ନକଲି ସାମ୍ବାଦିକଙ୍କ ଗୁମର ଖୋଲୁଛି କମିଶନରେଟ ପୁଲିସ: ଫୁଡ୍‌ ଫ୍ୟାକ୍ଟ୍ରିରୁ ଲକ୍ଷେ ଟଙ୍କା ବଟି ନେଇଥିଲେ

ଖୋଲୁଛି ନକଲି ସାମ୍ବାଦିକଙ୍କ ଗୁମର

ପୁଲିସ ପିଆରଓ ଗୃପରେ ଜମେଇଥିଲେ ଆସ୍ଥାନ

ଭୁବନେଶ୍ୱର: କମିଶନରେଟ‌ ପୁଲିସର ‘ଦାଦାବଟିକୁ ନା’ ଯୋଜନାରେ ଫସିଛନ୍ତି ଅଣପଞ୍ଜୀକୃତ ଖବର ପ୍ରସାର ସଂସ୍ଥାର ୬ଜଣ ନକଲି ସାମ୍ବାଦିକ। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁର(ପାତ୍ରପଡ଼ା)ସ୍ଥିତ ଏକ ତେଲ କାରଖାନା ଜ୍ୟୋତି ଟ୍ରେଡର୍ସରୁ ଦାଦାବଟି ମାଗିବା ଅଭିଯୋଗରେ କମିଶନରେଟ‌ ପୁଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ତୁଳସୀପୁରର କାହ୍ନୁ ଚରଣ ନାୟକ(ଟାଇମ୍‌ସ ଓଡ଼ିଆ), ଟଙ୍କପାଣି ରୋଡ୍‌ରେ ରହୁଥିବା ନୃସିଂହ ବେହେରା(ଟାଇମ୍‌ସ ଓଡ଼ିଆ), ବଡ଼ଗଡ଼ ଥାନା ରତ୍ନାକରବାଗ୍‌ ବାସିନ୍ଦା ବିନାୟକ ବେହେରା(ଆଇୱାଇଏ ନିଉଜ୍‌), ବଡ଼ଗଡ଼ ବ୍ରିଟ୍‌ କଲୋନିରେ ରହୁଥିବା ସାଲେପୁର କଟିକଟାର ବିଶ୍ବରଞ୍ଜନ ମହାନ୍ତି(ଭିଜନ୍‌ ଟିଭି), ଓଲ୍ଡଟାଉନ୍‌ ଖରାଖିଆ ଲେନ୍‌ରେ ରହୁଥିବା ଢେଙ୍କାନାଳ ମୀନା ବଜାରର ଲକ୍ଷ୍ମୀକାନ୍ତ ସାହୁ(ଅନନ୍ୟା ନିଉଜ୍‌) ଓ ଗାଡ଼ି ଚାଳକ ବଳରାମ ବେହେରା। ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ପରିଚୟ ଦେଇ ଏମାନେ ଜ୍ୟୋତି ଟ୍ରେଡର୍ସ କମ୍ପାନିରୁ ବଟି ମାଗୁଥିବା ଅଭିଯୋଗ ହେବା ପରେ ପୁଲିସ ଏହି ଅଣପଞ୍ଜୀକୃତ ସଂସ୍ଥାର ନକଲି ସାମ୍ବାଦିକମାନଙ୍କୁ ଗିରଫ କରିଛି। ତେବେ ନକଲି ସାମ୍ବାଦିକ ବିକାଶ ବେହେରା ଫେରାର ରହିଛି। ତେବେ ରାଜ୍ୟର ଏହି ବହୁଚର୍ଚ୍ଚିତ ମାମଲାରେ ପୁଣି କିଛି ମାମଲା ଯୋଡ଼ି ହେବାରେ ଲାଗିଛି। ଆଜି ତମାଣ୍ଡୋ ଥାନା‌ରେ ନକଲି ସାମ୍ବାଦିକ କାହ୍ନୁଚରଣ ଓ ବିନାୟକ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି। କଳିଙ୍ଗନଗରସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ଶ୍ରୀଲକ୍ଷ୍ମୀ ଫୁଡ୍‌ ପ୍ରଡକ୍ଟରୁ ଏମାନେ ଲକ୍ଷେ ଟଙ୍କା ବଟି ନେଇଥିଲେ ବୋଲି ଅଭିଯୋଗ ହୋଇଛି। ବଟି ନ ଦେଲେ ୱେବ୍‌ ଚ୍ୟାନେଲ୍‌ରେ ଖବର ପ୍ରଚାର କରି ବଦନାମ କରିବେ ବୋଲି ମାଲିକଙ୍କୁ ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ମାଲିକ ବିକାଶ ବେହେରାର ଏସ୍‌ବିଆଇ ଆକାଉଣ୍ଟକୁ ଏକ ଲକ୍ଷ ଟଙ୍କା ପଠାଇଥିଲେ ବୋଲି କହିଛନ୍ତି। କାହ୍ନୁ ଓ ବିନାୟକ ସହ ବିକାଶ ଏହି କାରଖାନାକୁ ଯାଇ ବଟି ମାଗିଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ପୁଲିସ ସିସିଟିଭି ଫୁଟେଜ୍‌ ଓ ଆକାଉଣ୍ଟ ଡିଟେଲ୍ସ ପାଇବା ପରେ ବିକାଶକୁ ଧରିବା ପାଇଁ ତନାଘନା ଚଳାଇଥିବା ଜଣାପଡ଼ିଛି। ସେହିଭଳି ଏବେ ଅଣପଞ୍ଜୀକୃତ ଖବର ପ୍ରସାର ସଂସ୍ଥାର ମାଲିକମାନେ ମଧ୍ୟ ପୁଲିସ ସ୍କାନର୍‌ରେ ଥିବା ଜଣାପଡ଼ିଛି। ଖୁବ୍‌ ଶୀଘ୍ର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କେବଳ ସେତିକି ନୁହେଁ, ଏଭଳି ୱେବ୍ ଚ୍ୟାନେଲ‌ ବାଦ୍‌ ମୁଦ୍ରିତ ଗଣମାଧ୍ୟମ ନାଁରେ ବହୁ ନକଲି ସାମ୍ବାଦିକ ମଧ୍ୟ ବଟି ମାଗୁଥିବା ସୂଚନା ମିଳିଛି। ବଡ଼ କଥା ହେଉଛି ଏହି ଗିରଫଦାରୀ ପରେ କମିଶନରେଟ‌ ପୁଲିସ ପିଆର୍‌ଓ ଗୃପରୁ ଏଭଳି ବହୁ ନକଲି ସାମ୍ବାଦିକଙ୍କୁ ହଟାଇ ଦିଆଯାଇଛି। ଏମାନେ ଦୀର୍ଘ ଦିନ ଧରି ପୁଲିସ ପିଆର୍‌ଓ ଗୃପ‌ରେ ଆସ୍ଥାନ ଜମାଇଥିଲେ। ଏମିତିକି ବହୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ‌ତେବେ ସେମାନଙ୍କ ଏହି କଳାକାରନାମାର ପର୍ଦ୍ଦାଫାସ୍‌ ହେବା ପରେ ତୁରନ୍ତ ପୁଲିସ ପିଆର୍‌ଓ ଗୃପରୁ ସେମାନଙ୍କୁ ବାହାର କରାଯାଇଛି। ଏମିତିକି ରାଜଧାନୀର ବିଭିନ୍ନ କ୍ରାଇମ୍‌ ସାମ୍ବାଦିକଙ୍କ ଗୃପରୁ ମଧ୍ୟ ସେମାନଙ୍କୁ ବାହାର କରାଯାଇଛି। ଆଗକୁ ଏଭଳି ନକଲି ସାମ୍ବାଦିକ ଯେଭଳି ପୁଲିସ ଗୃପରେ ନ ରୁହନ୍ତି, ତା’ ଉପରେ ନଜର ରଖିବାକୁ କୁହାଯାଇଛି। ତେବେ କେବଳ ଗିରଫ ହୋଇଥିବା ଏହି ୬ଜଣ ନୁହନ୍ତି, ବରଂ ଏଭଳି ଆହୁରି ଅଧିକ ସଂଖ୍ୟାରେ ନକଲି ସାମ୍ବାଦିକ ରାଜ୍ୟ ସାରା ଘୂରି ବୁଲୁଥିବା ପୁଲିସ କହିଛି। ଅଣପଞ୍ଜୀକୃତ ସଂସ୍ଥାରେ କାମ କରୁଥିବା ଏମିତି ବହୁ ନକଲି ସାମ୍ବାଦିକ ବଟି ମାଗୁଥିବା ଜଣାପଡ଼ିଛି। କମିଶନରେଟ‌ ପୁଲିସ ସେମାନଙ୍କ ତାଲିକା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ପୂର୍ବରୁ ଏଭଳି ଜଣେ ନକଲି ସାମ୍ବାଦିକକୁ ଦୁଷ୍କର୍ମ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିଲା। ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ବାହାନାରେ ଉକ୍ତ ନକଲି ସାମ୍ବାଦିକଜଣକ ନିଜ ଅଫିସରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ସୂଚନାଯୋଗ୍ୟ, କମିଶନରେଟ‌ ପୁଲିସ ‘ଦାଦାବଟିକୁ ନା’ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଆରମ୍ଭ ହେବା ପରେ ବିଭିନ୍ନ ସଂସ୍ଥା ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ ବାବଦରେ ମୁହଁ ଖୋଲିବାକୁ ସାହସ ଜୁଟାଇଛନ୍ତି। ପୂର୍ବରୁ ସାମ୍ବାଦିକ ଢ଼ାଲ ବ୍ୟବହାର କରି ବଟି ଆଦାୟ କରୁଥିବା ଏହି ଛଦ୍ମବେଶୀ ‘ଦାଦା’ଙ୍କ ବିରୋଧରେ ଆଗକୁ ଆସୁନଥିବା ସଂସ୍ଥାମାନେ ଏବେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ତେଣୁ ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ିବା ପରେ ଦାଦାବଟି ଆଦାୟ କରି ମାଲେମାଲ୍‌ ହେଉଥିବା ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରିବା ସହଜ ହୋଇଛି ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Next Post

ସ୍କୁଲରେ ହେବ କୋଭିଡ୍‌ ପରୀକ୍ଷା

Thu Oct 29 , 2020
ଭୁବନେଶ୍ୱର : ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ଅଛି। ପ୍ରଥମେ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି। ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ‌ଏବେ କିଛି ସ୍କୁଲ, କଲେଜକୁ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଆସୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ। ହେଲେ ଏହା ପୂର୍ବରୁ ସ୍କୁଲ, କଲେଜ କର୍ତ୍ତୃପକ୍ଷ ଚାହିଁଲେ […]
ସ୍କୁଲରେ ହେବ କୋଭିଡ୍‌ ପରୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial