ଗଣମାଧ୍ୟମ ନାଁରେ ମାଳମାଳ ଲୁଟେରା : ସାମ୍ବାଦିକଙ୍କ ନାମରେ କଳଙ୍କ

ଗଣମାଧ୍ୟମ ଖୋଳପା‌ରେ ମାଳମାଳ ଲୁଟେରା

ଭୁବନେଶ୍ବର : ୱେବ୍‌ ପୋର୍ଟାଲ୍‌ର ନାଁ ଲାଇଭ୍‌ କଳିଙ୍ଗ ନିଉଜ୍‌(ଏଲ୍‌କେଏନ୍‌)। ପୁଣି ଆକର୍ଷଣୀୟ ଟ୍ୟାଗ୍‌ ଲାଇନ୍‌ ‘ବିଶ୍ବାସ ଓଡ଼ିଶାର’। ତେବେ ଏଇଟି ଥିଲା କେବଳ ଖୋଳପା। ଭିତରେ ଥିଲା ଭୟଙ୍କର କଳଙ୍କିତ ଚରିତ୍ର। ଗଣମାଧ୍ୟମକୁ ଢ଼ାଲ କରି ଚାଲିଥିଲା ଲୁଟ୍‌ତରାଜ। ସାଧରରଣ ଲୋକଙ୍କ ବିଶ୍ବାସ ନାଁରେ ଚାଲିଥିଲା ଅବିଶ୍ବସନୀୟ ଭୟଙ୍କର କାଣ୍ଡ। ଷ୍ଟୁଡିଓ ପାଲଟିଥିଲା ଲୁଟେରାଙ୍କ ଆଡ଼ା। ଅପହରଣ କରି ଦାଦାବଟି ଆଦାୟ କରାଯାଉଥିଲା। ବଟି ଆଦାୟ ପାଇଁ ଅପହୃତଙ୍କ ଉପରେ ଚାଲିଥିଲା ଅକଥନୀୟ ଅତ୍ୟାଚାର। ଉଲଗ୍ନ କରି ମାଡ଼ ମରାଯାଉଥିଲା ଓ ସିଗାରେଟ୍‌ ଚେଙ୍କ ଦେଇ ଚିତ୍କାରରୁ ମଜା ଉଠା ଯାଉଥିଲା। ଏମିତି ଦୃଶ୍ୟ ହୁଏତ କୌଣସି ଚଳଚ୍ଚିତ୍ରର ଦସ୍ୟୁ ଆଡ଼ାରେ ବି ନଥିବ। କିନ୍ତୁ ଏମିତି ହେଉଥିଲା ଲାଇଭ୍‌ କଳିଙ୍ଗ ନିଉଜ୍‌ କାର୍ଯ୍ୟାଳୟରେ। ଦୁଇ ଜଣ ବଡ଼ ବ୍ୟବସାୟୀଙ୍କଠାରୁ ବଟି ଆଦାୟ କରିବାକୁ ଏଭଳି ଅମାନବୀୟ କାଣ୍ଡ କରିଥିଲେ ପୋର୍ଟାଲ୍‌ର ସମ୍ପାଦକ, ସାମ୍ବାଦିକ ଓ କର୍ମଚାରୀମାନେ। ବଡ଼ କଥା ହେଉଛି ଏହି ଦୁର୍ଦ୍ଦଶ ଗୋଷ୍ଠୀରେ ଥିଲେ ଜଣେ ସାମ୍ବାଦିକା। ପୂର୍ବରୁ କିଛି ପ୍ରତିଷ୍ଠିତ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରିଥିବା ଏହି ସାମ୍ବାଦିକାଙ୍କ କଳଙ୍କିତ କାହାଣୀ ଏବେ କେବଳ ରାଜଧାନୀ ନୁହେଁ, ସମଗ୍ର ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ୱେବ୍‌ ପୋର୍ଟାଲ୍‌ର ସମ୍ପାଦକ ତଥା ଏହି ବଟି ଆଦାୟର ମାଷ୍ଟରମାଇଣ୍ଡ୍‌ ରଘୁନାଥ ସାହୁ ଓରଫ୍ ରାଜ୍‌ ଫେରାର୍‌ ଥିବା ବେଳେ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଓରଫ୍ ଗୁଡ୍ଡି, କ୍ୟାମେରାମ୍ୟାନ୍‌ ରାକେଶ ବାରିକ, ମହିଳା ସୁରକ୍ଷା କର୍ମୀ ମମତା ସାହୁ, ସୟଦ୍‌ ଅଦ୍‌ନାନ୍ ଅଲ୍ଲୀ ଓ ଅବିନାଶ ପାତ୍ର ଗିରଫ ହୋଇଛନ୍ତି। ସାମ୍ବାଦିକଙ୍କ ନାଁରେ କଳଙ୍କ ଏମାନଙ୍କୁ ନେଇ ଏବେ ଆହୁରି କିଛି ନକଲି ସାମ୍ବାଦିକ ପ୍ରମାଦ ଗଣିଲେଣି। ପୂର୍ବରୁ ଏମିତି ବହୁ କଳଙ୍କିତ ଚରିତ୍ରମାନଙ୍କୁ ପୁଲିସ ଜେଲ୍‌ ହାଜତକୁ ପଠାଇଥିବା ଉଦାହରଣ ରହିଛି। କିନ୍ତୁ ଏହି ଗ୍ୟାଙ୍ଗ୍‌ ସାମ୍ବାଦିକତାର ଲକ୍ଷ୍ମଣରେଖା ଡେଇଁବା ସହ ସବୁ ଅମଣିଷପଣିଆର ସୀମା ସରହଦ ପାର୍ ହୋଇଯାଇଥିବା ଜଣାପଡ଼ିଛି।
ଗୁଡ୍ଡିର ଶିକାର ହେଉଥିଲେ ନବାଗତ
ୱେବ୍‌ ପୋର୍ଟାଲ୍‌ ‘ଲାଇଭ୍‌ କଳିଙ୍ଗ ନିଉଜ୍‌’ର କଳାସାମ୍ରାଜ୍ୟର ପର୍ଦ୍ଦାଫାସ୍‌ ହେବା ପରେ ଏହି ଗ୍ୟାଙ୍ଗ୍‌ର ଅନ୍ୟତମ ମୁଖ୍ୟ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଓରଫ ଗୁଡ୍ଡିକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି। ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଟାର୍ଗେଟ୍‌ କରି ସେ ଶିକାର କରୁଥିବା ଅଭିଯୋଗ ହୋଇଛି। ଉକ୍ତ ପୋର୍ଟାଲ୍‌ରେ ଖଟାଇ ଖଟାଇ ବିନା ପାରିଶ୍ରମିକରେ ବିଦା କରୁଥିଲା। ଏମିତିକି ନିଉଜ୍‌ ଭିଡିଓ ଡିଲିଟ୍‌ କରିଦେବା ଅଭିଯୋଗ ଆଣି ସେମାନଙ୍କଠାରୁ ପାଲଟା ଟଙ୍କା ଆଦାୟ କରୁଥିଲା ଓ ଚାକିରିରୁ ତଡ଼ି ଦେଉଥିଲା। ତେଣୁ କେବଳ ବ୍ୟବସାୟୀ ନୁହନ୍ତି, ନବାଗତ ସାମ୍ବାଦିକମାନେ ମଧ୍ୟ ଗୁଡ୍ଡି ଓ ତା’ ସଂସ୍ଥାର ଶୋଷଣରୁ ଛାଡ୍‌ ପାଉନଥିଲେ। ସୂଚନାଯୋଗ୍ୟ ରାଜଧାନୀର ଏକ ସରକାରୀ କଲେଜରୁ ସାମ୍ବାଦିକତା ପାଠ୍ୟକ୍ରମ କରି ଗୁଡ୍ଡି ପାସ୍‌ କରିଥିଲା। ଏଥିପାଇଁ କିଛି ଅଧ୍ୟାପକଙ୍କ ସହ ତାଙ୍କର ପରିଚୟ ଥିଲା ଓ ସେହି ବାହାନାରେ ସେ ଉକ୍ତ କଲେଜକୁ ଯା’ଆସ କରୁଥିଲା। ନିଜକୁ ଏକ ପ୍ରତିଷ୍ଠିତ ସାମ୍ବାଦିକା ବୋଲି ପରିଚୟ ଦେଇ ନୂଆ କରି ସାମ୍ବାଦିକତା ପାଠ୍ୟକ୍ରମର ପିଲାଙ୍କୁ ଟାର୍ଗେଟ୍ କରୁଥିଲା। ଚାକିରି ଦେବାକୁ କହି ଗୁଡ୍ଡି ସେମାନଙ୍କୁ ନନ୍ଦନକାନନ ଥାନା ରଘୁନାଥପୁରସ୍ଥିତ ସାଇ ରେସିଡେନ୍ସିରେ ଖୋଲାଯାଇଥିବା ‘ଲାଇଭ୍ କଳିଙ୍ଗ ନିଉଜ୍‌’ କାର୍ଯ୍ୟାଳୟକୁ ଡକାଉଥିଲା। ସାକ୍ଷାତକାର ପରେ ଭିଜୁଆଲ୍ ଏଡିଟର୍, ଇନ୍‌ପୁଟ୍ ଏଡିଟର୍‌ ଭଳି ପଦବିରେ ନିଯୁକ୍ତି ଦେଉଥିଲା। ଦରମା ଲେଖାଥିବା ନିଯୁକ୍ତି ପତ୍ର ଧରାଇଦେଉଥିଲା। ସେମାନଙ୍କୁ ମାସ ମାସ ମାଗଣା ଖଟାଇ ଶେଷରେ ବିଦା କରି ଦେଉଥିଲା। ‌କେତେକଙ୍କୁ କାମ ଆସୁନଥିବା କହି ବାହାର କରୁଥିଲା। କିନ୍ତୁ ଯିଏ ଦରମା ପାଇଁ ଜିଦ୍‌ କରୁଥିଲା, ତା’ ନାଁରେ ପ୍ୟାକେଜ୍ ଭିଡିଓ ଡିଲିଟ୍ କରି ଦେଇଥିବା ଭଳି ମିଛ ଅଭିଯୋଗ ଆଣୁଥିଲା ଓ ପାଲଟା ଟଙ୍କା ମାଗୁଥିଲା। ଟଙ୍କା ନ ଦେଲେ ସେମାନଙ୍କ ନାଁରେ ପୁଲିସରେ ଅଭିଯୋଗ କରିବ ବୋଲି ସଂସ୍ଥା ପକ୍ଷରୁ ଧମକ ଦିଆଯାଉଥିଲା।

Share Now:

Kalinga News Beuro

Next Post

ସେପ୍ଟେମ୍ବର ମାସ କୋଭିଡ୍ ଗାଇଡଲାଇନ : ହଟିଲା ସପ୍ତାହାନ୍ତ

Tue Aug 31 , 2021
ସଟଡାଉନ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଭୁବନେଶ୍ବର : ରାଜ୍ୟ ସରକାର ଆଜି ସେପ୍ଟେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏଥର କଟକଣାକୁ ଆହୁରି କୋହଳ କରିଛନ୍ତି। ଏ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏଣିକି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ […]
ସେପ୍ଟେମ୍ବର ମାସ କୋଭିଡ୍ ଗାଇଡଲାଇନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial