ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଦୋମୁହାଁ ନୀତି

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଦୋମୁହାଁ ନୀତି

କୋଣାର୍କ ଉତ୍ସବକୁ ଅନୁମତି, ଅନ୍ୟ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗ ସ୍ଥାଣୁ

ଭୁବନେଶ୍ୱର : କୋଣ‌ାର୍କରେ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ଉତ୍ସବ ହେବ। ମଞ୍ଚରେ ନୃତ୍ୟ ପରିବେଷଣ କରାଯିବ। ଦର୍ଶକ ବି ଦେଖିବେ। ସେଠି କରୋନା ବ୍ୟାପିବନି। କିନ୍ତୁ ଭୁବନେଶ୍ବରର ଉତ୍କଳ ମଣ୍ଡପ ପରି ଖୋଲା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କରୋନା ମାଡ଼ିଯିବ। ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଶତାଧିକ ଲୋକ ବସି‌‌ଲେ। ଉଚ୍ଚଶିକ୍ଷା ବିଭାଗର ଏକ କାର୍ଯ୍ୟକ୍ରମ ହେଲା। ମନ୍ତ୍ରୀ, ଅଫିସର୍‌ ରହିଲେ ଓ ନିଯୁକ୍ତିପତ୍ର ବାଣ୍ଟିଲେ। ସେଠି କରୋନା ବ୍ୟାପିଲା ନାହିଁ। କିନ୍ତୁ ସେହି ରବୀନ୍ଦ୍ର ମଣ୍ଡପରେ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କରୋନା ବ୍ୟାପିଯିବ। ଉପନିର୍ବାଚନରେ ରାଜନୈତିକ ଦଳର ସଭାରେ ମେଲୋଡି ହେଲା। ମଞ୍ଚ ତଳେ ଦର୍ଶକ ଖୁନ୍ଦାଖୁନ୍ଦି ହୋଇ ବସିଲେ ବିନା ମାସ୍କରେ। ସେଠି କରୋନା ବ୍ୟାପିଲା ନାହିଁ। କିନ୍ତୁ ରାଜ୍ୟର ଆଉ କୌଣସି ସ୍ଥାନରେ କମ୍ ଲୋକରେ ବି ନାଚ, ଗୀତ, ଯାତ୍ରା କଲେ କରୋନା ଗ୍ରାସିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କର ଏପରି ଦୋମୁହାଁନୀତି ରାଜ୍ୟବ୍ୟାପୀ କଳାକାରଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କଲାଣି। କୋଭିଡ୍‌ ଲକ୍‌ଡାଉନ୍ ପରେ ସରକାର ଜୀବନଜୀବିକା ପାଇଁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ନୃତ୍ୟ, ଗୀତ, ଅଭିନୟ ଆଦିକୁ ବୃତ୍ତି କରିଥିବା ରାଜ୍ୟର ଶହ ଶହ କଳାକାରଙ୍କ ପେଟରେ ଶକ୍ତ ଲାତ ମରାଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳୁ ନଥିବାରୁ ରୋଜଗାର ହରାଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଦିନ କାଟୁଥିବା କଳାକାରଙ୍କ ଦୁଃଖ କାହାରି ନଜରକୁ ଆସୁନି। ସରକାରଙ୍କର ତ ଚିନ୍ତା ନାହିଁ, ସଂସ୍କୃତି ବିଭାଗ ଥାଇ ନ ଥିଲା ପରି। ରାଜ୍ୟ ସରକାରଙ୍କ ସବୁ ବିଭାଗ କରୋନା ଲକ୍‌ଡାଉନ୍ ପରେ ସ୍ବାଭାବିକ ଅବସ୍ଥାକୁ ଫେରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। କିନ୍ତୁ ସଂସ୍କୃତି ବିଭାଗ ସଙ୍ଗରୋଧରୁ ବାହାରୁ ନାହିଁ। ଏହି ବିଭାଗ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଶହ ଶହ କଳାକାର କିପରି ରୋଜଗାର ପାଇବେ, ତାହାର ବାଟ ବାହାର କରୁ ନାହିଁ ବିଭାଗ। ବିଭାଗ ଏତେ ମାତ୍ରାରେ କାହିଁକି ସ୍ଥାଣୁ ପାଲଟି ଯାଇଛି, ତାହା ବୁଝା ପଡ଼ୁନାହିଁ।
ସଂସ୍କୃତି ମନ୍ତ୍ରୀଙ୍କର ଆହୁରି ବିଚିତ୍ର ଆଭିମୁଖ୍ୟ। ଚଳିତ ମାସରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେ‌ାଇଥିବା ବିଭାଗର ଏକ ସମୀକ୍ଷା ବୈଠକରେ ସରକାରଙ୍କ କଟକଣା ଥିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ନିଷ୍ପତ୍ତି ହେଲା। କିନ୍ତୁ ‌‌କୋଣାର୍କରେ ପର୍ଯ୍ୟଟନ ବିଭାଗର ଏକ ବୈଠକରେ ନିଜେ ମନ୍ତ୍ରୀ କୋଣାର୍କ ଉତ୍ସବ ପାଇଁ ନିଷ୍ପତ୍ତି ନେଇଗଲେ। ଟ୍ବିଟ୍‌ କରି କୋଣାର୍କ ଉତ୍ସବ ହେବ ବୋଲି ଘୋଷଣା କରିଥିଲେ। ହଜାର ହଜାର କଳାକାର‌ ଯେ ବୃତ୍ତି ହରାଇଛନ୍ତି ଓ ସେମାନଙ୍କ ପାଇଁ ସଂସ୍କୃତି ବିଭାଗ କିଛି କରୁନି, ସେ କଥା ମନ୍ତ୍ରୀ ଭୁଲି ଯାଇଛନ୍ତି। ପର୍ଯ୍ୟଟନ ବିଭାଗ ତା’ର ବାର୍ଷିକ ସାଂସ୍କୃତିକ ଉତ୍ସବ କୋଣାର୍କ ଉତ୍ସବ ଆୟୋଜନ କରିବାକୁ ଯାଉଛି। ପରେ ପରେ ରାଜାରାଣୀ ଓ ମୁକ୍ତେଶ୍ବର ଉତ୍ସବ ହେବ ବୋଲି ମଧ୍ୟ ଘୋଷଣା କରିଛି। କିନ୍ତୁ ସଂସ୍କୃତି ବିଭାଗ ନିଜର କୌଣସି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ କରୁନାହିଁ। କରୋନା ଆଳରେ ଅଧିକାରୀମାନେ ଶାନ୍ତିରେ ବସି ପଡ଼ିଛନ୍ତି। ସାଧାରଣତଃ ସଂସ୍କୃତି ବିଭାଗ ହାତଗଣତି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରେ। ତାହା ସହିତ ସଂସ୍କୃତି ବିଭାଗର ସହଯୋଗରେ ବହୁ ସାଂସ୍କୃତିକ ସଂଗଠନ ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। କଳାକାରମାନେ ସେଠାରେ କାର୍ଯ୍ୟକ୍ରମ ପରିବେଷଣ କରି ରୋଜଗାର କରନ୍ତି। ଏବେ ନା ସଂସ୍କୃତି ବିଭାଗ ନିଜେ କିଛି କାର୍ଯ୍ୟକ୍ରମ କରୁଛି ନା ସାଂସ୍କୃତିକ ସଂଗଠନଗୁଡ଼ିକୁ ଅନୁମତି ଦେଉଛି। ଫଳରେ କଳାକାରମା‌ନେ ହିଁ କାମ ନ ପାଇ ହାତ ବାନ୍ଧି ବସିଛନ୍ତି। ସେହିପରି ଯାତ୍ରାପାର୍ଟି କଳାକାରମାନେ ମଞ୍ଚ ଖୋଲିବା ନେଇ ସରକାରଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଅନୁମତି ବଦଳରେ ଆର୍ଥିକ ସହାୟତା ଦିଆଯିବ ବୋଲି ପ୍ରତିଶୃତି ଦିଆଗଲା। କିନ୍ତୁ ସହାୟତା ପ୍ରକ୍ରିୟା କେତେ ବାଟ ଗଲା, ତାହା ଏ ଯାଏ ଜଣାପଡ଼ିନି। ଯଦି ବି ସରକାର ସହାୟତା ଦେବେ, ତାହା ନାମକୁ ମାତ୍ର ହିଁ ହେବ। ତେଣୁ କୋଭିଡ୍‌ କଟକଣା ଭିତରେ ମଞ୍ଚ ଖୋଲିବାକୁ ଅନୁମତି ଦେବା ହିଁ ଏକମାତ୍ର ବିକଳ୍ପ ବୋଲି ବହୁ କଳାକାର ମତ ଦେଇଛନ୍ତି।

Share Now:

Kalinga News Beuro

Next Post

ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

Sat Nov 28 , 2020
ରାଜ‌କୋଟ : ଗୁଜରାଟର ରାଜ‌କୋଟ‌ ଜିଲ୍ଲାର ଏକ କୋଭିଡ୍‌-୧୯ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୫ ରୋଗୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ରାଜ‌କୋଟ‌ର ଉଦୟ ଶିବାନନ୍ଦ ହସ୍ପିଟାଲ୍‌ ଆଇସିୟୁରେ ଗତ ରାତି ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ତତ୍‌କ୍ଷଣାତ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ଆଇସିୟୁ ମଧ୍ୟରେ ହିଁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଆହତ ସ୍ଥାନାନ୍ତର ସମୟରେ ଆଖି […]
ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial