ନାବାଳିକାମା’ର ବିସ୍ଫୋରକ ବୟାନ : ‘ମୋ ଛୁଆକୁ ବିକିଦେଲେ…’

ନାବାଳିକାର ବିସ୍ଫୋରକ ବୟାନ

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ପୀଡ଼ିତା ଶିଶୁପୁତ୍ର ଜନ୍ମ ଦେବା ଅଭିଯୋଗକୁ ନେଇ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଘଟଣାର ତଦନ୍ତ କରୁଥିବା ସମୟରେ ଆଉ ଏକ ସାଂଘାତିକ ଅଭିଯୋଗ ଅନୁଷ୍ଠାନ ବିରୋଧରେ ଆସିଛି। ତାଙ୍କ ଶିଶୁ କନ୍ୟାଙ୍କୁ ଲୁଥେରାନ୍ ମହିଳା ସମିତିର ଦୁଇ ଜଣ କର୍ମଚାରୀ କେଉଁଆଡ଼େ ବିକ୍ରି କରି ଦେଇଛନ୍ତି ବୋଲି ଜଣେ ୧୭ବର୍ଷୀୟା ଦଳିତ ନାବାଳିକା ଆଜି ତଦନ୍ତ କରିବାକୁ ଆସିଥିବା ଅଧ୍ୟକ୍ଷାଙ୍କ ଆଗରେ ଅଭିଯୋଗ କରିଛନ୍ତି। ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେବା ପରେ ବାପାଙ୍କ ସହିତ ଆସିଥିବା ପୀଡ଼ିତା ନାବାଳିକା ଘରକୁ ଫେରି ଯାଇଛନ୍ତି। ମହାକାଳପଡ଼ା ତିଖିରୀ ଅଞ୍ଚଳର ଏହି ନାବାଳିକା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୧୭ ମସିହାରେ ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। କିନ୍ତୁ ଗର୍ଭବତୀ ହେବା ‌ପରେ ଗ୍ରହଣ କରିବାକୁ ଯୁବକ ମନା କରିଦେବାରୁ ୨୦୧୭, ସେପ୍ଟେମ୍ବର ୨୦ତାରିଖରେ ସଂପୃକ୍ତ ଯୁବକଙ୍କ ବିରୋଧରେ ମାର୍ଶାଘାଇ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା( ନଂ ୧୭୪/୧୭) ରୁଜୁ କରିଥିଲେ ମଧ୍ୟ ଯୁବକ ନାବାଳକ ଥିବା କାରଣ ଦର୍ଶାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରିବା ପରେ ଅନ୍ତସତ୍ତ୍ଵା ନାବାଳିକାଙ୍କୁ ବାରିମୂଳ ସ୍ଥିତ ‘ସ୍ବରାଜ’ ଅନୁଷ୍ଠାନରେ ରଖାଯାଇଥିଲା। ପରେ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ନାବାଳିକା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଏହାପରେ ଉଭୟ ମା ଓ ଛୁଆଙ୍କୁ ଲୁଥେରାନ ମହିଳା ସମିତିରେ ରଖାଯାଇଥିଲା। ସେଠାରେ ଔଷଧ ଖାଇବାକୁ ଦିଆ ଯିବ କହି ଛୁଆକୁ ମୋଠାରୁ ନେଇ ନିଆଗଲା। ଏହାପରଠୁ ଛୁଆର କୌଣସି ପତ୍ତା ମିଳୁନାହିଁ। ପଚାରିଲେ ଅନୁଷ୍ଠାନ କର୍ତ୍ତୃପକ୍ଷ ଗାଳିଗୁଲଜ୍ ଏବଂ ମାଡ଼ ମାରିବାକୁ ଧମକ ଦେବାରୁ ଭୟରେ ବାପାଙ୍କ ସହିତ ଘରକୁ ଚାଲି ଆସିଲି ବୋଲି ପୀଡ଼ିତା ନାବାଳିକା ମା ଆଜି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହେବେ ୨୫ ଆୟୁଷ ଡାକ୍ତର

Tue Apr 6 , 2021
ପୁନର୍ବାର ନିଯୁକ୍ତିକୁ ସଂଘର ବିରୋଧ ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୨୫ଜଣ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ବିଏମ୍‌ସି କାର୍ଯ୍ୟାଳୟରେ ରିପୋର୍ଟ କରିବା ଲାଗି କୁହାଯାଇଛି। ତେବେ ଆୟୁଷ ଡାକ୍ତରଙ୍କ ପୁନର୍ବାର ନିୟୋଜିତ ହେବାକୁ ତୀବ୍ର ବିରୋଧ କରିଛି ରାଜ୍ୟ ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘ। ପୂର୍ବରୁ ସେମାନେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିଲେ ହେଁ ସେମାନଙ୍କୁ […]
କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହେବେ ୨୫ ଆୟୁଷ ଡାକ୍ତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial