ଭୁବନେଶ୍ବର ଏମ୍‌ସରେ ବ୍ୟାପକ ଅବ୍ୟବସ୍ଥା : ନାହାନ୍ତି ଟେକ୍ନିସିଆନ୍‌ , ଗାମା କ୍ୟାମେରା ଅଚଳ

ଭୁବନେଶ୍ବର ଏମ୍‌ସରେ ବ୍ୟାପକ ଅବ୍ୟବସ୍ଥା

ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଅଚଳାବସ୍ଥା,ହୋଇପାରୁନି ଥାଇରଏଡ୍‌ ଓ ଅନ୍ୟାନ୍ୟ ପରୀକ୍ଷା

ଭୁବନେଶ୍ବର : ଟେକ୍‌ନିସିଆନ୍‌ଙ୍କ ଅଭାବ ପାଇଁ ଏମ୍‌ସ ଭୁବନେଶ୍ବର ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗାମା କ୍ୟାମେରା ସହାୟତାରେ କରାଯାଉଥିବା ବିଭିନ୍ନ ପରୀକ୍ଷା ସମ୍ଭବ ହୋଇପାରୁ ନାହିଁ। ଦୀର୍ଘ ଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ଫଳରେ ଆଟୋମିକ ଏନର୍ଜି ରେଗୁଲେଟାରି ବୋର୍ଡ ବା ଏଇଆରବି ଏହାର ଲାଇସେନ୍‌ସ୍‌ ବାତିଲ କରିବାକୁ ପଛାଇ ନ ଥିବା କୁହାଯାଉଛି। ଗତ ୩/୪ମାସ ହେବ ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଥିଲେ ହେଁ ଏହାକୁ ଦୂର କରିବାକୁ ପଦକ୍ଷେପ ନିଆଯାଉ ନାହିଁ। ଗୋଟିଏ ପଟେ ରାଜ୍ୟ ସରକାର ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ୍ ହସ୍ପିଟାଲର ରୂପ ଦେବାକୁ ସ୍ବପ୍ନ ଦେଖୁଥିବା ବେଳେ ଜାତୀୟସ୍ତରୀୟ ହସ୍ପିଟାଲ ଏମ୍‌ସ ଭୁବନେଶ୍ବର ଆଉ କେନ୍ଦ୍ର ସରକାରଙ୍କ ଫୋକ୍‌ସରେ ନ ଥିବା ପ୍ରତୀୟମାନ ହେଉଛି।
କରୋନା ପାଇଁ ଏମ୍‌ସ ଦୀର୍ଘ ମାସ ଧରି ବନ୍ଦ ରହିବା ପରେ ଏବେ ଧୀରେ ଧୀରେ ସ୍ବାଭାବିକ ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀମାନେ ଏମ୍‌ସକୁ ଚିକିତ୍ସା ପାଇଁ ଆସୁଛନ୍ତି। ମାତ୍ର ଆବଶ୍ୟକ ସେବା ଅଭାବରୁ ‌ରୋଗୀମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଏମ୍‌ସର ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଗାମା କ୍ୟାମେରା ପରିଚାଳନା ପାଇଁ ଠିକାରେ ଜଣେ ଟେକ୍‌ନିସିଆନ୍ ନିୟୋଜିତ ହୋଇଥିଲେ। ମାତ୍ର ଗତ ୩/୪ମାସ ହେବ ସେ ଏହାକୁ ଛାଡ଼ି ଦେଇଛନ୍ତି। ଫଳରେ ଗାମା କ୍ୟାମେରା ସହାୟତାରେ ହେଉଥିବା ଥାଇରଏଡ୍‌ ଓ ଅନ୍ୟାନ୍ୟ ପରୀକ୍ଷାରେ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ପରୀକ୍ଷା ଏମ୍‌ସରେ ବହୁତ କମ୍ ଟଙ୍କାରେ ହେଉଥିବା ବେଳେ ବାଧ୍ୟ ହୋଇ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜଧାନୀର କିଛି ହାତଗଣତି ଘରୋଇ ହସ୍ପିଟାଲରେ ଏହି ପରୀକ୍ଷା ହେଉଥିବାରୁ ଗରିବ ରୋଗୀମାନଙ୍କୁ ଯଥେଷ୍ଟ ଅଧିକ ଟଙ୍କା ଦେଇ ପରୀକ୍ଷା କରିବାକୁ ପଡ଼ୁଛି। ଏନେଇ ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବି. କହିଛନ୍ତି ଯେ ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ କାର୍ଯ୍ୟ କରୁଥିବା ନ୍ୟୁକ୍ଲିୟର ଟେକ୍‌ନିସିଆନ୍‌ ଚାକିରି ଛାଡ଼ି ଦେଇଛନ୍ତି। ନିକଟରେ ପରିଚାଳନା ପରିଷଦର ଅନୁମୋଦନରେ ଜଣେ ମେଡିକାଲ ଫିଜିସିଷ୍ଟଙ୍କୁ ନିୟମିତ ଭାବେ ନିଯୁକ୍ତି ଦେବା ଲାଗି ଚୟନ କରାଯାଇଛି। ଏଥିପାଇଁ ସଂପୃକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିବା ବେଳେ ସେ ମେଡିକାଲ ବୋର୍ଡ ସମାପ୍ତ କରି ସାରିଛନ୍ତି। ତାଙ୍କର ନିଯୁକ୍ତି ପରେ ଗାମା କ୍ୟାମେରା ସମସ୍ୟା ଦୂର ହେବ। ତେବେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ମେଡିକାଲ ଫିଜିସିଷ୍ଟ ନ୍ୟୁକ୍ଲିୟର ଟେକ୍‌ନିସିଆନ୍‌ଙ୍କ ବିକଳ୍ପ ନୁହନ୍ତି। ନ୍ୟୁକ୍ଲିୟର ଟେକ୍‌ନିସିଆନ୍‌ ନିଯୁକ୍ତ ନ ହେଲା ଯାଏ ଏଇଆରବି ଗାମା କ୍ୟାମେରା ପରିଚାଳନା ଲାଗି ଲାଇସେନ୍ସ ଦେବ ନାହିଁ।
ଅସ୍ତ୍ରୋପଚାର ଗୃହରେ ସୂତା, ଗ୍ଲୋଭ୍‌ସ ବି ନିମ୍ନମାନର!
ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଯୋଗାଣ ହେଉଥିବା ଗ୍ଲୋଭ୍‌ସ ଓ ଅନ୍ୟାନ୍ୟ ସାମଗ୍ରୀ ନିମ୍ନମାନର ରହିଥିବା ଅଭିଯୋଗ ହେଉଛି। ଅସ୍ତ୍ରୋପଚାରରେ ଏହାକୁ ବ୍ୟବହାର କରିବା ସମୟରେ କେତେବେଳେ ସୂତା ଛିଣ୍ଡି ଯାଉଛି ତ ଆଉ କେତେବେଳେ ଗ୍ଲୋଭ୍‌ସ ଫାଟି ଯାଉଛି। ଯାହାକୁ ନେଇ ଡାକ୍ତରମାନେ ବିରକ୍ତି ପ୍ରକାଶ କରୁଥିବା ବେଳେ ରୋଗୀମାନଙ୍କୁ ମଧ୍ୟ ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ରାଜଧାନୀ ବାହାରର ଜଣେ ରୋଗୀ ଗତ ମାସରେ ଏମ୍‌ସରେ ନିଜର ଅସ୍ତ୍ରୋପଚାର କରାଇଥିଲେ। ହସ୍ପିଟାଲରେ ନିମ୍ନମାନର ସୂତା ଓ ଗ୍ଲୋଭ୍‌ସ ପାଇଁ ଅସ୍ତ୍ରୋପଚାର ସମୟରେ ତାଙ୍କୁ ୧୦ ହଜାର ଟଙ୍କାର ଏଭଳି ମେଡିକାଲ ସାମଗ୍ରୀ କିଣିବାକୁ ପଡ଼ିଥିବା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏମ୍‌ସରେ ପ୍ରତିଦିନ ଏଭଳି ବହୁ ସଂଖ୍ୟାରେ ଅସ୍ତ୍ରୋପଚାର ହେଉଥିବା ବେଳେ ରୋଗୀମାନଙ୍କୁ ଏଥିପାଇଁ ବାହାରୁ ମେଡିକାଲ ସାମଗ୍ରୀ କିଣିବାକୁ ପଡ଼ୁଛି। ନିର୍ଦ୍ଦେଶିକା ଡା.ଗୀତାଞ୍ଜଳି କହିଛନ୍ତି, ଅସ୍ତ୍ରୋପଚାରରେ ନିମ୍ନମାନର ସୂଚନା ଓ ଗ୍ଲୋଭ୍‌ସ ଇତ୍ୟାଦି ଯୋଗାଣ ସଂପର୍କରେ ଏ ଯାଏ କୌଣସି ଅଭିଯୋଗ ଆସିନାହିଁ। ତଥାପି ମେଡିକାଲ ସୁପରିନଟେଣ୍ଡେଣ୍ଟଙ୍କୁ ଏହାର ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ: ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ

Sat Jan 9 , 2021
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଅଞ୍ଚଳରେ ଥିବା ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ ନିଆଁ ଲାଗି ସେଥିରେ ଗଚ୍ଛିତ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ […]
ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial