ଭୁବନେଶ୍ବର: ବେଆଇନ ପାର୍କିଂସ୍ଥଳରେ ଜୋର୍ଦାର୍ ଚଢ଼ଉ ଜାରି ରହିଛି। ଦୁଇଦିନ ଧରି କମିସନରେଟ୍ ଟ୍ରଫିକ୍ ପକ୍ଷରୁ ଜାରି ରହିଥିବା ଚଢ଼ଉରେ ଗତକାଲି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ୪୬ ଗାଡ଼ିକୁ ପୁଣି ଟ୍ରାଫିକ୍ ପୁଲିସ ଉଠାଇ ନେଇଛି। ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ଜରିଆରେ ମଧ୍ୟ ସଚେତନ କରାଯାଇଛି। ଏଣୁ ଲୋକମାନେ ସଚେତନ ହୋଇ ବାହାରେ ରଖିଥିବା ଗାଡ଼ିଗୁଡ଼ିକୁ ଉଠାଇ ନେଉଛନ୍ତି। ଆଜି ବମିଖାଲ, ରସୁଲଗଡ଼, ଲକ୍ଷ୍ମୀସାଗର, କଳ୍ପନା ପ୍ରଭୃତି ଅଞ୍ଚଳରୁ ଲୋକମାନେ ପାଖାପାଖି ଦେଢ଼ଶହ ଗାଡ଼ି ନେଇ ଯାଇଛନ୍ତି। ଟ୍ରାଫିକ୍ ପୁଲିସ ପକ୍ଷରୁ ରଥରୋଡ୍, ମ୍ୟୁଜିୟମ ଛକ, ବମିଖାଲ, ନୂ୍ଆପଲ୍ଲୀର ଦେବରାୟ କଲେଜ୍ ଛକରେ ଚଢ଼ଉ ହୋଇଛି। ଏହି ସବୁ ଅଞ୍ଚଳରୁ ଗାଡ଼ିଗୁଡ଼ିକୁ ଉଠାଇ ଅଣାଯାଇଛି। ଆଗକୁ ଏଭଳି ଚଢ଼ଉ ଜାରି ରହିବ ବୋଲି ପୁଲିସ କହିଛି। ଉଠାଇ ଅଣାଯାଉଥିବା ଗାଡ଼ିଗୁଡ଼ିକୁ ସପ୍ତମ ବାଟାଲିୟନ ପରିସରରେ ରଖାଯାଉଛି। ତେବେଉଠା ଯାଉଥିବା ଆନେକ ଗାଡ଼ି ଚାଲିବା ଅବସ୍ଥାରେ ନଥିବାରୁ ମାଲିକମାନେ ନେବାକୁ ଆସୁନାହାନ୍ତି। ଏଭଳି ଦାବିଦାର ନଥିବା ଗାଡ଼ିର ସଂଖ୍ୟା ବଢ଼ିଲେ ବାଟାଲିୟନ୍ ପରିସର ପୂର୍ଣ୍ଣ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଦୁଇଦିନ ଭିତରେ ଏକ ବିଚିତ୍ର କଥା ସାମ୍ନାକୁ ଆସିଛି। ରାସ୍ତା କଡ଼ ଓ ସରକାରୀ ଜାଗାରେ ଜମା ହୋଇଥିବା ଗାଡ଼ି ଉପରେ ଟ୍ରାଫିକ୍ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି କେତେକ ମାଲିକ ଗାଡ଼ିଗୁଡ଼ିକ ଉଠାଇ ନେଉଛନ୍ତି। ଏହାକୁ ନେଇ ସେମାନେ ବିଭିନ୍ନ ଗଳିକନ୍ଦିରେ ଜମା କରି ରଖୁଛନ୍ତି। ଫଳରେ ଗଳିରାସ୍ତା ଜାମ୍ ହେବା ଆରମ୍ଭ ହୋଇଛି। ଏଭଳି ଅଭିଯୋଗ ଆସିବା ପରେ ଟ୍ରାଫିକ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗତକାଲି ସହରର ବିଭିନ୍ନ ଗଳିକନ୍ଦି ବୁଲି ସ୍ଥିତି ଅନୁଧ୍ୟାନ କରିଛି। ଆଗକୁ ଚଢ଼ଉ ମଧ୍ୟ ହେବ ବୋଲି ଜଣାପଡ଼ିଛି।
ରାଜଧାନୀରେ ବେଆଇନ ପାର୍କିଂ: ପୁଲିସ୍ ଉଠାଇ ନେଲା ୪୬ ଗାଡ଼ି

Share Now: