ଆବଣ୍ଟନ ହେବ ପଞ୍ଚଦୀପ ବଜାର ଦୋକାନ ଘର

ଆବଣ୍ଟନ ହେବ ପଞ୍ଚଦୀପ ବଜାର ଦୋକାନ ଘର

ଭୁବନେଶ୍ୱର: ଦୀର୍ଘ ଦିନ ହେବ ବିବାଦରେ ଫସି ରହିଥିବା ପଞ୍ଚଦୀପ ମାର୍କେଟରେ ଥିବା ଦୋକାନ ଘର ଆବଣ୍ଟନ ହେବ। ଏଥିପାଇଁ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବରୁ ଥରେ ବିଏମ୍‌ସି ଏହାକୁ ଭଡ଼ାରେ ଦେବାପାଇଁ ଟେଣ୍ଡର କରିଥିଲେ ମଧ୍ୟ ତାହା ଫେଲ୍‌ ମାରିଛି। ଏବେ ଭଡ଼ାରେ ଦେବାପାଇଁ ବିଏମ୍‌ସି ବିଜ୍ଞପ୍ତି ଜାରି କରିଛି। ଗ୍ରାଉଣ୍ଡ ଫ୍ଲୋର୍‌ରୁ ୪ର୍ଥ ମହଲା ପର୍ଯ୍ୟନ୍ତ ଦୋକାନ ଘର ଭଡ଼ାରେ ଦେବାକୁ ବିଜ୍ଞପ୍ତି ଜାରି କରିଛି। ଏଥିରେ ୧୧୨ ଦୋକାନ ଘର ରହିଛି। ଇ-ଅକ୍ସନ ଜରିଆରେ ୩ ବର୍ଷିଆ ଭଡ଼ା ସୂତ୍ରରେ ଦେବାପାଇଁ ଯୋଜନା ହୋଇଛି। ଗ୍ରାଉଣ୍ଡ ଫ୍ଲୋରରେ ବର୍ଗଫୁଟ୍‌ ପିଛା ମାସିକ ୫୫ ଟଙ୍କା ଭଡ଼ା ଥିବା ବେଳେ ପ୍ରଥମ ମହଲାରେ ୫୦ ଟଙ୍କା, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ମହାଲାରେ ଦର ୪୫ ଟଙ୍କା ଲେଖାଏଁ ରହିଛି। ବେସମେଣ୍ଟରେ ମଧ୍ୟ ଗୋଦାମ ପାଇଁ ଜାଗା ରହିଛି। ଏହାର ମାସିକ ଦର ବର୍ଗଫୁଟ୍‌ ପିଛା ୨୦ ଟଙ୍କା ରହିଛି। ଏନେଇ ବିଏମସି ୱେବ୍‌ସାଇଟ୍‌ରେ ସମସ୍ତ ତଥ୍ୟ ରହିଛି।
ସୂଚନାଯୋଗ୍ୟ, ୧୯୯୯ ମସିହାରେ ସରକାରୀ-ଘରୋଇ ସହଭାଗିତାରେ ପଞ୍ଚଦୀପ ମାର୍କେଟ ନିର୍ମାଣ ଯୋଜନା ହୋଇଥିଲା। ନିର୍ମାଣକାରୀ ସଂସ୍ଥା ପଞ୍ଚଦୀପ କନ୍‌ଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରିବା ଅଭିଯୋଗ ହୋଇଥିଲା। ଏମିତିକି ନିର୍ମାଣ ପରେ ବିଏମ୍‌ସି ଭାଗରେ ଥିବା ଦୋକାନ ଘର ସବୁକୁ କନ୍‌ଷ୍ଟ୍ରକ୍‌ସନ ସଂସ୍ଥା ହସ୍ତାନ୍ତର କରୁନଥିଲା। ଏଣୁ ବିବାଦ ଉପୁଜିଥିଲା ଓ ଏହି ମାର୍କେଟ କମ୍ପ୍ଲେକ୍ସକୁ ସିଲ୍‌ କରାଯାଇଥିଲା। ଦୀର୍ଘ ୨୩ ବର୍ଷ ଧରି ବନ୍ଦ ପଡ଼ିବା ପରେ ଗତ ବର୍ଷ ୯୧ ଦୋକାନ ଘର ଓ ୧୮ଟି ଅଫିସ୍‌ ଘର(‌ମୋଟ ୧୧୯)କୁ ଇ-ନିଲାମ୍‌ କରିବା ପାଇଁ ବିଏମ୍‌ସି ଯୋଜନା କରିଥିଲା। ଏଥିପାଇଁ ଅତିରିକ୍ତ କମିସନର-୩ଙ୍କ ଅଧୀନରେ ଏକ ଟିମ୍‌ ମଧ୍ୟ ଗଠନ ହୋଇଥିଲା। ଏ ନେଇ ଇ-ନିଲାମ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ କେହି ଆବେଦନକାରୀ ଆଗ୍ରହ ପ୍ରକାଶ କରିନଥିଲେ। କାରଣ ନିଲାମଧାରୀଙ୍କୁ ୬ ମାସର ଭଡ଼ା ଅଗ୍ରୀମ ଦେବାକୁ ରହିଥିଲା। ପ୍ରତିବର୍ଷ ଭଡ଼ା ୫ ପ୍ରତିଶତ ହିସାବରେ ବୃଦ୍ଧି ପାଇବାକୁ ସର୍ତ୍ତ ରହିଥିଲା। ପ୍ରତି ମାସ ୭ ତାରିଖରେ ଦୋକାନୀ ଭଡ଼ା ଦେବେ। ବ୍ୟତିକ୍ରମ ହେଲେ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବାକୁ ସର୍ତ୍ତ ରହିଥିଲା। ଦୋକାନ ପିଛା ୧୦ ହଜାର ଓ ଅଫିସ୍‌ ପିଛା ୫୦ ହଜାର ଫେରସ୍ତଯୋଗ୍ୟ ଜମା ରଖାଯିବ। ନିର୍ଦ୍ଧାରିତ ସମୟରେ ଆବଣ୍ଟନ ବାତିଲ କରି ଟଙ୍କା ଫେରସ୍ତ ନେଇ ହେବ। କିନ୍ତୁ ୬ ମାସ ମଧ୍ୟରେ ଫେରସ୍ତ ନେଲେ ଶତପ୍ରତିଶତ ଅର୍ଥ ଫେରସ୍ତ ହେବ। ଏହା ପରେ ବାତିଲ୍‌ କଲେ ଫେରସ୍ତ ଅର୍ଥ ପରିମାଣ କମି କମି ଯିବ। ଏହି ଦୋକାନ ଘରକୁ ବିକ୍ରି କିମ୍ବା ଅନ୍ୟକୁ ହସ୍ତାନ୍ତର କରିହେବ ନାହିଁ। ୩ ବର୍ଷ ପରେ ଚୁକ୍ତି ନବୀକରଣ କରାଯିବ ଭଳି ବିଚିତ୍ର ସର୍ତ୍ତ ରହିଥିବାରୁ କେହି ଆବେଦନ କରିନଥିଲେ।

Share Now:

Kalinga News Beuro

Next Post

ମନ୍ତ୍ରିମଣ୍ଡଳରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ : ବାଚସ୍ପତିଙ୍କ ପରେ ଶ୍ରମମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ଇସ୍ତଫା

Fri May 12 , 2023
ଭୁବନେଶ୍ୱର: ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା ଦେଇଛନ୍ତି ବୋଲି ଉଭୟ ଶ୍ରୀକାନ୍ତ ସାହୁ ଓ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ଏହି ଇସ୍ତଫା ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳର ସୂଚନା ଦେଉଛି […]
ଶ୍ରମମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ଇସ୍ତଫା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial