ରାଜ୍ୟ ପଞ୍ଚାୟତ ନିର୍ବାଚନରେ ୩ ରାଜନୈତିକ ଦଳର ଡିଜିଟାଲ୍‌ ଯୁଦ୍ଧ

ଡିଜିଟାଲ୍‌ ଯୁଦ୍ଧ

ନୂଆଦିଲ୍ଲୀ: (ନଇମ ଅଖତାର) ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। କରୋନାଭାଇରସ୍‌ର ତୃତୀୟ ଲହର୍ କଟକଣାରେ ହେବାକୁ ଥିବା ନିର୍ବାଚନରେ ଭର୍ଚୁଆଲ୍‌ ଓ ଡିଜିଟାଲ୍‌ ପ୍ଲାଟଫର୍ମରେ ପ୍ରାର୍ଥୀ ପ୍ରଚାର କରିବେ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ଗତ ଶନିବାର ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ କରୋନାଭାଇରସ୍‌ ସଂକ୍ରମଣରୁ ନିରାପଦ ରହି ନିର୍ବାଚନ କରାଇବା ପାଇଁ ଯେଉଁ ମାର୍ଗଦର୍ଶିକା ଜାରି କରିଥିଲେ, ତାହାର ପ୍ରତିଫଳନ ରାଜ୍ୟର ପଞ୍ଚାୟତ ନିର୍ବାଚନ ଘୋଷଣାରେ ଦେଖିବାକୁ ମିଳିଛି। କରୋନାଭାଇରସ୍‌ ସଂକ୍ରମଣ ନିରୋଧୀ କଟକଣାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଗଡ଼ ଜିଣିବା ସବୁ ରାଜନୈତିକ ଦଳମାନଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ଦଳମାନଙ୍କ ପାଇଁ ଡିଜିଟାଲ୍‌ ଯୁଦ୍ଧ ହିଁ ନିର୍ବାଚନୀ ବୈତରଣୀକୁ ପାର କରିବାରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ସୂଚନା ପ୍ରଯୁକ୍ତି (ଆଇଟି) ସେନା ଦଳମାନଙ୍କ ପାଇଁ କମାଣ୍ଡର୍‌ ସାଜିବେ। ରାଜନୈତିକ ସମୀକ୍ଷକମାନଙ୍କ କହିବା ଅନୁସାରେ, କରୋନଭାଇରସ୍‌ ଲକଡାଉନ ପରେ ଡିଜିଟାଲ୍‌ ଦୁନିଆ ସହିତ ବନ୍ଧୁତ୍ବ ସ୍ଥାପନ ହେବାରୁ ଅନ୍‌ଲାଇନ୍‌ ସପିଙ୍ଗ୍‌, ଇ-ବିଲିଙ୍ଗ୍‌, ଭର୍ଚୁଆଲ୍‌ କ୍ଲାସ୍‌ ,ଭର୍ଚୁଆଲ୍‌ ମିଟିଙ୍ଗ୍‌ ଏବଂ ୱାର୍କ ଫ୍ରମ୍‌ ହୋମ୍‌ ପ୍ରଚଳନ କରାଯାଇଛି। ପରେ ସେ ବ୍ୟବସ୍ଥା କ୍ରମଶଃ ରାଜନୈତିକ ବୈଠକ ଓ ରାଲି କ୍ଷେତ୍ରକୁ ପ୍ରବେଶ କରିଥିଲା। ଏବେ ପ୍ରଚାର ଅଭିଯାନରେ ମଧ୍ୟ ଡିଜିଟାଲ ଯୁଦ୍ଧ ପାଇଁ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତ।
ଯଦି ରାଜନୈତିକ ବିଶ୍ଳେଷକଙ୍କ ମତକୁ ଗ୍ରହଣ କରାଯାଏ, ତାହା ହେଲେ ପଞ୍ଚାୟତ ନିର୍ବାଚନ ପାଇଁ ଡିଜିଟାଲ୍‌ ପ୍ରଚାର ବ୍ୟବସ୍ଥା ସବୁ ଦଳମାନଙ୍କ ପାଇଁ ମୁଖ୍ୟ ଅସ୍ତ୍ର ହେବ। ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ଦୁଇ ଜାତୀୟ ସ୍ତରୀୟ ଦଳ ବିଜେପି ଏବଂ କଂଗ୍ରେସ ଡିଜିଟାଲ ମୋଡରେ ଭୋଟରମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। କରାନାଭାଇରସ୍‌ ସଂକ୍ରମଣ ସମୟରେ ହୋଇଥିବା ଉପନିର୍ବାଚନରେ ତିନି ଦଳ ଭର୍ଚୁଆଲ୍‌ ନିର୍ବାଚନ ପ୍ରଚାରର ସମ୍ବନ୍ଧରେ ଊଣାଅଧିକ ଅଭିଜ୍ଞତା ହାସଲ କରିଥିବା ବେଳେ ଏଥର ଡିଜିଟାଲ ଯୁଦ୍ଧରେ ପଞ୍ଚାୟତ ନିର୍ବାଚନ ମୈଦାନରେ ନିର୍ବାଚନ ପ୍ରଚାର ୩ ଦଳଙ୍କ ପାଇଁ ନିଆରା ନ ହେବ, ଏଭଳି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ରାଜ୍ୟରେ ୩ ପ୍ରମୁଖ ଦଳ ଭର୍ଚୁଆଲ୍‌ ପ୍ରଚାର ଉପରେ ବିଶେଷ ଗୁରୁତ୍ବ ଦେବେ, ଗାଁ ଗାଁରେ ଡିଜିଟାଲ୍‌ ମାଧ୍ୟମରେ ଭୋଟରମାନଙ୍କୁ ଆକର୍ଷିତ କରିବେ ବୋଲି ପ୍ରାରମ୍ଭିକ ସମ୍ଭାବନା ବ୍ୟକ୍ତ କରାଯାଉଛି। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମକୁ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରାଯିବ। ୩ ଦଳ ସେମାନଙ୍କର ଦଳୀୟ କାର୍ଯ୍ୟକ୍ରମରେ ଡିଜିଟାଲ୍‌ ମାଧ୍ୟମରେ ଏକାଧି ଥର ଯୋଡ଼ି ହୋଇଛନ୍ତି। ଦଳ ପାଇଁ ଏହା କୌଣସି ନିଆରା ଅନୂଭୂତି ନ ହେଲେ ମଧ୍ୟ ପଞ୍ଚାୟତସ୍ତରୀୟ ନିର୍ବାଚନରେ ଏହା ସଂପୂର୍ଣ୍ଣରୂପେ ନୂଆ ପ୍ରୟୋଗ ହୋଇପାରେ ବୋଲି ଆଶା କରାଯାଉଛି। ଦଳମାନଙ୍କ ଦ୍ବାରା ପଞ୍ଚାୟତସ୍ତରରେ ବିଚାରବିମର୍ଶ ଜାରି ରହିବ ତଥା ସୋସିଆଲ୍‌ ମିଡିଆର ସମସ୍ତ ଗତିବିଧି ଉପରେ ନଜର ରଖାଯିବ। ଏଥିରେ ଦ୍ବିମତ ନାହିଁ ଯେ, ୩ଦଳର ସୂଚନା ଓ ପ୍ରଯୁକ୍ତି (ଆଇଟି) ସେଲ୍‌ର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ। ପଞ୍ଚାୟତ ନିର୍ବାଚନରେ ୩ ପ୍ରମୁଖ ଦଳ whatsapp Group ଗଠନ କରି ନିର୍ବାଚନ ପ୍ରଚାରରେ ପ୍ରୟୋଗ କରିବା ପାଇଁ ପ୍ରୟାସ କରିପାରନ୍ତି। ଦୁର୍ଗମ ଅଞ୍ଚଳରେ ହୁଏ ତ ନେଟୱାର୍କ ସମସ୍ୟା ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିପାରେ, କିନ୍ତୁ ୩ ରାଜନୈତିକ ଦଳର ଡିଜିଟାଲ୍‌ ଯୁଦ୍ଧର ନୀତି ଭିନ୍ନ ହୋଇପାରେ। ପଞ୍ଚାୟତ ନିର୍ବାଚନରେ ଭର୍ଚୁଆଲ୍‌ ସମ୍ବୋଧନ ମଧ୍ୟ ଅଲଗା ଅନୁଭୂତି ହେବ। ଡିଜିଟାଲ୍‌ ନିର୍ବାଚନରେ ଫେସ୍‌ବୁକ୍‌ ଲାଇଭ୍‌ର ମଧ୍ୟ ଉପଯୋଗ କରାଯିବ। ଫେସ୍‌ବୁକ୍‌ ଇନ୍‌ଷ୍ଟାଗ୍ରାମ୍‌ ଏବଂ ଟୁଇଟର୍‌ ଲିଙ୍କ୍‌ କିପରି ଦିଆଯିବ, କାର୍ଯ୍ୟକର୍ତ୍ତାମାନଙ୍କୁ ବ୍ୟାପକ ମାତ୍ରାରେ ତାହାର ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଜୁମ୍‌ ମିଟିଙ୍ଗ୍‌ର ଗୁରୁତ୍ବ ବଢ଼ିବା ସହିତ ସୋସିଆଲ୍‌ ମିଡିଆ ଯୋଦ୍ଧାମାନେ ସକ୍ରିୟ ହୋଇପାରନ୍ତି। ଦଳମାନଙ୍କ ପାଇଁ ଇଣ୍ଟର୍‌ନେଟ୍‌ ମିଡିଆ ଗୋଟିଏ କ୍ଲିକ୍‌ରେ ସୂଚନା ଉପଲବ୍ଧ କରାଇପାରିବ। କ୍ୟାଡର୍‌ ବେସ୍‌ ଦଳଗୁଡିର ସବୁଠାରୁ ବଡ଼ ପ୍ଲସ୍‌ପଏଣ୍ଟ୍‌ ତାହାର ଭୋଟରମାନେ ବଡ଼ ସଂଖ୍ୟାରେ ଗାଆଁ ଓ ପଞ୍ଚାୟତସ୍ତରରେ ରହିଥାନ୍ତି। ବର୍ତ୍ତମାନ ମୋବାଇଲ୍‌ ସମସ୍ତଙ୍କ ପାଖରେ ଉପଲବ୍ଧ ହେଉଥିବାରୁ ପାର୍ଟି ସଂଗଠନଦ୍ବାରା ତୃଣମୂଳସ୍ତରରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉପଯୋଗ କରାଯିବ, ଯାହା ଦ୍ବାରା ସେମାନେ ଡିଜିଟାଲ୍‌ ମାଧ୍ୟମରେ ପାର୍ଟି ସହିତ ଯୋଡିହେବେ। ହେଲେ, ଡିଜିଟାଲ୍‌ ଯୁଦ୍ଧରେ ଦଳଗୁଡ଼ିକ କେତେ ସଂଖ୍ୟାରେ ଡିଜିଟାଲ୍‌ କ୍ୟାଡର୍‌ ସୃଷ୍ଟି କରିପାରିବେ ନିର୍ବାଚନ ଫଳାଫଳ ବାହାରିବା ପରେ ହିଁ ସ୍ପଷ୍ଟ ହେବ।

Share Now:

Kalinga News Beuro

Next Post

ନେପାଳ-ଭାରତ ସୀମାରେ ବଢୁଛି ମସଜିଦ ସଂଖ୍ୟା : ସତର୍କ କରାଇଲା ସୁରକ୍ଷା ବାହିନୀ

Wed Jan 12 , 2022
ନୂଆଦିଲ୍ଲୀ: ନେପାଳକୁ ଲାଗିଥିବା ଉତ୍ତରପ୍ରଦେଶର ୧୫ କିଲୋମିଟର ସୀମାରେ ମସଜିଦ ଏବଂ ମଦ୍ରାସା ସଂଖ୍ୟା ବୃଦ୍ଧି ହେଉଥିବା ନେଇ ସଶସ୍ତ୍ର ସୀମା ବଳ ବା ଏସଏସବି ସତର୍କ କରାଇଛି। ଏସଏସବି ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୧୮ ମସିହାରେ ୭୩୮ଟି ମସଜିଦ ଥିବାବେଳେ ୨୦୨୧ ସୁଦ୍ଧା ମସଜିଦ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି। ସେହିପରି ଏଠାରେ ଥିବା ମଦ୍ରାସା ସଂଖ୍ୟା ୫୦୦ ରୁ ୬୪୫ କୁ ବୃଦ୍ଧି ପାଇଛି। ନେପାଳ ସହିତ […]
ନେପାଳ-ଭାରତ ସୀମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial