ତାଇପେଇ : ଆମେରିକାରେ କ୍ଷମତା ପରିବର୍ତ୍ତନ ଉପରେ ସମଗ୍ର ବିଶ୍ବର ଦୃଷ୍ଟି ରହିଥିବାବେଳେ ଚୀନ ନିଜର କ୍ଷୁଦ୍ର ପଡ଼ୋଶୀ ଦେଶ ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏହା ଫଳରେ ଆମେରିକା ନୌସେନା ସକ୍ରିୟ ହୋଇଉଠିଛି। ତାଇୱାନକୁ ସହାୟତା କରିବାକୁ ଆମେରିକା ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି। ୟୁଏସ ଇଣ୍ଡୋ-ପାସିଫିକ କମାଣ୍ଡ ପକ୍ଷରୁ କୁହାଯାଇଛି, ‘ସମୁଦ୍ରର ସ୍ବାଧୀନତା ରକ୍ଷା’ ପାଇଁ ଆମେରିକାର ଷ୍ଟ୍ରାଇକ ଗୃପ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣଚୀନ ସାଗରରେ ପ୍ରବେଶ କରିଛି । ଆମେରିକାର ଯୁଦ୍ଧପୋତ ସେହିଦିନ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି, ଯେଉଁଦିନ ଚୀନର କେତେକ ବୋମାବର୍ଷୀ ବିମାନ ତାଇୱାନର ବାୟୁସୀମା ଅତିକ୍ରମ କରିଥିଲେ। ଆହୁରି ମଧ୍ୟ ନିକଟରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ଏପରି ଏକ ବିଲରେ ସ୍ବାକ୍ଷର କରିଛନ୍ତି ଯଦ୍ବାରା ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରୁଥିବା ଯେକୌଣସି ବିଦେଶୀ ଜାହାଜକୁ ଧ୍ବଂସ କରିବାକୁ ଚୀନର ନୌସେନାକୁ କ୍ଷମତା ମିଳିଯାଇଛି। ଏ ପରିପ୍ରେକ୍ଷୀରେ ଆମେରିକାର ନୌସେନାର ଯୁଦ୍ଧଜାହାଜ ଆସିବା ଚୀନକୁ ଏକ ଖୋଲା ଚ୍ୟାଲେଞ୍ଜ ସଦୃଶ ହୋଇଛି।
ତାଇୱାନ ଉପରେ ଚୀନର ଆକ୍ରମଣ ଆଶଙ୍କା: ଯୁଦ୍ଧ ଜାହାଜ ପଠାଇଲା ଆମେରିକା

Share Now: