ ଭିଡ଼ ଦେଖାଯାଇଥିଲା।