ପୂର୍ବ ଶତ୍ରୁତାରୁ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ : ମୋବାଇଲରେ ଫଟୋ ଉଠାଇବାକୁ ନେଇ ହାତାହାତି ପରିସ୍ଥିତି

ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ

ଭୋଗରାଇ: ପୂର୍ବ ଶତ୍ରୁତାରୁ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ। ସ୍କୁଲ ଆସିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କ ଫଟୋ ଅନ୍ୟ ଜଣେ ଶିକ୍ଷୟିତ୍ରୀ ନିଜ ମୋବାଇଲରେ ଉଠାଇବା ଘଟଣାକୁ ନେଇ ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ନିଜ ନିଜର ବ୍ୟକ୍ତିଗତ କଥାକୁ ନେଇ ବୃତ୍ତିଗତ ଆକ୍ରୋଶରୁ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାରେ ୨ ଶିକ୍ଷୟିତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୁଣ୍ଡ ଫାଟିଛି। ଏନେଇ ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅଭିଯୋଗ ହୋଇଥିବା ଜଣାପଡିଛି। ସେପଟେ ବିଦ୍ୟାଳୟର ଶୃଙ୍ଖଳା ଭଙ୍ଗ କରୁଥିବା ୨ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରି ସେମାନଙ୍କ ବଦଳି ଦାବିରେ ସ୍କୁଲ ଫାଟକରେ ତାଲା ପକାଇଛନ୍ତି ଛାତ୍ରାଭିଭାବକ ଓ ଉତ୍ତ୍ୟକ୍ତ ଗ୍ରାମବାସୀ। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ପଞ୍ଚାୟତ ଉଲୁଡ଼ା ଗ୍ରାମର ବନମାଳୀ ମାଝୀ ପ୍ରାଥମିକ ବିଦ୍ୟାଳୟକୁ ଶୁକ୍ରବାର ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସୀତାଞ୍ଜଳି ଧଳ ବିଳମ୍ୱରେ ଆସିବାରୁ ଅନ୍ଯଜଣେ ସହକାରୀ ଶିକ୍ଷୟିତ୍ରୀ ମୋବାଇଲରେ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ। ଏହାକୁ କେନ୍ଦ୍ରକରି ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ କିଛିକ୍ଷଣ ମଧ୍ୟରେ ଉଗ୍ରରୂପ ଧାରଣ କରିବା ସହିତ ଶେଷରେ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବିଦ୍ୟାଳୟ ପରିସର କିଛି ସମୟ ରଣକ୍ଷେତ୍ର ପାଲଟିଥିବା ବେଳେ ଛାତ୍ରଛାତ୍ରୀଙ୍କ ସହିତ ଗ୍ରାମବାସୀ ଏହାକୁ ବେଶ୍ କୌତୁହଳ ସହିତ ଉପଭୋଗ କରିଥିଲେ। ମଣିଷ ତିଆରି କାରଖାନାର ଏହି ଦୁଇ ସୁଦକ୍ଷ ବିନ୍ଧାଣିଙ୍କ ଆଚରଣ ଓ ଉଚ୍ଚରଣ ସମସ୍ତଙ୍କୁ ଚକିତ କରିଥିଲା। ପରେ ଏହି ଘଟଣାରେ ଶିକ୍ଷୟିତ୍ରୀ ଶ୍ରୀମତୀ ଧଳ ଓ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା କମର୍ଦ୍ଦା ଥାନାରେ ଉଭୟଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ତେବେ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ବାରମ୍ବାର ଏଭଳି ମାରପିଟ ହେଉଥିବାର ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ବିଦ୍ୟାଳୟ ପରି ଏକ ମଣିଷ ଗଢା କାରଖାନାରେ ଏପରି ବିବେକହୀନ କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ସମ୍ପୃକ୍ତ ସ୍କୁଲର ଛାତ୍ରାଭିଭାବକ ଓ ଗ୍ରାମବାସୀ ଉଭୟ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ହତା ମଧ୍ୟରୁ ବାହାର କରିଦେବା ସହିତ ସେମାନଙ୍କ ବଦଳି ଦାବିରେ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ସୂଚନା ମିଳିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କମର୍ଦ୍ଦା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବାଜଣାପଡିଛି। ସେପଟେ ଘଟଣା ସମ୍ପର୍କରେ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି। ତେବେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Share Now:

Kalinga News Beuro

Next Post

ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ

Fri Aug 26 , 2022
ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ। ଭାରତୀୟ ସେନାର ମେକାନିକାଲ ଫୋର୍ସରେ ଏସବୁ ଡ୍ରୋନ ସାମିଲ ହୋଇଛି। ଏଗୁଡ଼ିକ ସାମିଲ ହେବା ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏପରି ଟେକନଲୋଜୀର ବ୍ୟବହାର ଦ୍ବାରା ଭବିଷ୍ୟତର ଯୁଦ୍ଧରେ ସେନା ସୁବିଧାଜନକ ସ୍ଥିତିରେ ରହିବ। ସ୍ବାର୍ମ ଡ୍ରୋନ ଗୁଡ଼ିକ କ୍ଷୁଦ୍ର ମାତ୍ର ଅତ୍ୟନ୍ତ ପ୍ରଭାବୀ। ଅନେକ ଗୁଡ଼ିଏ ( ଶହ ଶହ) ସ୍ବାର୍ମ ଡ୍ରୋନକୁ ଆକାଶରେ […]
ସ୍ବାର୍ମ ଡ୍ରୋନ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial