ଗୋବରୀ ମାଗୁଛି ନ୍ୟାୟ : କେବେ ମିଳିବ ନଦୀର ମାନ୍ୟତା?

ଗୋବରୀ ମାଗୁଛି ନ୍ୟାୟ

ବନ୍ୟାରେ ବୁଡୁଛି ହେକ୍ଟର ହେକ୍ଟର ଚାଷଜମି, ମରୁଡ଼ିର ପ୍ରତିକାର ବ୍ୟବସ୍ଥା ନାହିଁ

କଟକ : ନ୍ୟାୟ ମାଗୁଛି ଗୋବରୀ। କେବେ ମିଳିବ ତାକୁ ନଦୀର ମାନ୍ୟତା? ଖରାଦିନେ ଗୋବରୀ ଶୁଖିଲା ତ ବର୍ଷାରେ ଉବୁଟୁବୁ। ବର୍ଷା ଆସିଲେ କେନ୍ଦ୍ରାପଡା, ମାହାଙ୍ଗା, ସାଲେପୁର ବ୍ଲକ୍‌ବାସୀଙ୍କ ପାଇଁ ଦୁ୍ଃଖ ଆଣେ ଗୋବରୀ। ପ୍ରତିବର୍ଷ ଏହି ନଦୀର ବନ୍ୟାରେ ମାହାଙ୍ଗା ଓ ସାଲେପୁର ବ୍ଲକ୍‌ର ପାଖାପାଖି ୭୦ଭାଗ ଚାଷଜମି ପ୍ରଭାବିତ ହେଉଛି। ଆଜି ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ଅଭାବରୁ ଜଳ ନିଷ୍କାସନର ହୋଇପାରୁନି। ହଜାର ହଜାର ଏକର ଜମି ଜଳମଗ୍ନ ହେଉଛି ଓ ହଜାର ହଜାର କଚ୍ଚାଘର ଭାଙ୍ଗୁଛି। ପ୍ରତିବର୍ଷ କୋଟି କୋଟି ଟଙ୍କା ଡ୍ରେନେଜ୍‌ ସଫେଇ, ବନ୍ଧ ଖନନ ମାଧ୍ୟମରେ ଖର୍ଚ୍ଚ ହେଉଥିବା ସରକାରୀ ତଥ୍ୟରେ ଦର୍ଶାଯାଉଥିବାବେଳେ ପ୍ରକୃତରେ ଗୋବରୀର ପୁନଃରୁଦ୍ଧାର ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନି। ବରଦିଆଠାରେ ଡ୍ରେନେଜ୍‌ କଟ୍ କାମ ଆରମ୍ଭ ହୋଇଛି, କିନ୍ତୁ ତା’ ବି ସରିପାରିନି। ସୂଚନା ଅନୁସାରେ, କଟକ ଜିଲ୍ଲାର ସାଲେପୁର ବ୍ଲକ୍‌ର ୫/୬ଟି ପଞ୍ଚାୟତ ଓ ମାହାଙ୍ଗା ବ୍ଲକର ୧୮ଟି ପଞ୍ଚାୟତ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବେଶ କରିଛି ଗୋବରୀ। ଚାହାପଡ଼ା, ଜଳେଶ୍ୱରପୁର, ନୁର୍ତ୍ତାଙ୍ଗ, ମଉଦା, ଆନନ୍ଦପୁର, ଭଉଁରିଆ, ପଲ୍ଲିସାହି, ଉମର, ନାହାଙ୍ଗ, ମାହାଙ୍ଗା, ବରାହୀପୁର, ରାହାଣିଆ, କୁସୁପୁର, ଉଷୁମା, ହଳଦିଆ, ପୋଡ଼ାମରାଇ, ପାଇକରାପୁର, ଲଳିତଗିରି ପଞ୍ଚାୟତ ଦେଇ ଜାତୀୟ ରାଜପଥ ଅତିକ୍ରମ କରି ଗୋବରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବେଶ କରିଛି। କିନ୍ତୁ ସ୍ୱାଧୀନତାର ୭୩ ବର୍ଷ ପରେ ବି ଗୋବରୀକୁ ମିଳୁନି ନଦୀର ମାନ୍ୟତା। ଡ୍ରେନେଜ କାର୍ଡ ୫୬ ସୁକ, ଗୋବରୀ ଓ ମଇଜରାକୁ ସ୍ଥାୟୀ ଖନନ, ସୁଦୃଢ଼ ବନ୍ଧ ନିର୍ମାଣ ଓ ବନ୍ଧରେ ବୃକ୍ଷରୋପଣ କରିବା ସହ ଏହାର ସ୍ଥାୟୀ ସମାଧାନ କଲେ ମାହାଙ୍ଗା ବ୍ଲକର ୭୦ ପ୍ରତିଶତ ଜନସାଧାରଣ ବନ୍ୟା ଏବଂ ମରୁଡ଼ିରୁ ରକ୍ଷା ପାଇବେ। ବର୍ଷାଦିନେ ଅସରାଏ ବର୍ଷା ହେଲେ ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇ ଚାଷକୁ କ୍ଷତି ପହଞ୍ଚାଉଛି ଏବଂ ଖରାଦିନେ ନଦୀରେ ପାଣି ରହୁ ନଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହେଉଛି। ମାହାଙ୍ଗା ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳ ନିଷ୍କାସନ ନ ହେବା ଫଳରେ ହଜାର ହଜାର କୃଷକ କ୍ଷତି ସହୁଛନ୍ତି। ତେଣୁ ଏହାର ତଦନ୍ତ କରାଯାଇ ଏହି ପାଟନାଳି ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବା ପାଇଁ ବାରମ୍ବାର ବର୍ଷ ବର୍ଷ ହେଲା ଦାବି ହେଉଛି। ହେଲେ, କିଛି ସୁଫଳ ମିଳୁନି। ଗୋବରୀକୁ ନେଇ ଅନେକ ସମ୍ଭାବନା ରହିଥିଲେ ବି ତାକୁ ଠିକ୍‌ ଭାବରେ ବ୍ୟବହାର କରାଯାଉନି। ବର୍ଷା ହେଲେ ବନ୍ୟାଜଳରେ ଉବୁଟୁବୁ ହେଉଥିବା ଗୋବରୀରେ ଅନ୍ୟଦିନମାନଙ୍କରେ ଅଣ୍ଟାଏ ପାଣି ବି ରହେନି। ଯଦି ଗୋବରୀର ପାଣିକୁ ସଠିକ୍‌ ନିୟନ୍ତ୍ରଣ କରାଯାଇପାରନ୍ତା ତାହେଲେ ଉଭୟ ମାହାଙ୍ଗା ଓ ସାଲେପୁର ବ୍ଲକ୍‌ର ହଜାର ହଜାର ହେକ୍ଟର ଚାଷ ଜମି ଜଳିସେଚିତ ହୋଇପାରନ୍ତା। ଗୋବରୀକୁ ନେଇ ଆଜି ପର୍ଯ୍ୟନ୍ତ ସ୍ବତନ୍ତ୍ର ମାଷ୍ଟର ପ୍ଲାନ୍‌ କିଛି କରାଯାଇ ପାରି ନ ଥିବାରୁ ଆଗାମୀ ଦିନରେ କେବଳ ବର୍ଷା ହେଲେ ଗୋବରୀକୁ ଚିହ୍ନି ହେବ, ନଚେତ୍‌ ଗୋବରୀ ଏକ ଶୁଷ୍କ ନାଳ ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଲାଣି।

Share Now:

Kalinga News Beuro

Next Post

୩ରୁ ଜଳିବ ପୁରୀ ବାଇପାସ୍‌ ଷ୍ଟ୍ରିଟଲାଇଟ୍‌: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

Tue Feb 2 , 2021
ପର୍ଯ୍ୟଟନ ବିଭାଗ ଅର୍ଥରେ ହେଲା ଆଲୋକୀକରଣ ଭୁବନେଶ୍ବର: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ। ପୁରୀ ବାଇପାସ୍‌ରେ ଷ୍ଟ୍ରିଟ୍‌ ଲାଇଟ୍ ଜଳିବ। ହାଇଟେକ୍‌ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ଏହି ୧୨କିମିର ରାସ୍ତାରୁ ଅନ୍ଧକାର ହଟିବ। ବିଏମ୍‌ସି ପକ୍ଷରୁ ପୁରୀ ବାଇପାସ୍‌ର ଆଲୋକୀକରଣ କାମ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିପାଇଁ ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର […]
୩ରୁ ଜଳିବ ପୁରୀ ବାଇପାସ୍‌ ଷ୍ଟ୍ରିଟଲାଇଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial