ବନ୍ଦ ହେବ ଚଉଷଠୀ ଯୋଗିନୀ ମହୋତ୍ସବ: ମିଳୁନି ଜିଲ୍ଲାପାଳଙ୍କ ଅନୁମତି

ବନ୍ଦ ହେବ ଚଉଷଠୀ ଯୋଗିନୀ ମହୋତ୍ସବ

ବାଲିଅନ୍ତା: ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ଚତୁର୍ଦ୍ଦଶ ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକିଥିବା ବେଳେ ଆୟୋଜକ ଓ ବିରୋଧୀଙ୍କ ମଧ୍ୟରେ ଉପୁଜିଥିବା ଗୋଷ୍ଠୀ ବିବାଦର ସମାଧାନ ହୋଇପାରିନାହିଁ। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ମହୋତ୍ସବ ଆୟୋଜନ ଲାଗି ଅନୁମତି ପ୍ରଦାନ କରି ନଥିବା ଜଣାପଡ଼ିଛି। ତେବେ ବିଧାୟକଙ୍କ ସମର୍ଥିତ କୁହାଯାଉଥିବା ଏକ ଗୋଷ୍ଠୀ ଜିଲ୍ଲାପାଳଙ୍କ ବିନା ସ୍ବୀକୃତିରେ ମହୋତ୍ସବ ନେଇ ପ୍ରସ୍ତୁତି ଚଳାଇଥିଲା। କିନ୍ତୁ ଗତକାଲି ପୁଲିସ୍‌ ସେମାନଙ୍କ ନିକଟରେ ପହଞ୍ଚି ବାରଣ କରିଥିବା ସୂଚନା ମିଳିଛି। ୧୩ ବର୍ଷର ପରମ୍ପରାକୁ ଏମିତି ବନ୍ଦ କରି ଦିଆଯିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କୋଭିଡ୍‌ ଆଳରେ ମହୋତ୍ସବ ବନ୍ଦ କରାଇବା ପାଇଁ ବିରୋଧୀ ଗୋଷ୍ଠୀ ଷଡ଼ଯନ୍ତ୍ର ଚଳାଇଥିବା ବେଳେ କିଛି ରାଜନୈତିକ ବ୍ୟକ୍ତିବିଶେଷ ପ୍ରଶାସନ ଉପରେ ଏଥିପାଇଁ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ନିକଟରେ ଆନ୍ତର୍ଜାତିକ କୋଣାର୍କ ମହୋତ୍ସବ ଶେଷ ହୋଇଥିବା ବେଳେ ଭୁବନେଶ୍ବରରେ କିଛି ଐତିହ୍ୟସ୍ଥଳୀରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ତେଣୁ ଜିଲ୍ଲା ପ୍ରଶାସନ ସମଦୃଷ୍ଟିପୂର୍ବକ ଚଉଷଠୀ ଯୋଗିନୀ ମହୋତ୍ସବ ଲାଗି ଅନୁମତି ପ୍ରଦାନ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଅପରପକ୍ଷେ ଆୟୋଜକ ନୃତ୍ୟ ପ୍ରତିଭା ଅନୁଷ୍ଠାନ ସଂପାଦିକା ପ୍ରତିଭା ପଣ୍ଡା ଗତକାଲି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ୧୩ବର୍ଷ ମହୋତ୍ସବ ଅନୁଦାନ ଟଙ୍କା ଖର୍ଚ୍ଚରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି। ବାର୍ଷିକ ଅଡିଟ୍‌ ଜରିଆରେ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ପରିଚାଳନାରେ ସ୍ବଚ୍ଛତା ବଜାୟ ରଖାଯାଇଛି। କିଛି ଜନପ୍ରତିନିଧି ବିଭିନ୍ନ ଫୋରମ୍‌ରେ ଏନେଇ ତାଙ୍କୁ ଅପମାନ କରିଥିବା ଜଣାଇଛନ୍ତି। ଏ ବର୍ଷର ମଞ୍ଚ କୋଭିଡ୍‌ କଟକଣା ସମୟରେ ହାତ ବାନ୍ଧି ବସିଥିବା ସ୍ଥାନୀୟ କଳାକାରଙ୍କ କଳା ପ୍ରଦର୍ଶନ ଲାଗି ସ୍ଥିର ହୋଇଥିଲା। ୨୦ଟି କଳାକାର ଦଳକୁ ଡକାଯାଇଥିଲା। କିନ୍ତୁ ଏବେ ମହୋତ୍ସବକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବାରୁ ସେହି କଳାକାରମାନଙ୍କ ରୋଜଗାରର ଆଶା ମଉଳି ଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଭା ଅନୁଷ୍ଠାନର ସଭାପତି ପ୍ରତିଭା ପଣ୍ଡା, ଉପସଭାପତି ବଙ୍କିମ ଚନ୍ଦ୍ର ନାୟକ ଓ ରୁନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୩ ବର୍ଷ ହେଲା ଡିସେମ୍ବର ୨୩, ୨୪ ଓ ୨୫ ତାରିଖ ୩ ଦିନ ଧରି ଏହି ମହୋତ୍ସବ ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇଆସୁଥିଲା।

Share Now:

Kalinga News Beuro

Next Post

ଓଡ଼ିଶା ପରିବେଶ କଂଗ୍ରେସର ଶୁଭାରମ୍ଭ: ଗୋଷ୍ଠୀ ହିଁ ଜୈବ ବିବିଧତାର ରକ୍ଷା କବଚ

Mon Dec 21 , 2020
ଭୁବନେଶ୍ବର: ପ୍ରାକୃତିକ ସମ୍ପଦ ଏବେ ବି ପବିତ୍ର। ଜୈବ ବିବିଧତାକୁ ଆଧାର କଲେ ଲୋକେ କେବେ ବି ବିଚ୍ଛିନ୍ନ ହୋଇପାରିବେ ନାହିଁ। ଏଥିପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି। କେବଳ ସରକାର ନୁହନ୍ତି, ବରଂ ଗୋଷ୍ଠୀ ମାଧ୍ୟମରେ ଜୈବବିବିଧତାକୁ ଉଦ୍ଧାର କରାଯାଇପାରିବ ବୋଲି ଓଡ଼ିଶା ପରିବେଶ କଂଗ୍ରେସକୁ ଉଦ୍‌ଘାଟନ କରି ପଦ୍ମଭୂଷଣ ପ୍ରଫେସର ମାଧବ ଧନଞ୍ଜୟ ଗଡଗିଲ କହିଛନ୍ତି। ଓଡିଏମ୍ ପବ୍ଲିକ ସ୍କୁଲରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା […]
ଓଡ଼ିଶା ପରିବେଶ କଂଗ୍ରେସର ଶୁଭାରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial