ରାତି୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ଜୟଦେବ ବାଟିକା

ରାତିରେ ଜୟଦେବ ବାଟିକା ଖୋଲା

ଖଣ୍ଡଗିରି: ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା। ସନ୍ଧ୍ୟାରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହା ପରିସରରେ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ। ବିନା ଭୟରେ ବାଟିକା ପରିସରରେ ବୁଲିବା ସହ ସେଲ୍ଫି ବି ନେଇପାରିବେ। ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏବେ ରାତି ୯ଟା ପର୍ଯ୍ୟନ୍ତ ଖୋଲିବା ଲାଗି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିଷ୍ପତ୍ତି ନେଇଛି। ହକି ବିଶ୍ୱକପ୍‌କୁ ନଜରରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଦିନ ଲାଗି ପରୀକ୍ଷାମୂଳକ ଭାବେ ପର୍ଯ୍ୟଟକଙ୍କୁ ରାତି ପର୍ଯ୍ୟନ୍ତ ବୁଲିବାକୁ ସୁଯୋଗ ଦିଆଯାଇଥିଲା। ଏହି ସମୟ ମଧ୍ୟରେ କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ନ ହେବାରୁ ଏବେ ଏହାକୁ ନିୟମିତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ନୂତନ ବ୍ୟବସ୍ଥାରେ ଦିନ ଅପେକ୍ଷା ରାତିରେ ପ୍ରବେଶ ଟିକେଟ୍‌ ଦର ଅଧିକ ରହିଛି। ଦିନ ବେଳା ୧୨ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅପରାହ୍ନରେ ୫୦ ଟଙ୍କା, ଦିନବେଳା ସାଇକେଲ ପ୍ରବେଶ ଶୁଳ୍କ ୫ ଟଙ୍କା ଥିବା ବେଳେ ଅପରାହ୍ନରେ ୧୦ଟଙ୍କା, ଦିନବେଳା ଦୁଇଚକିଆ ପ୍ରବେଶ ଶୁଳ୍କ ୩୦ ଟଙ୍କା ଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା, ତିନିଚକିଆ ଦିନବେଳା ୫୦ଟଙ୍କା ଥିବା ବେଳେ ଅପରାହ୍ନରେ ୮୦ଟଙ୍କା ରଖାଯାଇଛି। ୪ ଚକିଆ ଯାନ ପ୍ରବେଶ ଲାଗି ଦିନ ବେଳା ୧୦୦ ଟଙ୍କା ରଖାଯାଇଥିବା ବେଳେ ଅପରାହ୍ନରେ ୧୫୦ ଟଙ୍କା କରାଯାଇଛି। ସେହିପରି ଫଟୋ ଓ ଭିଡିଓ ସୁଟିଂ ପାଇଁ ଦିନରେ ୩ ହଜାର ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅପରାହ୍ନରେ ଟିକେଟ୍‌ କାଟିଲେ ୪୫୦୦ ଟଙ୍କା ଦେବାକୁ ହେବ। ଫଟୋସୁଟ୍ ବାବଦକୁ ଦିନ ବେଳା ୧ହଜାର ଟଙ୍କା ଥିବା ବେଳେ ଅପରାହ୍ନରେ ୧୫୦୦, ଏସ୍‌ଏଲ୍‌ଆର୍‌ ଓ ଡିଏସଏଲ୍‌ଆର୍‌ ବାବଦକୁ ୩୦୦ଟଙ୍କା ଥିବା ବେଳେ ସଂଧ୍ୟାରେ ଦର ୪୫୦ ଟଙ୍କା ରହିଛି।
ସନ୍ଧ୍ୟା ସମୟରେ ପ୍ରବେଶ ଲାଗି କେତେକ କଟକଣା ଲଗାଯାଇଛି। ଦିନବେଳା ବାଟିକାର ଉଭୟ ଗେଟ୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ଖଣ୍ଡଗିରି ପାଦଦେଶ ପାର୍ଶ୍ଵରେ ଥିବା ଫାଟକ ଦେଇ ମଧ୍ୟ ଲୋକେ ଟିକେଟ୍‌ କାଟି ଭିତରକୁ ଯାଇ ପାରିବେ। ହେଲେ ରାତି ବେଳା କେବଳ ମୁଖ୍ୟ ଫାଟକ ପାର୍ଶ୍ଵ ଦେଇ ହିଁ ଭିତରକୁ ଆସି ହେବ। ଦିନରେ ବାଟିକାର ମସସ୍ତ ସ୍ଥାନକୁ ଯିବାର ଅନୁମତି ଥିବା ବେଳେ ସଂଧ୍ୟାରେ ସମୟରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ଚିହ୍ନଟ ହୋଇଛି। ଯେଉଁ ସ୍ଥାନଗଡ଼ିକରେ ଆଲୋକ ବ୍ୟବସ୍ଥା ରହିଛି, କେବଳ ସେହି ସ୍ଥାନକୁ ଯିବାର ଅନୁମତି ଦିଆଯାଇଛି। ପୂର୍ବରୁ ଅନ୍ଧାରିଆ ସ୍ଥାନରେ କିଛି ଆସାମାଜିକ ବ୍ୟକ୍ତି ଅନୈତିକ କାମ କରୁଥିବାରୁ ପାର୍କରେ ୬ଜଣ ସୁରକ୍ଷାକର୍ମୀ, ୪ଜଣ ୱାଚର୍‌ ଓ ଜଣେ ଇନ୍‌ଚାର୍ଜ ଉପସ୍ଥିତ ରହି ସମସ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି।

Share Now:

Kalinga News Beuro

Next Post

ହୋଲ୍ଡିଂ ଟାକ୍ସ ଆଦାୟକୁ ନେଇ ତନାଘନା : ନିଜ ଆଡ଼ୁ ଜମା କରୁନାହାନ୍ତି ଲୋକେ

Sat Jan 21 , 2023
ଭୁବନେଶ୍ୱର: ଟାର୍ଗେଟ୍‌ଠାରୁ ବହୁତ ପଛରେ ରାଜସ୍ୱ ଆଦାୟ ରହିଥିବାରୁ ବିଏମ୍‌ସିର ମୁଣ୍ଡ ବିନ୍ଧିଛି। ସପ୍ତାହକୁ ଥରେ ସମୀକ୍ଷା ହେଉଛି। ୱାର୍ଡ ଅଫିସରଙ୍କ ଉପରେ ଅଧିକାରୀମାନେ ବର୍ଷୁଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେଲେ ଦରମା ବନ୍ଦ କରିବୁ, ବଦଳି କରିବୁ, ଏଭଳି କେତେ କ’ଣ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଉଛନ୍ତି। ହେଲେ ମୂଳ ପ୍ରସଙ୍ଗକୁ ଯାଉ ନାହାନ୍ତି। ଫଳରେ ଏ ସବୁ ଚେତାବନୀ କିଛି କାମ କରୁନାହିଁ କି ହୋଲ୍ଡିଂ […]
ହୋଲ୍ଡିଂ ଟାକ୍ସ ଆଦାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial