ବଙ୍ଗାପାହାଡ଼ ଦବିବା ଖବରରେ ଆତଙ୍କିତ ବଡ଼ବଙ୍ଗା ପଞ୍ଚାୟତବାସୀ

ଆତଙ୍କରେ ବଡ଼ବଙ୍ଗା ପଞ୍ଚାୟତବାସୀ

ଲେଫ୍ରିପଡା : ପରିତ୍ୟକ୍ତ ଫମ୍ପା ଖଣି ଉପରେ ଅଛି ଏକ ପାହାଡ଼ ତଥା ଗାଁ। ସେ ପାହାଡ଼ ଦବୁଛି ବୋଲି ଖବର ଆଜି ସ୍ଥାନୀୟ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ସର୍ଗିପାଲି ନିକଟସ୍ଥ ସୀସାଖଣିକୁ ବିଗତ ୨୦୦୦ ମସିହାରେ ହିନ୍ଦୁସ୍ଥାନ ଜିଙ୍କ୍ ଲିଃ କମ୍ପାନି ବନ୍ଦ କରି ଦେଇଥିଲା। ତାପରେ ଫମ୍ପା ଖଣିକୁ ଛାଡ଼ି ଚାଲିଯାଇଥିଲା। ଏହି ଖଣିକୁ ଲାଗି ରହିଥିବା ବଙ୍ଗାପାହାଡ଼ କିଛି ଦିନ ହେଲା କ୍ରମଶଃ ଦବିବାରେ ଲାଗିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ,ଏହି ଫମ୍ପା ଖଣି ଉପରେ ଭରତପୁର ଗାଁ ଅଛି। ଯଦି ଖଣିଟି ଭୁଶୁଡି ଯାଏ, ତେବେ ଭରତପୁର ସ‍ଂପୂର୍ଣ୍ଣ ଭାବେ ରସାତଳଗାମୀ ହୋଇଯିବ। ଏହାଛଡା ଲୋକଡେଗା, ବଡବଙ୍ଗା, ଜିଙ୍କନଗର, ଝିମେରମହୁଲ, ସର୍ଗିପାଲି ଆଦି ଗ୍ରାମଗୁଡିକ ମଧ୍ୟ ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି। ସାଂପ୍ରତିକ ଖଣିର ସ୍ଥିତି ବିପଜ୍ଜନକ ରହିଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ କିମ୍ବା ଖଣି ବିଭାଗ ତତ୍ପରତା ପ୍ରକାଶ କରିନାହାନ୍ତି। ଏହି ଖଣିକୁ ଲାଗି ରହିଥିବା ବଙ୍ଗାପାହାଡ଼ ସଂପ୍ରତି ବନବିଭାଗ ଅଧୀନରେ ରହିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ପାହାଡ଼ ଦବୁ ଥିବାର ସୂଚନା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ ଉଜ୍ବଳପୁର ବନାଞ୍ଚଳ ଅଧିକାରୀ ଏବଂ ବନପାଳଙ୍କୁ ଯୋଗାଯୋଗ କରାଯିବାରୁ ସେମାନେ ମଧ୍ୟ ସ୍ଥାନୀୟ ଲୋକଙ୍କଠାରୁ ଏହି ଅଭିଯୋଗ ପାଇଛନ୍ତି ବୋଲି ସ୍ବୀକାର କରିଥିଲେ। ଘଟଣାକୁ ନେଇ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବେ ବୋଲି ପ୍ରକାଶ କରିଛନ୍ତି। ସେହିଭଳି ବଡ଼ବଙ୍ଗା ସରପଞ୍ଚ ସୁନୀତା ନାଏକ ଏବଂ ପୂର୍ବତନ ସରପଞ୍ଚ ପରମେଶ୍ବର ନାଏକ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଆସନ୍ତା କାଲି ଲେଫ୍ରିପଡା ବିଡିଓ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିବେ।

Share Now:

Kalinga News Beuro

Next Post

କଂଗ୍ରେସ ମୁଖିଆ ହେବାକୁ ରାହୁଲ ଅରାଜି

Thu Dec 31 , 2020
ନୂଆଦିଲ୍ଲୀ : ଆଜକୁ ପ୍ରାୟ ୧୯ ମାସ ତଳେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ୨୦୧୯ ମେ’ ମାସରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଥିବା ରାହୁଲ ଗାନ୍ଧି ପୁଣି ଥରେ ଦେଶର ଏହି ସବୁଠୁ ପୁରୁଣା ଦଳର ନେତୃତ୍ବ ନେବାକୁ ଆଗ୍ରହୀ ନଥିବା ଜାଣିବାକୁ ମିଳିଛି। ତେବେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଁଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତାଙ୍କ ନିକତଟମ ମହଲରୁ ଜଣାଯାଇଛି। ଗତ […]
କଂଗ୍ରେସର ମଙ୍ଗ ଧରିବାକୁ ରାହୁଲ ଅମଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial