ଆପାର୍ଟମେଣ୍ଟ୍‌‌‌ରେ ଲୁଚିଛନ୍ତି ସନ୍ଦିଗ୍ଧ:ପଞ୍ଜୀକୃତ କରିନାହାନ୍ତି କି ସଙ୍ଗରୋଧରେ ରହୁନାହାନ୍ତି

ଚନ୍ଦ୍ରଶେଖରପୁର : ବର୍ତ୍ତମାନ ସୁଦ୍ଧା ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ରାଜଧାନୀ‌‌ରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ରାଜଧାନୀ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ଏବେ ବି ଅନେକ ସଂଦିଗ୍ଧ ଆତ୍ମଗୋପନ କରି ରହିଥିବା ସୂଚନା ମିଳିଛି। ଏମାନେ ସଂକ୍ରମିତ ଦେଶ କିମ୍ବା ବାହାର ରାଜ୍ୟରୁ ଫେରିଥିଲେ ହେଁ ନିଜକୁ ପଞ୍ଜୀକୃତ କରାଇନାହାନ୍ତି କିମ୍ବା ଗୃହ ସଙ୍ଗରୋଧରେ ମଧ୍ୟ ରହୁନାହାନ୍ତି। ତେଣୁ ଆଗାମୀ ଦିନରେ ଏମାନେ ଯେ ଏକ ବିପଦକୁ ଡାକି ନ ଆଣିବେ, ତାହା କେହି କହିପାରି‌ବେ ନାହିଁ। ସେହି ଅଞ୍ଚଳରେ ଥିବା ଔଷଧ ଦୋକାନୀମାନେ ଏହି ସୂଚନା ଦେଇଛନ୍ତି। ସେମାନଙ୍କ କହିବା କଥା, କିଛି ଲୋକ ବାରମ୍ବାର ଜ୍ବର, ଥଣ୍ଡା, କଫ ଓ ଦେହ ବିନ୍ଧାଛିଟିକା ଔଷଧ ନେବାକୁ ଆସୁଛନ୍ତି। ସେମାନଙ୍କୁ ୧୦୪ରେ ପରାମର୍ଶ କରିବାକୁ କହିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ୟ ଔଷଧ ଦୋକାନକୁ ଚାଲି ଯାଉଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ପରୀକ୍ଷା କରାଉନାହାନ୍ତି। ସେମାନଙ୍କ ସଂର୍ପକରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ଜଣାଯାଉଛି ଯେ ସେମାନେ କିମ୍ବା ସେମାନଙ୍କ ପରିବାରର କେହି ଏହି ନିକଟ ଅତୀତରେ ବାହାର ରାଜ୍ୟ ତଥା ବିଦେଶରୁ ଆସିଛନ୍ତି। ଏହି ସମସ୍ୟା ନେଇ ଦୋକାନ ଆସୁଥିବା ସମସ୍ତ ଗ୍ରାହକ ଯେ କରୋନା ଆକ୍ରାନ୍ତ ହୋଇଥିବେ, ତା’ ନୁହେଁ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଯେ ଆକ୍ରାନ୍ତ ହୋଇନଥିବେ, ତାହା କିଏ କହିପାରିବ ବୋଲି ଜଣେ ଔଷଧ ଦୋକାନୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ତେଣୁ ସେହି ସବୁ ସଂଦିଗ୍ଧମାନଙ୍କୁ ଚିହ୍ନଟ କରିବା ଦିଗରେ ସରକାର ଦୃଢ଼ ପଦକ୍ଷେପ ନେବା ସହ ସେମାନଙ୍କୁ ବାଧ୍ୟତାମୂଳକ ସ୍କ୍ରିନିଂ କରାଯାଉ ବୋଲି ଉକ୍ତ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ବିଶେଷକରି ମଞ୍ଚେଶ୍ବର, ରଙ୍ଗମାଟିଆ, ଗାଡ଼କଣ, ଡମଣା, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ ଓ ପଟିଆ ଅଞ୍ଚଳରେ ଥିବା ସ୍ଥାନୀୟ ଯୁବକ ଓ ଆପାର୍ଟମେଣ୍ଟ୍‌ରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଜୋରଦାର ବଚସା ହେଉଥିବା ପରିଲକ୍ଷିତ ହେଉଛି। ସ୍ଥାନୀୟ ଲୋକ ଔଷଧ ଦୋକାନୀଙ୍କ ତଥ୍ୟକୁ ଭିତ୍ତି କରି ନିର୍ଦ୍ଦିଷ୍ଟ କଲୋନି କିମ୍ବା ଆପାର୍ଟମେଣ୍ଟ ଲୋକମାନଙ୍କୁ ପଚରାଉଚରା କରିବାରୁ ଉତ୍ତେଜନା ଦେଖାଦେଉଛି। ଲୋକମାନଙ୍କ କହିବା ମୁତାବକ, ଆପାର୍ଟମେଣ୍ଟ୍‌ଗୁଡ଼ିକରେ ବର୍ତ୍ତମାନ ଅନେକ ନୂଆ ମୁହଁ ଦେଖିବାକୁ ମିଳୁଛି। ଯେଉଁମାନେ ଏହି ନିକଟ ଅତୀତରେ ବିଦେଶ କିମ୍ବା ବାହାର ସଂକ୍ରମିତ ରାଜ୍ୟରୁ ଆସିଛନ୍ତି। କିନ୍ତୁ ସେମାନେ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରିନାହାନ୍ତି। ନିଜ ନାମ ପଞ୍ଜୀକରଣ କରିନାହାନ୍ତି କିମ୍ବା ସଙ୍ଗରୋଧ‌ରେ ରହୁନାହାନ୍ତି। ଏହିସବୁ ଅଞ୍ଚଳ ରାଜଧାନୀର ଉପକଣ୍ଠ ହୋଇଥିବାରୁ ଗ୍ରାମାଞ୍ଚଳର ସ୍ଥାନୀୟ ଯୁବକ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନେଇ ଦାବି କରିଛନ୍ତି। ହେଲେ ଆପାର୍ଟମେଣ୍ଟ ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିମାନେ ସ୍ଥାନୀୟ ଯୁବକଙ୍କ କଥାକୁ ହେୟଜ୍ଞାନ କରୁଥିବାରୁ ନାନା ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ଗ୍ରାମାଞ୍ଚଳରେ ଯୁବକମାନେ ବାହାର ଲୋକଙ୍କୁ ପୂରାଇ ଦେଉ ନଥିବାରୁ ଗ୍ରାମରେ କରୋନା ବ୍ୟାପିବା ଆଶଙ୍କା ଏକପ୍ରକାର ଶୂନ ହୋଇଯାଇଛି। ମାତ୍ର ଗ୍ରାମ ନିକଟରେ ଗଢ଼ି ଉଠିଥିବା ଅଟ୍ଟାଳିକା ଏବେ ସଂନ୍ଦିଗ୍ଧଙ୍କ ପାଇଁ ଲୁଚିବା ଶିବିର ପାଲଟିଛି ବୋଲି ଅଭିଯୋଗ ହେଉଛି।

Share Now:

Kalinga News Beuro

Leave a Reply

Next Post

ମାନିଲେନି କଟକଣା, ଆମିଷ ବଜାରରେ ଭିଡ଼

Sat Apr 11 , 2020
ସହର ଲୋକଙ୍କଠାରୁ ଅଧିକ ସଚେତନ ଉପକଣ୍ଠବାସୀ ପୁରୁଣା ଭୁବନେଶ୍ୱର : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତାପାର୍ଶ୍ୱକୁ ଉଠାଇ ଦିଆଯାଇଛି। ସେହିଭଳି ହାଟ ବଜାର ଉପରେ ମଧ୍ୟ କଟକଣା ଲଗାଯାଇଛି। ବିଭିନ୍ନ ଦୋକାନ ସମ୍ମୁଖରେ ଦିଆଯାଉଥିବା ଗୋଲ ଚିହ୍ନରେ ଠିଆ ହୋଇ ଜିନିଷ କିଣିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି। ଗରାଖମାନେ ଠିକ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial