ରାଜଧାନୀ ଉପକଣ୍ଠରେ ଦନ୍ତା ଉତ୍ପାତ : ରାତିରେ ପଶିଲା, ପାଚେରି ଭାଙ୍ଗିଲା

ରାଜଧାନୀ ଉପକଣ୍ଠରେ ଦନ୍ତା ଉତ୍ପାତ-3

ଚନ୍ଦ୍ରଶେଖରପୁର: ରାଜଧାନୀରେ ପୁଣି ପଶିଲା ଦନ୍ତା ହାତୀ। ସେଭଳି କିଛି କ୍ଷତି କରି ନ ଥିଲେ ମଧ୍ୟ ହାତୀକୁ ନେଇ ଭୁବନେଶ୍ୱର ଉପକଣ୍ଠରେ ଆତଙ୍କ ଖେଳିଯାଇଛି। ଏକ ଦନ୍ତାହାତୀ ପଥରଗାଡ଼ିଆ, ଅଳସୁଆ, ଦାରୁଠେଙ୍ଗ, ଚନ୍ଦକା, କଣ୍ଟାବାଡ଼, ଦଳୁଆ, ଅନ୍ଧାରୁଆ ପ୍ରଭୃତି ଅଞ୍ଚଳରେ ବୁଲୁଛି। କେଉଁଠି ଫାର୍ମ ହାଉସ୍‌ ଉଜାଡ଼ି ଦେଇଛି ତ କେଉଁଠି ଲୋକଙ୍କ ପାଚେରି ଭାଙ୍ଗୁଛି। ହାତୀ ଉତ୍ପାତ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲେ ମଧ୍ୟ ବନ ବିଭାଗ ଅଧିକାରୀ ପହଞ୍ଚି ନ ଥିବା ଜଣାପଡ଼ିଛି। ହାତୀକୁ ତୁରନ୍ତ ଘଉଡ଼ାଇବା ଲାଗି ଲୋକେ ବାରମ୍ବାର ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ପଥରଗାଡ଼ିଆ ନିକଟ ଗଣେଶ ବିହାର ଅଞ୍ଚଳର ହୃଦାନନ୍ଦ ମହାକୁଡ଼ଙ୍କ କହିବାନୁଯାୟୀ ରାଜଧାନୀକୁ ଲାଗିରହିଥିବା ଭରତପୁର ଜଙ୍ଗଲରେ ଏବେ ହାତୀଙ୍କ ଚଳପ୍ରଚଳ ଜାରି ରହିଛି। ପ୍ରତି ମାସେ କିମ୍ବା ଦୁଇ ମାସ ଅନ୍ତରରେ ଚନ୍ଦକା ଅଭୟାରଣ୍ୟରୁ ହାତୀ ପଲ ବାହାରି ଭରତପୁର ମୁହାଁ ହେଉଥିଲେ। ମାତ୍ର ଗତ କିଛି ମାସ ହେଲା ଏକ ୧୬ ଟିକିଆ ହାତୀ ପଲ ଭରତପୁର ଜଙ୍ଗଲରେ ଡେରା ପକାଇ ରହିଛନ୍ତି। ବର୍ଷାଧିକ ହେଲା ହାତୀଗୁଡ଼ିକ ରହୁଥିବାରୁ ବିଭିନ୍ନ ସମୟରେ ବାହାରକୁ ଆସି ଉତ୍ପାତ କରୁଛନ୍ତି। ଗତକାଲି ରାତିରେ ଲୋକେ ଘର ବାହାରେ ଥିବା ସମୟରେ ଏକ ଦନ୍ତା ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। ହଠାତ୍‌ ଦନ୍ତାକୁ ଦେ‌ଖି ଲୋକେ ଭୟଭୀତ ହେବା ସହ ସଙ୍ଗେ ସଙ୍ଗେ ବନ ବିଭାଗ ଅଧିକାରୀଙ୍କୁ ଫୋନ୍‌ କରିଥିଲେ। ମାତ୍ର କେହି ଫୋନ୍‌ ଉଠାଇ ନ ଥିଲେ କି ଘଟଣାସ୍ଥଳକୁ ଆସି ନ ଥିଲେ। ଯେଉଁଥିପାଇଁ ହାତୀଟି ‌ଏକାଧିକ ଲୋକଙ୍କ ଘର ପାଚେରି ଭାଙ୍ଗି ଦେଇଛି। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏକାଧିକ ହାତୀ ଗଣେଶ ବିହାରରେ ବ୍ୟାପକ କ୍ଷତି କରିଛନ୍ତି। ଗାଁ ନିକଟରେ ଥିବା କଦଳୀ ଫାର୍ମ ହାଉସ୍ ପାଚେରି ଭାଙ୍ଗି ଆନେକ କଦଳୀ ଗଛ ଭାଙ୍ଗି ଦେଇଥିଲେ। ଗତକାଲିର ଘଟଣା ‌ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ଭରତପୁର ଜଙ୍ଗଲ ପାଚେରି ସୁଦୃଢ଼ କରିବାକୁ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ନାହିଁ ରୁଷ ରାଷ୍ଟ୍ରପତି ପୁଟିନ୍

Mon Aug 28 , 2023
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ପୁଟିନ। ତାଙ୍କ ବଦଳରେ […]
ରୁଷ ରାଷ୍ଟ୍ରପତି ପୁଟିନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial