ମହଙ୍ଗା ପଡ଼ିଲା ଓଡ଼ିଆ ବିରୋଧୀ ମନୋଭାବ : ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ

ନିଲମ୍ବିତ ହେଲେ ଡାକ୍ତର ଆଲୋକ ଲୋଧ

ଭୁବନେଶ୍ବର: ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଡାକ୍ତର ଆଲୋକ ଲୋଧ। ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର ନିଯୁକ୍ତି ବିଜ୍ଞାପନରେ କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ହସ୍ପିଟାଲ ସିଇଓ ଲେଖିବା ଯୋଗୁଁ ତାଙ୍କୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ିଛି।
ସୂଚନାଯୋଗ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଲୋକ ଲୋଧ ଟ୍ବିଟର୍ରେ କରିଥିବା ପୋଷ୍ଟରେ ଲେଖିଥିଲେ ଯେ ଉତ୍କଳ ହସ୍ପିଟାଲ୍ ପାଇଁ ଜଣେ ଓପିଡି ମ୍ୟାନେଜରଙ୍କ ଆବଶ୍ୟକତା ରହିଛି। କୌଣସି କର୍ପୋରେଟ୍ ହସ୍ପିଟାଲରେ ୫ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। ତେବେ ସେ ସ୍ପଷ୍ଟ କରିଥିଲେ ଯେ ଆବେଦନକାରୀ ଅଣଓଡ଼ିଆ ଅର୍ଥାତ୍ ଓଡ଼ିଶା ବାହାରର ହୋଇଥିବା ଦରକାର। ସେ କେବଳ ଅଣଓଡ଼ିଆଙ୍କଠାରୁ ଆବେଦନ ମାଗିଥିବାରୁ ଏହାକୁ ବହୁ ସଚେତନ ଓଡ଼ିଆ ସହଜରେ ଗ୍ରହଣ କରିପାରି ନଥିଲେ। ଓଡ଼ିଶାରେ ହସ୍ପିଟାଲ୍ ନିର୍ମାଣ କରି ଏପରି ଓଡ଼ିଆ ବିରୋଧୀ ନିଯୁକ୍ତି ବିଜ୍ଞାପନ ଦେବା ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ ପାଇଥିଲା। ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଏପରି ବିଜ୍ଞାପନକୁ ସାମାଜିକ ଗଣମାଧ୍ୟମରେ କଡ଼ା ନିନ୍ଦା କରିଥିଲେ। ଏପରିକି ଏହାକୁ ନେଇ ଏକ ଅଭିଯାନ ଆରମ୍ଭ ହୋଇଥିଲା। ବିରୋଧ ପରେ ତୁରନ୍ତ ଶ୍ରୀ ଲୋଧ ତାଙ୍କ ବିଜ୍ଞାପନରେ ସଂଶୋଧନ କରିବା ସହ ଦୁଇଟି ପୋଷ୍ଟ କରି କ୍ଷମା ମାଗିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଓପିଡି ମ୍ୟାନେଜର ଓଡ଼ିଶା ବାହାରୁ ଆସୁଥିବା ରୋଗୀମାନଙ୍କୁ ପରିଚାଳନା କରିବେ। କିନ୍ତୁ ବିଜ୍ଞାପନରେ ଭୁଲକ୍ରମେ ଆବେଦନକାରୀ ପ୍ରାର୍ଥୀ ଓଡ଼ିଶା ବାହାରର ହେବା ଆବଶ୍ୟକ ବୋଲି ଲେଖାଯାଇଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ହସ୍ପିଟାଲରେ ୭୦୦ କର୍ମଚାରୀଙ୍କ ମଧ୍ୟରେ ୯୮ ପ୍ରତିଶତ କର୍ମଚାରୀ ଓଡ଼ିଶାର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଇଓ ଶ୍ରୀ ଲୋଧ କହିଛନ୍ତି ଯେ ଓଡ଼ିଶାର ଲୋକଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି। ଭୁଲ ବଶତଃ ସେ ଏହି ପୋଷ୍ଟ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଭୁଲ୍ ଥିଲା। ଏହି ପ୍ରସଙ୍ଗରେ କଳିଙ୍ଗ ସେନା ପକ୍ଷରୁ ଗତକାଲି କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଶ୍ରୀ ଲୋଧଙ୍କ ପୋଷ୍ଟ ଓଡ଼ିଆଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଓଡ଼ିଆଙ୍କୁ ନ୍ୟୁନ କରିଛି। ଏଭଳି ରୁଗ୍ଣ ମାନସିକତା ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ତୁରନ୍ତ ଚାକିରିରୁ ବହିଷ୍କାର କରିବା ସହ ଓଡ଼ିଶା ବିରୋଧୀ ମାନସିକତା ରଖିଥିବା ସମସ୍ତ ଅଣଓଡ଼ିଆ କର୍ମଚାରୀଙ୍କୁ ଏଠାରୁ ବାହାର କରିବାକୁ କଳିଙ୍ଗ ସେନା ଦାବି କରିଛି।

Share Now:

Kalinga News Beuro

Next Post

ବିଏମ୍‌ସିର ‘କୋଭିଡ୍‌’ ଛଳନା : ସାଧାରଣ ଲୋକଙ୍କ ପାଇଁ ସବୁ କଟକଣା

Sun Jul 17 , 2022
ଭୁବନେଶ୍ବର: ଭୁବନେଶ୍ବରରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି କଟକଣା ଜାରି କଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା, ପ୍ରେକ୍ଷାଳୟରେ ଯେ କୌଣସି କାର୍ଯ୍ୟକ୍ରମ କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହି ହଲ୍‌ରେ ଯେପରି ସମସ୍ତ କୋଭିଡ୍‌ ନିୟମ ପାଳନ କରାଯାଏ, ସେଥି ପ୍ରତି ଆୟୋଜକ ଧ୍ୟାନ ଦେବେ। ନଚେତ ଆୟୋଜକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ବିଏମ୍‌ସିର ଏପରି ସତର୍କତାମୂଳକ ପଦକ୍ଷେପକୁ […]
ବିଏମ୍‌ସିର ‘କୋଭିଡ୍‌’ ଛଳନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial