ସ୍ୱର୍ଣ୍ଣିମ ଶନିବାରରେ ସୁନା ବର୍ଷା: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତ ଖାତାରେ ୮ଟି ଗୋଲ୍ଡ

ଗୋଲ୍ଡକୋଷ୍ଟ:ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ସହ ମୋଟ୍ ୮ଟି ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱର୍ଣ୍ଣିମ ଶନିବାରର ପ୍ରଥମ ଗୋଲ୍ଡ ମେଡାଲ୍ ଜିଣିଥିଲେ ବକ୍ସିଂର ଆଇରନ୍ ଲେଡି ଭାବେ ପରିଚିତ ମେରିକମ୍। ୪୮ କେଜି ବର୍ଗର ମହିଳା ବକ୍ସିଂ ଫାଇନାଲରେ ମେରିକମ୍ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏଥିସହିତ ରାଜ୍ୟଗୋଷ୍ଟୀ କ୍ରୀଡ଼ାରେ ପ୍ରଥମ ଥର ଲାଗି ପଦକ ହାସଲ କରିଛନ୍ତି ମେରିକମ୍। ପାଞ୍ଚ ଥରର ବିଶ୍ୱ ଚାଂପିୟନ୍ ମେରିକମ୍, ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ମଧ୍ୟ ଜିଣିଥିଲେ।

ଆଜିର ଦ୍ୱିତୀୟ ଗୋଲ୍ଡ ମେଡାଲ୍ ଆସିଥିଲା ସୁଟିଂରୁ। ୫୦ ମିଟର ଥ୍ରୀ ପୋଜିସନ୍ ଇଭେଣ୍ଟରେ ସଞ୍ଜୀବ ରାଜପୁତ ଗେମ୍ ରେକର୍ଡ ସହ ଦେଶ ପାଇଁ ଜିତିଥିଲେ ସ୍ୱର୍ଣ୍ଣ ପଦକ। ୩୭ ବର୍ଷିୟ ସଂଜୀବ ୪୫୪.୫ ପଏଣ୍ଟ ସ୍କୋର କରି ଟପ୍ ପୋଜିସନରେ ରହିଥିଲେ।

ବକ୍ସର ଗୌରବ ସୋଲାଙ୍କି ଆଜିର ତୃତୀୟ ଗୋଲ୍ଡ ମେଡାଲ୍ ଜିଣି ଦେଶ ପାଇଁ ଆଣିଥିଲେ ଗୌରବ। ପୁରୁଷ ୫୨ କେଜି ବର୍ଗରେ ସେ ନର୍ଦ୍ଦେର୍ଣ୍ଣ ଆୟରଲ୍ୟାଣ୍ଡର ବ୍ରେଣ୍ଡନ୍ ଇର୍ଭାଇନଙ୍କୁ ୪-୧ ବ୍ୟବଧାନରେ ପରାସ୍ତ କରିଥିଲେ। ସେହିପରି ବକ୍ସିଂର ୬୦କେଜି ବର୍ଗରେ ମନୀଷ କୌଶିକ ଓ ୪୯ କେଜି ବର୍ଗରେ ଅମିତ ପଙ୍ଗଲ୍ ଫାଇନାଲରେ ହାରି ସିଲଭର୍‌ରେ ସନ୍ତୁଷ୍ଟ ହୋଇଛନ୍ତି।

ଜାଭେଲିନରେ ଜୁନିୟର ଓ୍ୱାର୍ଲଡ ଚାଂପିୟନ୍ ନୀରଜ ଚୋପ୍ରା, ଦେଶ ପାଇଁ ଆଜି ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିଣିବା ସହ ରଚିଛନ୍ତି ଇତିହାସ। ଫାଇନାଲରେ ସେ ୮୬.୪୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ। କମନେଓ୍ୱଲ୍ଥ ଗେମ୍ସରେ ଜାଭେଲିନରେ ଗୋଲ୍ଡ ମେଡାଲ୍ ଜିତିବାରେ ନୀରଜ ପ୍ରଥମ ଭାରତୀୟ ହେବାର ରେକର୍ଡ କରିଛନ୍ତି।

କୁସ୍ତିରେ ଆଜି ଭାରତକୁ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ଫ୍ରି ଷ୍ଟାଇଲ୍ ୧୨୫ କେଜି ବର୍ଗରେ ସୁମିତ୍ ମଲ୍ଲିକ ଆଜିର ପଞ୍ଚମ ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ ବହୁ ଚର୍ଚ୍ଚିତ ଫୋଗଟ୍ ଭଉଣୀଙ୍କ ମଧ୍ୟରୁ ଅନ୍ୟତମ ଭିନେଶ୍ ଫୋଗଟ୍ ମହିଳା ଫ୍ରି ଷ୍ଟାଇଲର ୫୦ କେଜି ବର୍ଗରେ ଜିତିଛନ୍ତି ଗୋଲ୍ଡ ମେଡାଲ୍। ଭିନେଶ୍ କାନାଡ଼ାର ଜେସିକା ମେକ୍ଡୋନାଲ୍ଡକୁ ୧୩-୩ ବ୍ୟବଧାନରେ ହରାଇଥିଲେ। ସେପଟେ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ସାକ୍ଷୀ ମଲ୍ଲିକ, ଗୋଲ୍ଡକୋଷ୍ଟରେ ବି ବ୍ରୋଞ୍ଜ୍ ମେଡାଲରେ ସନ୍ତୁଷ୍ଟ ହୋଇଛନ୍ତି।

ଆଜିର ସପ୍ତମ ସ୍ୱର୍ଣ୍ଣ ଆସିଥିଲା ମହିଳା ଟେବୁଲ୍ ଟେନିସରୁ। ଓ୍ୱିମେନ୍ ସିଙ୍ଗିଲ୍ସ୍ ଫାଇନାଲରେ ମନିକା ବାତ୍ରା ଜିତିଥିଲେ ଗୋଲ୍ଡ ମେଡାଲ୍‌। ଆଜି ବକ୍ସିଂରେ ତୃତୀୟ ଓ ମୋଟ୍ ଉପରେ ଦେଶକୁ ଅଷ୍ଟମ ଗୋଲଡ୍ ମେଡାଲ୍ ଦେଇଥିଲେ ବକ୍ସର ବିକାଶ କ୍ରିଷନ। ୭୫ କିଲୋଗ୍ରାମ ବର୍ଗ ଫାଇନାଲରେ ସେ କ୍ୟାମେରୁନ୍ର ବକ୍ସରଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିଲେ।

Share Now:

Kalinga News Beuro

Leave a Reply

Next Post

ହୀରାକୁଦ ଜଳଭଣ୍ଡାର ସେତୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

Sun Apr 15 , 2018
ସମ୍ବଲପୁର/ଇବଥର୍ମାଲ : ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ସପ୍‌ନେ-ରମ୍ପେଲା ସେତୁର ଆଜି ଲୋକାର୍ପଣ ହେବ। ଶେଷପର୍ଯ୍ୟନ୍ତ ଏହି ସେତୁର ନିଦ୍ଦିଷ୍ଟ ନାମକରଣ ହୋଇ ପାରିନଥିଲେ ବି ରବିବାର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବା ସହ ଏହାର ଆପ୍ରୋଚ୍‌ ରୋଡ୍‌କୁ ବି ଉଦ୍‌ଘାଟନ କରିବେ। ରାଜ୍ୟର ଅନ୍ୟତମ ଦୀର୍ଘତମ ସେତୁ ଭାବେ ପରିଗଣିତ ହେବାକୁ ଯାଉଥିବା ଏହି ସେତୁ ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ଅଞ୍ଚଳ ମଧ୍ୟରେ ଦୂରତ୍ୱ ବହୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial