ରାଜଧାନୀ ଛାତିରେ ଜଳକଷ୍ଟ: ଦିନକୁ ଘଣ୍ଟାଏ ମିଳୁଛି ପାଣି, ୪ ବାଲ୍‌ତି ପୂରିବା ପୂର୍ବରୁ ପାଣି ବନ୍ଦ

ରାଜଧାନୀରେ ଜଳକଷ୍ଟ

ଭୁବନେଶ୍ବର: ନିଜ ଗାଁ ପାଖ‌‌ରେ ଜଳ ବିଶୋଧନାଗାର। ଏଇଠୁ ଅଧା ରାଜଧାନୀକୁ ଜଳଯୋଗାଣ ହେଉଛି। କିନ୍ତୁ ଗାଁ ଲୋକଙ୍କୁ ନିଇତି ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ୨୪ଘଣ୍ଟାରୁ ମାତ୍ର ଘଣ୍ଟାଏ ପାଇଁ ଲୋକଙ୍କୁ ପାଣି ଯୋଗାଣ କରାଯାଉଛି। ସମସ୍ୟା ଖାଲି ସେତିକି ନୁହେଁ, ଯୋଗାଣ ହେଉଥିବା ପାଣିର ବେଗ ଏତେ କମ୍‌ ଯେ ବାଲ୍‌ତିଏ ପାଣି ପୂରିବାକୁ ୧୦ମିନିଟ୍‌ ସମୟ ଲାଗୁଛି। ୪ ବାଲ୍‌ତି ନ ପୂରୁଣୁ ପାଣି ବନ୍ଦ। ଗୋଟିଏ ପଟେ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏମିତି ଏକ ବିଚିତ୍ର ସ୍ଥିତି ଏବେ ରାଜଧାନୀର ୱାର୍ଡ ନମ୍ବର ୧୮ ଅନ୍ତର୍ଗତ ପଳାସୁଣୀ ଗାଁରେ ଦେଖିବାକୁ ମିଳୁଛି। ଏହି ୱାର୍ଡର ଭୋଇସାହି, ପରିଡ଼ା କଲୋନି, ଲେଙ୍କାସାହି, ସାହୁସାହି, କପିଳେଶ୍ବରବିହାର ଆଦି ଅଞ୍ଚଳବାସୀ ବି ୧୫ ଦିନ ହେଲା ଏଭଳି ଅବସ୍ଥା ଭୋଗୁଛନ୍ତି। ଏହି ୱାର୍ଡରେ ହାତଗଣତି କେତୋଟି ନଳକୂପ ଥିଲେ ହେଁ ତାହା ବର୍ଷବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଅମୃତ ଯୋଜନାରେ ପାଣି ଯୋଗାଣ ପରେ ସେଗୁଡ଼ିକର ବିଶେଷ ବ୍ୟବହାର ନ ହେବାରୁ ସେଥିମଧ୍ୟରୁ ଅନେକରେ କଳଙ୍କି ମଧ୍ୟ ଲାଗି ଗଲାଣି। ତେଣୁ ପିଇବା ପାଣି ପାଇଁ କଲବଲ ହେଉଥିବା ୱାର୍ଡ ବାସିନ୍ଦା ଗାଁରେ ବୋରୱେଲ୍‌ ଥିବା ଘରୁ ପାଣି ମାଗି ଚଳୁଛନ୍ତି। ସୂଚନା ଅନୁସାରେ, ୧୮ନମ୍ବର ୱାର୍ଡ ଅର୍ନ୍ତଗତ ଏହି ସବୁ ସ୍ଥାନରେ ପାଖାପାଖି ୫ହଜାର ପରିବାର ବାସ କରୁଛନ୍ତି। ବିଏମ୍‌ସି ପକ୍ଷରୁ ଅମୃତ ଯୋଜନାରେ ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। କିନ୍ତୁ ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ସକାଳ ଏବଂ ସନ୍ଧ୍ୟାରେ ମାତ୍ର ଅଧଘଣ୍ଟା ଲେଖାଏ ପାଣି ଆସୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯୋଗାଣ ହେଉଥିବା ପାଣିର ବେଗ ଏତେ ଧୀର ଯେ ଅଧଘଣ୍ଟାଏ ମଧ୍ୟରେ ଲୋକଙ୍କ ଗରା, ବାଲ୍‌ତି ବି ପୂରୁ ନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ତେବେ ବୋରୱେଲ୍‌ ଥିବା ଲୋକଙ୍କ ଘରୁ ପାଣି ବ‌ାଲ୍‌ତିଏ ଦୁଇ ବାଲ୍‌ତିଏ ମାଗି ଯେନତେନ ଭାବେ କାମ ଚଳାଇ ନେଉଛନ୍ତି। କିନ୍ତୁ ସବୁଦିନେ ଏମିତି ପାଣି ମାଗି ଚଳିବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। ଏ ସଂପର୍କରେ ସେମାନେ ବାରମ୍ବାର ଜଳଯୋଗାଣ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ କଥା ଶୁଣୁ ନାହାନ୍ତି। ପଳାସୁଣୀ ଗ୍ରାମ୍ୟ ବିକାଶ କମିଟିର ସଭାପତି ରମେଶ ସାହୁ କହିଛନ୍ତି ଯେ ଲୋକଙ୍କ ଘର ସାମ୍ନାରେ ପାଣି ପାଇଁ ମିଟର ଲାଗିଛି। ମାସକୁ ମାସ ଲୋକେ ମିଟର ଅନୁସାରେ ବିଲ୍ ମଧ୍ୟ ପୈଠ କରୁଛନ୍ତି। କିନ୍ତୁ ଆବଶ୍ୟକ ମୁତାବକ ପାଣି ମିଳୁ ନାହିଁ। ଏହି ସମସ୍ୟା ସଂପର୍କରେ ଚାବି ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ ଫଳ ଶୂନ। ଫଳରେ ପଳାସୁଣୀ ସମେତ ଆଖପାଖ ଅଞ୍ଚଳର ବହୁ ଲୋକେ ହଇରାଣ ହେଉଛନ୍ତି। ତେଣୁ ଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ କମିଟି ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ୱାଟ୍‌କୋର କନିଷ୍ଠ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଭୂୟାଁଙ୍କୁ ପଚାରିବାରୁ ସେ କହିଲେ, କିଛି ଦିନ ତଳେ ଏଭଳି ସମସ୍ୟା ଦେଖାଦେବାରୁ ତା’ର ସମାଧାନ କରାଯାଇଥିଲା। ଏବେ ଆଉ ଥରେ ଅଭିଯୋଗ ହୋଇଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଭୂୟାଁ କହିଛନ୍ତି।

Share Now:

Kalinga News Beuro

Next Post

ବିପଦରେ ଐତିହାସିକ କିର୍ତ୍ତୀରାଜି : ସଂସ୍କୃତି ବିଭାଗ ଓ ସରକାର ନିରବଦ୍ରଷ୍ଟା

Sat Apr 3 , 2021
ଘରୋଇ କବ୍‌ଜାରେ ପାଣ୍ଡରା ସତରନଳା ଭୁବନେଶ୍ବର: ଐତିହାସିକ ପାଣ୍ଡରା ସତରନଳା ଏବେ ଘରୋଇ କବ୍‌ଜାକୁ ଚାଲିଯିବାକୁ ବସିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ରାଜଧାନୀର ଏହି ପ୍ରାଚୀନ କୀର୍ତ୍ତିରାଜିକୁ ଅସାମାଜିକ ବ୍ୟକ୍ତିମାନେ ଜବରଦଖଲ କରିବାକୁ ବସିଛନ୍ତି। ତୁରନ୍ତ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଏହି ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଗବେଷକମାନେ ଏହାର ସୁରକ୍ଷା ପାଇଁ ଦାବି […]
ବିପଦରେ ଐତିହ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial