ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

ଗୁଜରାଟ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ରାଜ‌କୋଟ : ଗୁଜରାଟର ରାଜ‌କୋଟ‌ ଜିଲ୍ଲାର ଏକ କୋଭିଡ୍‌-୧୯ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୫ ରୋଗୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ରାଜ‌କୋଟ‌ର ଉଦୟ ଶିବାନନ୍ଦ ହସ୍ପିଟାଲ୍‌ ଆଇସିୟୁରେ ଗତ ରାତି ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ତତ୍‌କ୍ଷଣାତ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ଆଇସିୟୁ ମଧ୍ୟରେ ହିଁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଆହତ ସ୍ଥାନାନ୍ତର ସମୟରେ ଆଖି ବୁଜି ଦେଇଥିଲେ। ତେବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଅନ୍ୟ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଗ୍ନି ନିର୍ବାପକ ଅଧିକାରୀଙ୍କ କହିବା‌ ଅନୁଯାୟୀ ଯୁଦ୍ଧଭିତ୍ତିକ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ୨୮ ଜଣଙ୍କ ଜୀବନ ରକ୍ଷା ପାଇଗଲା। କେଉଁ କାରଣ ପାଇଁ ହସ୍ପିଟାଲ୍‌ରେ ନିଆଁ ଲାଗିଥିଲା ତାହା ଜଣାପଡ଼ି ନାହିଁ। ଉଦ୍ଧାର ହୋଇଥିବା ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ‌ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ହସ୍ପିଟାଲ୍‌ ଅଗ୍ନିକାଣ୍ଡ‌ରେ ଜୀବନହାନି ହେବା ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି। ଆହତମାନଙ୍କୁ ସବୁ ପ୍ରକାର ସହାୟତା ଦିଆଯିବ ବୋଲି ମୋଦୀ ପ୍ରତିଶୃତି ଦେଇଛନ୍ତି ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି କୋବିନ୍ଦ ତାଙ୍କର ସମବେଦନା ଜଣାଇଛନ୍ତି।

Share Now:

Kalinga News Beuro

Next Post

ରାମ ବିଳାସ ପାଶୱାନଙ୍କ ପତ୍ନୀଙ୍କୁ ରାଜ୍ୟସଭା ପଠାଇପାରେ ଆରଜେଡି!

Sun Nov 29 , 2020
ପାଟନା: ସଦ୍ୟ ସରିଥିବା ବିହାର ବିଧାନସଭା ନିର୍ବାଚନ ପରେ ବିହାରର ଗୋଟିଏ ଆସନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ରହିଛି। ଏଲଜେପି ସୁପ୍ରିମୋ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ବିଜେପି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ, ମହାଗଠବନ୍ଧନରୁ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଦେବାକୁ ପ୍ରୟାସ […]
ବିଳାସ ପାଶୱାନଙ୍କ ପତ୍ନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial