ରାଜଧାନୀରେ ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌

ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌

ଭୁବନେଶ୍ବର : ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌(ଡିଇଏନ୍‌ଭି-୨ ବା ଡେଙ୍ଗୁ ଭାଇରସ-୨)କୁ ଭୁବନେଶ୍ବରରେ ଠାବ କରାଯାଇଛି। ଏହାସହ ଡି-୧ ଓ ଡି-୨ ଷ୍ଟ୍ରେନ୍‌ର ସହ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ହଠାତ୍ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଏହି ଡି-୨ ଷ୍ଟ୍ରେନ୍‌ ରହିଥିବା କୁହାଯାଉଛି। ଏହି ଷ୍ଟ୍ରେନ୍‌ ଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ। ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ ବା ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ୫୬ ଡେଙ୍ଗୁ ସଂକ୍ରମିତଙ୍କ ସେରୋଟାଇପିଂରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୫୬ ନମୁନା ଭିତରୁ ୫୧ଟିରେ ଡେଟାଇପ୍ ଥିବା ବେଳେ ୩ଟିରେ ଡି-୧ ଓ ଡି-୨ ସହ ସଂକ୍ରମଣ ଦେଖିବାକୁ ମିଳିଛି। ଡେଙ୍ଗୁର ସାଧାରଣତଃ ଡି୧ରୁ ଡି-୪ ପର୍ଯ୍ୟନ୍ତ ସରୋଟାଇପ୍ ରହିଛି। ତେବେ ଡି-୨ ଷ୍ଟ୍ରେନ୍‌ ଅନ୍ୟ ‌ଷ୍ଟ୍ରେନ୍‌ଠାରୁ ଘାତକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଡି-୧ ଓ ଡି-୨ର ସଂକ୍ରମଣ ବାଦ୍ ଡି-୨ ଓ ଡି-୩ର ମଧ୍ୟ ସହ-ସଂକ୍ରମଣ ହୋଇଥିବା ନଜରକୁ ଆସିଛି। ରାୟଗଡ଼ା, କୋରାପୁଟରୁ ସଂଗ୍ରହ ହୋଇଥିବା ନମୁନାରେ ଏହା ଦେଖିବାକୁ ମିଳିଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁରରେ ଗୋଟିଏ ଲେଖାଏଁ ନମୁନାରେ ଡି-୨ ଷ୍ଟ୍ରେନ୍‌ ରହିଛି।
ରାଜଧାନୀ‌ରେ ଦୁଇ ମାସ ଭିତରେ ଡେଙ୍ଗୁ ସଂକ୍ରମଣରେ ହଠାତ୍ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ରାଜ୍ୟ‌ରେ ୫୪୭ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେ‌ଳେ ତହିଁରୁ କେବଳ ଖୋର୍ଦ୍ଧାରେ ୪୨୨ଜଣ ଆକ୍ରାନ୍ତ ଅଛନ୍ତି। ଏହାସହ କଟକ ୩୦, ପୁରୀ ୧୯, ଯାଜପୁର, ନୟାଗଡ଼ରୁ ୧୦ ଲେଖାଏଁ ଓ ବାଲେଶ୍ବରରେ ୮ଜଣ ଚିହ୍ନଟ ହୋଇଛନ୍ତି। ଆଜି ଏହି ସଂଖ୍ୟା ଆହୁରି ବଢ଼ିଛି। ଗତବର୍ଷ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା। ମାତ୍ର ଏ ବର୍ଷ ଏହା ବେକାବୁ ହେବାରେ ଲାଗିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଡେଙ୍ଗୁରେ ମୃତ୍ୟୁ ହାର ୦.୫ ପ୍ରତିଶତରୁ ୧ ପ୍ରତିଶତ ଭିତରେ ରହିଛି। ଡି-୧ ଷ୍ଟ୍ରେନ୍‌ ସାଧାରଣ ଭାବେ ଦେଖିବାକୁ ମିଳୁଥିବା ବେଳେ ଡି-୧ ଓ ଡି-୨ର ସହ ସଂକ୍ରମଣ ଅନେକ ‌କ୍ଷେତ୍ରରେ ସାମ୍ନାକୁ ଆସିଥାଏ। ତେବେ ରାଜଧାନୀରେ ଡି-୨ ଷ୍ଟ୍ରେନ୍‌ ଅନ୍ୟ ଷ୍ଟ୍ରେନ୍ ତୁଳନାରେ ଘାତକ କି ନୁହେଁ, ତାହା ଉପରେ ଅଧିକ ଅନୁଧ୍ୟାନ କରାଯିବ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି।

Share Now:

Kalinga News Beuro

Next Post

ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ : ବିଦ୍ୟୁତ୍ ଆଘାତରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Fri Jul 30 , 2021
ରାୟଗଡ଼ା: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍ ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ପୌର ପରିଷଦ ମୋତିଲାଲ ନଗରର ନବୀନ ଶବର ଓ […]
ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial