ଓଡ଼ିଶା କ୍ରିକେଟ୍‌ରେ ରାଜନୀତି: ଆଗୁଆ ଚୌକିରେ ବସିଲେ ବବି

କ୍ରିକେଟ୍‌ରେ ରାଜନୀତି

୧୦ ବର୍ଷ ପରେ ପୁଣିଥରେ ନିର୍ଦ୍ୱନ୍ଦ ନିର୍ବାଚନ

ଭୁବନେଶ୍ବର : ଓଡ଼ିଶା କ୍ରିକେଟ୍‌ରେ ରାଜନୀତି ବ୍ୟକ୍ତିବିଶେଷଙ୍କ ପ୍ରଭାବ ଆରମ୍ଭ ହୋଇଯାଇଛି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ହେବା ନିଶ୍ଚିତ ହେବା ପରଠୁ ରାଜନୈତିକ ବ୍ୟକ୍ତିମାନଙ୍କର ଦବ୍‌ଦବା ଆରମ୍ଭ ହେବା ଆଶଙ୍କା କରାଯାଉଛି। ଏହାର ସଦ୍ୟତମ ଉଦାହରଣ ସ୍ବରୂପ ଶୁକ୍ରବାର ଓସିଏ କାର୍ଯ୍ୟାଳୟ ପରିବେଶ ଉପରେ ନଜର ପକାଇଲେ ଜାଣିହେବ। ପ୍ରଣବ ସଭାପତି ଦାୟିତ୍ବ ଗ୍ରହଣ କରିନାହାନ୍ତି। କିନ୍ତୁ ଶୁକ୍ରବାର ନାମାଙ୍କନ ଦାଖଲ ଅବସରରେ ସେ ସମର୍ଥକଙ୍କ ଗହଣରେ ଓସିଏ ସଭାପତିଙ୍କ ଚୌକିରେ ବସିଥିବା ଦେଖାଯାଇଥିଲା। ଅନ୍ୟ ସଦସ୍ୟମାନେ ସେଠାରେ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଯଦିଓ ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଭରିଛନ୍ତି, କିନ୍ତୁ ଏବେ ବି ‌ସେ ଓସିଏର ସଭାପତି ଅଛନ୍ତି। ଏହାସତ୍ତ୍ବେ ତାଙ୍କ ଉପସ୍ଥିତିରେ ପ୍ରଣବ ସଭାପତି ଚୌକିରେ ବସିବା ଏକ ଅସୁନ୍ଦର ପରମ୍ପରା ବୋଲି କୁହାଯାଉଛି। ପୂର୍ବରୁ ପ୍ରଣବ ଯେତେବେଳେ ବି ଓସିଏ କାର୍ଯ୍ୟାଳୟକୁ ଆସୁଥିଲେ ସେତେବେଳେ ସମ୍ପାଦକଙ୍କ କାର୍ଯ୍ୟାଳୟରେ ଅଲଗା ଚୌକିରେ ବସୁଥିଲେ। କିନ୍ତୁ ଶୁକ୍ରବାର ଦାୟିତ୍ବ ଗ୍ରହଣ ନକରିବି ନିଜ ଅଧିକାର ସାବ୍ୟସ୍ତ କରିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା।
ଏକମାତ୍ର ବିଜେପି ନେତା ପ୍ରତାପ
ଓସିଏରେ ନାମାଙ୍କନ ଭରିଥିବା ସମସ୍ତ ପ୍ରାର୍ଥୀଙ୍କ ଭିତରେ ବିଜେଡି କିମ୍ବା ଦଳ ସହିତ ସଂପର୍କ ରଖୁଥିବା ବ୍ୟକ୍ତିମାନେ କାୟା ବିସ୍ତାର କରିଛନ୍ତି। ପ୍ରଣବଙ୍କ ବ୍ୟତୀତ, ସମ୍ପାଦକ ସଂଜୟ ବେହେରା ବିଜେଡିକୁ ସାଙ୍ଗରେ ନେଇ ସବୁବେଳେ ଯାଉଛନ୍ତି। ଯାହାକି ଗତ ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ମ୍ୟାଚ୍‌ ବେଳେ ଦେଖିବାକୁ ମିଳିଥିଲା। ସେହିପରି ଉପସଭାପତି ପାଇଁ ପ୍ରାର୍ଥୀ ହୋଇଥିବା ସଭାପତି ପଙ୍କଜ ଲୋଚନ ମହାନ୍ତି ମଧ୍ୟ ବିଜେଡି ଦଳ ପ୍ରତି ଆନୁଗତ୍ୟ ଦେଖାଇ ଆସୁଛନ୍ତି। ଯଦିଓ ସେ ସିଧାସଳଖ କୌଣସି ‌ଦଳ ସହିତ ସାମିଲ ହୋଇନାହାନ୍ତି, ତଥାପି ଆଶୀର୍ବାଦ ବେହେରାଙ୍କ ସହିତ ପାଦ ମିଶାଇ କ୍ରୀଡ଼ା ରାଜନୀତିରେ ପ୍ରବେଶ କରିଛନ୍ତି। କୋଷାଧ୍ୟକ୍ଷ ବିକାଶ ପ୍ରଧାନ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଅତି ଘନିଷ୍ଠ। ଯେତେବେଳେ ବିକାଶଙ୍କ ଚୌକି ପ୍ରତି ବିପଦ ଆସିଥିଲା, ସେତେବେଳେ ବିଧାୟକ ତାଙ୍କ ପାଇଁ ଲଢିଥିଲେ। ଏମାନଙ୍କ ବ୍ୟତୀତ କାଉନସିଲ ସଦସ୍ୟ ପାଇଁ ନାମାଙ୍କନ ଭରିଥିବା ଅନୁଗୁଳ କ୍ରିକେଟ ସଂଘର ସଭାପତି ପ୍ରତାପ ପ୍ରଧାନ ଜଣେ ବିଜେପି ନେତା। ବିଜେଡି ବ୍ୟକ୍ତିଙ୍କ ଗହଣରେ ସେ ଏକମାତ୍ର ବିଜେପି କର୍ମୀ। ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ବିଧାନସଭା ଆସନ ପାଇଁ ସେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଚଳିତ ଓସିଏ ନିର୍ବାଚନରେ ତାଙ୍କୁ କୌଣସି ଏକ ପଦରେ ରଖିବା ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ଅଡ଼ି ବସିଥିବା କୁହାଯାଉଛି।
୧୦ ବର୍ଷ ପରେ ପୁଣିଥରେ ନିର୍ଦ୍ୱନ୍ଦ ନିର୍ବାଚନ
ଓସିଏରେ ପଦ ପାଇବା ପାଇଁ ପ୍ରତ୍ୟେକ ସଦସ୍ୟଙ୍କ ସ୍ବପ୍ନ ଥାଏ। ତେବେ ୨୦୦୦ ମସିହାରୁ ଆଶୀର୍ବାଦ ‌ବେହେରା ଓସିଏରେ ପ୍ରବେଶ କରିବା ପରଠୁ ଏହା ପ୍ରତିଦ୍ବନ୍ଦ୍ବିତାର ରୂପ ନେଇଥିଲା। ତଥାପି ନିଜ ଚାଣକ୍ୟ ନୀତି‌ ବଳରେ ଧୀରେଧୀରେ ସଦସ୍ୟଙ୍କ ଉପରେ ସେ ନିୟନ୍ତ୍ରଣ ପାଇବା ସହ ୨୦୧୨ ନିର୍ବାଚନରେ କେହି ପ୍ରତିଦ୍ବନ୍ଦୀ ନଥିଲେ। ଆଶୀର୍ବାଦ ଯାହାକୁ ଚୟନ କଲେ ସେ ଅପ୍ରତିଦ୍ବନ୍ଦୀ ରହୁଥିଲେ। ୨୦୧୬ ନିର୍ବାଚନ ହେଉ କିମ୍ବା ଏହାପରେ ଓସିଏ ପରିଚାଳନା ସମିତି (ଆଡ୍‌-ହକ୍‌) ହେଉ, ପ୍ରତ୍ୟେକ ବ୍ୟକ୍ତି ନିର୍ଦ୍ୱନ୍ଦରେ ପଦ ଅଳଙ୍କୃତ କରୁଥିଲେ। ହେଲେ ନୂଆ ସମ୍ବିଧାନ ଅନୁଯାୟୀ ୨୦୧୯ରେ ହୋଇଥିବା ନିର୍ବାଚନରେ ପ୍ରଦୀପ ଚୌହାନ‌ଙ୍କ ଗୋଷ୍ଠୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ ମଧ୍ୟ ପରାଜିତ ହୋଇଥିଲେ। ଏବେ ୧୦ ବର୍ଷ ପରେ ପୁଣିଥରେ ଓସିଏରେ ବିନା ଲଢେଇରେ ଏହାର କର୍ମକର୍ତ୍ତା ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି।

Share Now:

Kalinga News Beuro

Next Post

ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ : ବ୍ୟାପକ ଖାଦ୍ୟ ସାମଗ୍ରୀ ଜବତ

Sat Oct 22 , 2022
କଟକ: ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ ହୋଇଛି। କଟକ ସହର ଭିତରେ ଥିବା ମାଲଗାଦୋମ ଅଞ୍ଚଳ ସହିତ ମୋଟ ୫ଟି ଅପମିଶ୍ରିତ ଖାଦ୍ୟ ଉତ୍ପାଦନ ଖାରଖାନା ଉପରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ଟମାଟୋ ସସ, ଭିନେଗାର, ଆଚାର, ବିସ୍କୁଟ ଓ ‌ଚକୋଲୋଟ ଆଦି ଜବତ ହୋଇଥିବା ଜଣାଯାଇଛି।‌ ତେବେ ରିପୋର୍ଟ ଲେଖାଯିବା ବେଳକୁ ଚଢ଼ଉ ଜାରି ରହିଛି। ସେହିପରି ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର […]
ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନାରେ ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial