ସିଏମ୍‌ସି ଠାରୁ ୧୭ କୋଟି ନେଇ ଚୁପ୍ ବସିଛି ଏଏସ୍‌ଆଇ

୧୭ କୋଟି ନେଇ ଚୁପ୍ ବସିଛି ଏଏସ୍‌ଆଇ

ଭୁଲିଗଲା ଗଡ଼ଖାଇ ଖନନ, ‌ବୋଟିଂ ବ୍ୟବସ୍ଥା

କଟକ: ପ୍ରାକୃତିକ ଜଳ ଉତ୍ସ ‘ଝର’ର ଅଭାବ ନାହିଁ। ବ‌ର୍ଷ ସାରା ଲହଡି ମାରୁଛି ପାଣି। ଲମ୍ବ, ଓସାର, ଗଭୀରତାରେ ବି କିଛି କମ୍ ନୁହେଁ। ଏଭଳି ପର୍ଯ୍ୟାପ୍ତ ପ୍ରାକୃତିକ ଭିତ୍ତିଭୂମି ଥିଲେ ମଧ୍ୟ ‘ଗଡଖାଇ’ ଅବହେଳିତ ହୋଇପଡ଼ିଛି। କେଉଁଠି ଦଳ ମାଡିଗଲାଣି ତ ଆଉ କେଉଁଠି ପୋତି ହେଲାଣି। ୧୦ବର୍ଷ ତଳେ ଆରମ୍ଭ ‌ହୋଇଥିବା ‘ଗଡ଼ଖାଇ’ର ଖନନ ଅଧା ହୋଇ ପଡ଼ିଛି। ଏହାର ସୌନ୍ଦର୍ଯ୍ୟକରଣ, ଏହା ମଧ୍ୟରେ ଜଳକ୍ରୀଡ଼ା ଓ ବୋଟିଂ ଯୋଜନା ସହରବାସୀଙ୍କ ପାଇଁ ସାତ ସପନ ହୋଇ ରହିଛି। ଗଡ଼ଖାଇକୁ ଅବହେଳା କରି କଟକକୁ ପର୍ଯ୍ୟଟନ କ୍ଷେତ୍ର କରିବା ଅସମ୍ଭବ ମନେ ହେଉଛି। ଅନ୍ୟ ପକ୍ଷରେ ଏହାର ଉନ୍ନତିକରଣ ପାଇଁ ସିଏମ୍‌ସି ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ (ଏଏସ୍ଆଇ) ୧୭କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ କାମ ଆଗେଇ ପାରୁନାହିଁ। ବାରବାଟୀ ଦୁର୍ଗ ଓ ଦୁର୍ଗକୁ ଘେରିଥିବା ଗଡ଼ଖାଇ କଟକର ଅନ୍ୟତମ ପରିଚୟ। ପାଖାପାଖି ଏକ ହଜାର ବର୍ଷ ତଳେ ନିର୍ମିତ ଗଡ଼ଖାଇରେ ଏବେ ଜଳ ଉତ୍ସ ମରି ନାହିଁ। ୧୨୩୮ରେ ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ନିର୍ମିତ ଗଡ଼ଖାଇ ଲମ୍ବରେ ୨୧୫୦ ଫୁଟ୍ ଓ ପ୍ରସ୍ଥରେ ୧୮୦୦ ଫୁଟ ରହିଛି। ‌ସେହିପରି ଏହାର ଓସାର ୨୨୦ଫୁଟ୍ ରହିଥିବା ବେଳେ ଗଭୀରତା ୨୦ଫୁଟ୍‌ରୁ ଅଧିକ। ଏହାର ଦୁଇ ପାର୍ଶ୍ଵରେ(ଭିତର ଓ ବାହାର) ଦୁର୍ଗକୁ ଘେରି ଦୁଇଟି ପାଚେରି ରହିଥିଲା ଓ ଦୁର୍ଗ ମଧ୍ୟରୁ ସ୍ଥଳଭାଗରେ ରାସ୍ତା ନ ଥିଲା।
ଦୁର୍ଗକୁ ସୁରକ୍ଷା ଦେଉଥିବା ଖାଇରେ କୁମ୍ଭୀର ବି ଛଡାଯାଇଥିଲା। ଏହା ମହାନଦୀ କୂଳରେ ଥିବାରୁ ଖାଇ ତଳେ ବହୁ ଝର ଥିଲା ଓ ଏବେ ବି ରହିଛି। ବର୍ଷ ସାରା କେବେ ବି ଏଠି ପାଣି ଶୁଖେନାହିଁ କି ଡଙ୍ଗା ଚାଲିବା ଭଳି ଗଭୀରତାରୁ କେବେ ପାଣି କମେ ନାହିଁ। କେବଳ ବହୁ ବ‌ର୍ଷ ଧରି ଏହା ସଫା ହୋଇ ନ ଥିବାରୁ କିଛି କିଛି ସ୍ଥାନରେ ପଙ୍କ ଜମିଛି ତ ଆଉ କିଛି ସ୍ଥାନରେ ଦଳ ବଢ଼ିଯାଇଛି। ୧୦ବର୍ଷ ପୂର୍ବରୁ ଏସ୍‌ଆଇ ପକ୍ଷରୁ ଏହାର ଖନନ ଓ ପୁନରୁଦ୍ଧାର ଆରମ୍ଭ ହୋଇଥିଲା। କେବଳ ପଶ୍ଚିମ ପାର୍ଶ୍ଵ(ତୁଳସୀପୁର ପାର୍ଶ୍ଵ) ଅଳ୍ପ କିଛି ସଫା ହେବା ପରେ କାମ ଅଧାରୁ ବନ୍ଦ ହେଲା। ଏଥି ପାଇଁ କଟକ ନାଗରିକଙ୍କ ପକ୍ଷରୁ ବହୁ ଆନ୍ଦୋଳନ, ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ନିଷ୍କ୍ରିୟ ହୋଇରହିଥିଲେ। ଏବେ କଟକ ସହରକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ‌ଦେବାକୁ ଜୋରଦାର ଉଦ୍ୟମ ଚାଲିଛି। ଏମ୍‌ସ ପ୍ଲସ୍‌ ପାଇଁ ଖାଇର ସାତ ପଛରେ (ଇଂରେଜଙ୍କ ସମୟରେ) ଖୋଳାଯାଇଥିବା ତାଳଦଣ୍ଡା କେନାଲର ଖନନ, ନବୀକରଣ ଚାଲିଛି। ଏଠାରେ ବୋଟିଂ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ୧୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। କିନ୍ତୁ ପ୍ରାକୃତିକ ଜଳଉତ୍ସରେ ଭରପୁର ତଥା ସହର ପ୍ରମୁଖ ସ୍ଥାନରେ ଥିବା ଐତିହ୍ୟ ସଂପନ୍ନ ଖାଇ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ପଡ଼ିଛି। ସହରର ଉନ୍ନତିକରଣ ପାଇଁ ଅଣ୍ଟା ଭିଡିଥିବା କଟକ ପୌର ନିଗମ(ସିଏମ୍‌ସି) ଗଡ଼ଖାଇର ଖନନ, ସୌନ୍ଦର୍ଯ୍ୟକରଣ ପାଇଁ ‘ଅର୍ବାନ୍ ‌ଡେଭ୍‌ଲପ୍‌ମେଣ୍ଟ ଫଣ୍ଡ’ରୁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ୧୭କୋଟି ଟଙ୍କା ପ୍ରଦାନ କରିଛି। ୨ବର୍ଷ ତଳେ ଏହି ଟଙ୍କା ଏଏସ୍‌ଆଇକୁ ପ୍ରଦାନ କରିଥିଲେ ବି କାମ ଆଗେଇ ନାହିଁ। ଏ ସଂକ୍ରାନ୍ତରେ ମେୟର ସୁବାସ ଚନ୍ଦ୍ର ସିଂହ କହିଛନ୍ତି ଯେ, ଗଡ଼ଖାଇର ପୁନରୁଦ୍ଧାର ବିନା କଟକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସମ୍ଭବ ନୁହେଁ। ଏଥି ପାଇଁ ଦୁଇ ବର୍ଷ ତଳେ ସିଏମ୍‌ସି ପକ୍ଷରୁ ସହରାଞ୍ଚଳ ଉନ୍ନୟନ ପାଣ୍ଠିରୁ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ୧୭କୋଟି ଟଙ୍କା ଦିଆଯାଇଛି। କିନ୍ତୁ କ’ଣ ପାଇଁ କାମ ‌ହେଉନି, ତାହାକୁ ନେଇ ସିଏମ୍‌ସି ଚକିତ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି।

Share Now:

Kalinga News Beuro

Next Post

ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

Thu Dec 8 , 2022
ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ ଭୁବନେଶ୍ୱର: ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ମହାନ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ […]
ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial